BJP Strategy for Lok Sabha Election 2024: ଦେଶର ୩ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିସାରିଛି ବିଜେପି ମୋହନ ଯାଦବ  ମଧ୍ୟ ପ୍ରଦେଶ, ବିଷ୍ଣୁ ଦେବ ସାୟ ଛତିଶଗଡ଼ ଏବଂ ଭଜନ ଲାଲ ଶର୍ମା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବାକୁ ଯାଉଛନ୍ତି। ଏହି ୩ ରାଜ୍ୟରେ ଭିନ୍ନ ଭିନ୍ନ ତିନୋଟି ବର୍ଗରୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ଏଜେଣ୍ଡା ସ୍ପଷ୍ଟ କରିଦେଇଛି। 


COMMERCIAL BREAK
SCROLL TO CONTINUE READING

୨୦୨୩ ବିଧାନସଭା ବାଜିମାତ କରିବା ପରେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାହାର ୩ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ହୋଇଥିବା ମୁଖ୍ୟମନ୍ତ୍ରୀ ନିଯୁକ୍ତିରୁ ସ୍ପଷ୍ଟ ହୋଇଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ଆଦି ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ସହିତ ବିଜେପି ୨୦୨୪ ମୁକାବିଲା ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଏହି 3  ରାଜ୍ୟରେ ଜାତି ସମୀକରଣକୁ ଦଳ ସପକ୍ଷରେ ନେବାକୁ ବିଜେପି ନଜର ରଖିଛି।


କାହିଁକି ମୋହନ ଯାଦବଙ୍କୁ ମିଳିଲା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ?
କଂଗ୍ରେସ କ୍ରମାଗତ ଭାବରେ ପଛୁଆ ବର୍ଗ (ଓବିସି) ପ୍ରସଙ୍ଗ ଉଠାଉଥିଲା। ଏଭଳି ପରିସ୍ଥିତିରେ ମୋହନ ଯାଦବଙ୍କୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ବିଜେପି ଓବିସି ପ୍ରସଙ୍ଗରେ କଂଗ୍ରେସକୁ ଜବାବ ଦେଇଛି। ଅନ୍ୟପକ୍ଷରେ ଓବିସି ଭୋଟ୍ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି। ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାର ଆଦି ୩ ରାଜ୍ୟର ରାଜନୀତିରେ ଓବିସି ଭୋଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ରାଜନୈତିକ ମଇଦାନ ଆଗୁଆ ପ୍ରସ୍ତୁତି କରିବା ଆରମ୍ଭ କରିଛି।


କାହିଁକି ଭଜନ ଲାଲ ଶର୍ମାଙ୍କୁ ମିଳିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ?
ଭଜନ ଲାଲ ଶର୍ମାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ଯାହା ମାଧ୍ୟମରେ ଦଳ ରାଜ୍ୟରେ ବ୍ରାହ୍ମଣ ମତଦାତାଙ୍କ ସମର୍ଥନ ପାଇବାକୁ ଚେଷ୍ଟା କରିଛି। ପରିସଂଖ୍ୟାନ ଅନୁଯାୟୀ ରାଜସ୍ଥାନର ମୋଟ ଜନସଂଖ୍ୟାର ୮୯ ପ୍ରତିଶତ ହେଉଛନ୍ତି ହିନ୍ଦୁ। ଏହା ବ୍ୟତୀତ ରାଜ୍ୟରେ ଅନୁସୂଚିତ ଜାତି ଜନସଂଖ୍ୟା ୧୮ ପ୍ରତିଶତ ହୋଇଥିବାବେଳେ ଅନୁସୂଚିତ ଜନଜାତିର ଜନସଂଖ୍ୟା ହେଉଛି ପ୍ରାୟ ୧୩ ପ୍ରତିଶତ। ରାଜ୍ୟର ମୋଟ ଜନସଂଖ୍ୟାର ୭ ପ୍ରତିଶତ ହେଉଛନ୍ତି ବ୍ରାହ୍ମଣ। ଏଭଳି ପରିସ୍ଥିତିରେ ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି ବ୍ରାହ୍ମଣ ମତଦାତାଙ୍କୁ ସମର୍ଥନ ପାଇବାକୁ ଲକ୍ଷ୍ୟ ରଖିଛି। ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ବିଜେପି ଦଳର ବ୍ରାହ୍ମଣ ଚେହେରାଙ୍କୁ ସାମ୍ନାକୁ ଆଣିଛି।


ଛତିଶଗଡ଼ ରାଜନୀତିରେ ରହିଛି ଆଦିବାସୀ ମତଦାତାଙ୍କ ପ୍ରଭାବ 
ଛତିଶଗଡ଼ ରାଜନୀତିରେ ରହିଛି ଆଦିବାସୀ ମତଦାତା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଆଦିବାସୀ ମତଦାତାଙ୍କ ଭୋଟ ପାଇବା ଲାଗି ବିଜେପି ଦଳର ଆଦିବାସୀ ଚେହେରା ବିଷ୍ଣୁ ଦେବ ସାୟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ବିଜେପି। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ଆଦିବାସୀ। ଛତିଶଗଡ଼ ବିଧାନସଭାର ମୋଟ ୯୦ ଆସନ ମଧ୍ୟରୁ ୨୯ ସିଟ୍ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଏହା ବ୍ୟତୀତ ରାଜ୍ୟରେ ୧୧ ଲୋକସଭା ଆସନ ରହିଛି। ଯାହା ମଧ୍ୟରୁ ୪ ଆସନ ଆଦିବାସୀ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ରହିଛି। ଛତିଶଗଡ଼ ଭଳି ରାଜ୍ୟରେ ଦଳର ଜଣେ ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଗୋଟିଏ ଗୁଳିରେ ଦୁଇ ଶୀକାର କରିଛି ବିଜେପି। କାରଣ ପଡୋଶୀ ଓଡ଼ିଶା ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟ ଦ୍ୱୟରେ ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ହେଉଛନ୍ତି ଆଦିବାସୀ।