Chhattisgarh Anti Naxal Operation: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା। ମଙ୍ଗଳବାର (ଅପ୍ରେଲ ୧୬) ସୁରକ୍ଷା ବାହିନୀ ପକ୍ଷରୁ ପଡୋଶୀ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଛନ୍ତି ୧୮ ନକ୍ସଲ। ଅନ୍ୟପକ୍ଷରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ମଙ୍ଗଳବାର ଛତିଶଗଡ଼ କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ମୁହାମୁହଁ ହୋଇଥିଲେ ପୋଲିସ-ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୮ ନକ୍ସଲ ପ୍ରାଣ ହରାଇଥିବା ବେଳେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଖବର ଆସିଥିଲା ଯେ ନକ୍ସଲ ଗୋଷ୍ଠୀ ପକ୍ଷରୁ ହୋଇଥିବା ଆକ୍ରମଣରେ ୨ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ସେହିପରି ୮-୧୦ ନକ୍ସଲ ପ୍ରାଣ ହରାଇଥିବା ନେଇ ଖବର ଆସିଥିଲା। ପରେ ଆଉ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବାର ଖବର ମିଳିଥିଲା। ସୁରକ୍ଷାକର୍ମୀ ସହ ହୋଇଥିବା ଗୁଳି ବିନମୟରେ ୧୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କାଙ୍କେର ପୋଲିସ ପକ୍ଷରୁ କୁହାଯାଇଛି। 


ଘଟଣାସ୍ଥଳରେ ବେଶ କିଛି ସମୟ ଧରି ଗୁଳି ବିନିମୟ ଜାରି ରହିଥିବା କହିଥିଲେ ବସ୍ତର ଆଇଜି ପି.ସୁନ୍ଦରରାଜ। ସେହିପରି ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଥିବା ନେଇ ପ୍ରଥମେ ସ୍ପଷ୍ଟ କରିଥିଲେ କାଙ୍କେର ଏସପି ଆଇ.କେ ଏଲିସେଲା। 



ମଙ୍ଗଳବାର ସୁରକ୍ଷା ବାହିନୀ ପକ୍ଷରୁ  କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲା ସୁରକ୍ଷା ବାହିନୀ। ସର୍ଚ୍ଚ ଅପରେସନ ବେଳେ ମୁହାଁମୁହାଁ ହେବା ପରେ ନକ୍ସଲ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଜବାବ ସୁରକ୍ଷା କର୍ମୀ ମଧ୍ୟ ଦେଇଥିଲେ। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଆହତ ହୋଇଥିବା ୩ ଜଣ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ରହିଥିବାର କୁହାଯାଉଛି। ଗୁଳି ବିନିମୟ ପରେ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି। ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।



ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଛତିଶଗଡରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ୧୯ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଇଛି। ଏହି କାର୍ଯ୍ୟାନୁଷ୍ଠାନରେ ନକ୍ସଲ କମାଣ୍ଡର ଶଙ୍କର ରାଓ ପ୍ରାଣ ହରାଇବାର ସମ୍ଭାବନା ରହିଛି। ଯାହାକୁ ଛତିଶଗଡ଼ ପୋଲିସ ଖୁବ ଶୀଘ୍ର ନିଶ୍ଚିତ କରିବ। ଏହା ମଧ୍ୟ କୁହାଯାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମୃତଦେହ ଉଦ୍ଧାର କରାଯାଇ ସାରିଛି। ମୃତକ ନକ୍ସଲଙ୍କ ସଂଖ୍ୟା ବଢିପାରେ।


ଗୁଳି ବିନିମୟ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। କାଙ୍କେର ଏସପି କହିଛନ୍ତି ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ  ୧୮ ନକ୍ସଲ ପ୍ରାଣ ହରାଇଛନ୍ତି। ଯେଉଁଥିରେ ନକ୍ସଲ କମାଣ୍ଡର ଶଙ୍କର ରାଓ ସାମିଲ ରହିଥାଇ ପାରେ। ଯାହାର ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ୭  ଏକେ-୪୭ ରାଇଫଲ, ଗୋଟିଏ ଇନସାସ ରାଇଫଲ ଏବଂ ତିନୋଟି ଲାଇଟ ମେସିନ ଗନ୍ ଜବତ କରାଯାଇଛି। ଏହା ସହିତ ଅତିରିକ୍ତ ସୁରକ୍ଷା ବଳ ଦ୍ୱାରା ଘଟଣାସ୍ଥଳରେ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି।