ଭୁବନେଶ୍ୱର: ଓଡ଼ିଶା ଲୋକଙ୍କ ମତନେଇ ତିଆରି ହେବ ଓଡ଼ିଶା ଗଠନର ଯୋଜନା। ୨୦୩୬ରେ କ’ଣ ହେବ ଓଡ଼ିଶାର କାୟାକଳ୍ପ,  କେଉଁ ବିଷୟକୁ ଧ୍ୟାନ ଦେବାକୁ ହେବ, କି ସମସ୍ୟା ଲୋକେ ଭୋଗୁଛନ୍ତି ଆଉ କେଉଁ ଦିଗରେ ଧ୍ୟାନ ଦେଲେ ଲୋକଙ୍କ ଭାଗିଦାରୀ ବଢ଼ିବ? ଏମିତି ପ୍ରଶ୍ନକୁ ଆଧାର କରି ଓଡ଼ିଶା ପାଇଁ ‘ଦୂରଦୃଷ୍ଟି ସମ୍ପନ୍ନ ନଥି’ ପ୍ରସ୍ତୁତି ଲାଗି ସରକାର ଚିନ୍ତା କରିଛନ୍ତି। ଆଉ ଏ ଦିଗରେ ଭାରତର ନିତି ଆୟୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବି.ଭି.ଆର୍ ସୁବ୍ରମନିୟମ୍ । 


COMMERCIAL BREAK
SCROLL TO CONTINUE READING

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ଅବସରରେ ସେ କହିଛନ୍ତି, ଓଡିଶାର ବିକାଶ ଉପରେ  ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ବିକାଶ ନଥି ପ୍ରସ୍ତୁତ କରିବା ପାଇଁ ନିତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ସେ କହିଛନ୍ତି। 


ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ  ବିକାଶ ଇଞ୍ଜିନ ହେବାର ଲକ୍ଷ୍ୟ ରଖିଛି। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ବିକାଶ ନଥି ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। 


ଏଥିଲାଗି  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ।  ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ବିକାଶ ନଥି ପ୍ରସ୍ତୁତ କରାଯିବ ବୋଲି ଜଣା ଯାଇଛି।  ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। ବିକାଶ ନଥି ର କାର୍ଯ୍ୟାନ୍ବୟନ ପାଇଁ  ସ୍ୱତନ୍ତ୍ର କ୍ରିୟାନୁଷ୍ଠାନ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ।


Also Read - Bangladesh tragedy: ରାଗରେ ବାଙ୍ଗଲାଦେଶୀ ଭିକ୍ଷୋଭକାରୀ, ଘଟାଉଛନ୍ତି ଏମିତି କାଣ୍ଡ...