Congress Protest : ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର (Congress) ହୁଙ୍କାର। ଅତ୍ଯାବଶ୍ଯକ ସାମଗ୍ରୀଠାରୁ ଆରମ୍ଭ କରି ସବୁ ଜିନିଷର ଦର ଅହେତୁକ ବୃଦ୍ଧିକୁ ଜୋରଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ (Congress)। ଭୁବନେଶ୍ବର (Bhubaneswar) ଏଡିଏମ ଅଫିସ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ରାଜଭବନ (Rajbhawan) ଆଡକୁ ଯିବା ସମୟରେ ପୋଲିସ ସହ ହୋଇଛି ଧସ୍ତାଧସ୍ତି। ଦରଦାମ ନିୟନ୍ତ୍ରଣ ନ କରି ଲୋକଙ୍କୁ ବିଭିନ୍ନ ଆଳରେ କେବଳ ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ (Congress)। 


COMMERCIAL BREAK
SCROLL TO CONTINUE READING

ଏପରିକି ତୁରନ୍ତ ଦରଦାମ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ ବ୍ଯାପକ ଆନ୍ଦୋଳନ ନେଇ ଚେତାବନୀ ଦେଇଛି ଦଳ। ରାଜଭବନ ଆଡକୁ କଂଗ୍ରେସ ନେତା ଏବଂ କାର୍ଯ୍ଯକର୍ତ୍ତା ଧସେଇ ପସିବାକୁ ଉଦ୍ଯମ କରୁଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ଏବଂ ଶେଷରେ କଂଗ୍ରେସ ନେତା କର୍ମୀଙ୍କୁ ଗିରଫ କରିଛି ପୋଲିସ। ସେପଟେ ବିଭିନ୍ନ ଘୋଟାଲାରେ ଇଡି ଚଢାଉ କରିଥିବାରୁ ଏହାକୁ ଡରି କଂଗ୍ରେସ ଏଭଳି କରୁଥିବା କହିଛି ବିଜେପି।


ଆଜି କଂଗ୍ରେସ ରାଜଭବନ ଘେରାଉ ସମେତ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ କରିଛି। ଭୁବନେଶ୍ବରରେ ପିସିସି ସଭାପତିଙ୍କ ସମେତ ପୂର୍ବତନ ପିସିସି ସଭାପତି ବିଧାୟକ ବରିଷ୍ଠ ନେତା କାର୍ଯ୍ଯକର୍ତ୍ତା ଶତାଧିକ କର୍ମୀ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଛନ୍ତି। ଭୁବନେଶ୍ବର ଏଡିଏମ ଅଫିସ ସମ୍ମୁଖରେ ଏକ ସମାବେଶ କରିବା ସହ କଂଗ୍ରେସ ନେତାମାନେ ଏକ ବିଶାଳ ଶୋଭାଯାତ୍ରାରେ ରାଜଭବନ ଆଡକୁ ମାଡି ଚାଲିଥିଲେ। ବାଟରେ ପୋଲିସ ସେମାନଙ୍କୁ ଅଟକାଇବା ସହ ଆଗକୁ ଯିବାକୁ ଦେଇ ନ ଥିଲା। 


ସେଠାରେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ପୋଲିସ ସେମାନଙ୍କୁ ଗିରଫ କରିଛି। ବର୍ତ୍ତମାନ ପେଟ୍ରୋଲ ଡିଜେଲଠାରୁ ଆରମ୍ଭ କରି ରନ୍ଧନ ଗ୍ଯାସ, ଖାଇବା ସାମଗ୍ରୀ ଆଦିର ଦାମ ହୁ ହୁ ହୋଇ ବଢିଚାଲିଛି। ଏପରିକି ସାଧାରଣ ଗରିବ ଲୋକଙ୍କ ଆଶା ଭରସା ଚୁଡା ମୁଢିରେ ମଧ୍ଯ ଜିଏସଟି ଲଗାଇବାକୁ ସରକାର ପଛଘୁଞ୍ଚା ଦେଉ ନାହାନ୍ତି। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ବିରୋଧରେ ଏ ଲଢେଇକୁ ଆହୁରି ତୀବ୍ର କରାଯିବ ବୋଲି କହିଛି କଂଗ୍ରେସ। ଏପରିକି ଗାଁ ଗାଁରେ ଏ ଆନ୍ଦୋଳନକୁ ପହଂଚାଇବାକୁ ଯୋଜନା କରିଛି ଦଳ।


ସେପଟେ ବିଜେପି ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛି। ଇଡି ଜାଲରୁ ବର୍ତ୍ତିବା ପାଇଁ କଂଗ୍ରେସ ଦରଦାମ ବୃଦ୍ଧିକୁ ଅସ୍ତ୍ର କରି ଆନ୍ଦୋଳନ କରୁଛି। ଦୀର୍ଘ ବର୍ଷର ଶାସନ ମଧ୍ଯରେ କଂଗ୍ରେସ କଣ କରିଛି ସେ କଥା ସମସ୍ତେ ଜାଣନ୍ତି ବୋଲି କହିଛି ବିଜେପି। ସେପଟେ ଦରଦାମ ବୃଦ୍ଧିକୁ ବିଜେଡି ନିନ୍ଦା କରିଥିଲେ ମଧ୍ଯ ମାପିଚୁପି ଉତ୍ତର ରଖିଛି। ଗୋଟିଏ ପଟେ ଦରଦାମ ବୃଦ୍ଧି ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗରେ ପରିଣତ ହେଲେ ମଧ୍ଯ ନିୟନ୍ତ୍ରଣକୁ ଆସୁନାହିଁ। ଏଭଳି ସ୍ଥିତିରେ କଂଗ୍ରେସର ଆନ୍ଦୋଳନ କେନ୍ଦ୍ର ଉପରେ କେତେ ଚାପ ସୃଷ୍ଟି କରିବ ଏବଂ ଦରଦାମ ନିୟନ୍ତ୍ରଣ ଦିଗରେ କେତେ ସହାଯ଼କ ହେବ ତା ଉପରେ ନଜର।