Cyclone Update: (ନାରାୟଣ ବେହେରା) ସମ୍ଭାବ୍ୟ ବାତ୍ୟାକୁ ନେଇ କଡ଼ା ମୁକାବିଲା କରିବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଘନଘନ ବୈଠକ କରିବା ପରେ ଖୋଦ୍ ଜିଲ୍ଲାପାଳ ଆଜି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ସବୁ ବୁଲି ତଦାରଖ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ମୋଟ୍ ୮ଟି ବ୍ଲକ୍ ରୁ ମୁଖ୍ୟତଃ ୪ଟି ବ୍ଲକ୍ ଯଥେଷ୍ଟ କ୍ଷତି ହେବାର ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବିଶେଷ କରି ଏରସମା, କୁଜଙ୍ଗ, ବାଲିକୁଦା, ତିର୍ତ୍ତୋଲ ପ୍ରତି ଯଥେଷ୍ଟ ଗୁରୁତ୍ଵ ଦିଆଯାଇ ଅଧିକ ରୁ ଅଧିକ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ଓଡ୍ରାଫ୍ , ଏନଡିଆରଏଫ୍ ଟିମ୍ ର ସଦସ୍ୟ ମାନଙ୍କୁ ସମସ୍ତ ବ୍ଲକ୍ ହେଡ୍ କ୍ୱାର୍ଟରକୁ ପଠାଯାଇଛି।


COMMERCIAL BREAK
SCROLL TO CONTINUE READING

 ବିଶେଷ କରି କୁଜଙ୍ଗ ବ୍ଲକ୍ ଅଧିନରେ ପାରାଦୀପ ବନ୍ଦର ଓ ଏକାଧିକ ଶିଳ୍ପାନୁଷ୍ଠାନ ରହିଥିବାରୁ ଏନେଇ ପାରାଦୀପ ବନ୍ଦର ପ୍ରଶାସନ ସମେତ ସମସ୍ତ ଶିଳ୍ପାନୁଷ୍ଠାନ ମାନଙ୍କର ପ୍ରତିନିଧିମାନଙ୍କୁ ଡାକି ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆମ୍ବୁଲାନ୍ସ ସେବା , ଅଗ୍ନିଶମ ସେବା, ପ୍ରଭୃତି ଜରୁରୀ କାଳୀନ ସେବା ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସମୁଦ୍ର ତଟ୍ଟବର୍ତ୍ତି ଅଞ୍ଚଳରେ ଦରକାର ପଡିଲେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବାତ୍ୟା ଆଶ୍ରୟସ୍ଥଳୀ ସମେତ କେତେକ ସ୍କୁଲରେ ଲୋକମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।



ତେବେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ଜେ ସୋନାଲ୍ କହିଛନ୍ତି । ପାରାଦୀପ ପୌରପାଳିକା ଅଞ୍ଚଳରେ ଥିବା ସମସ୍ତ ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟସ୍ଥଳୀ ସବୁ ବୁଲି ଅନୁଧ୍ୟାନ କରିବା ସହ ବାତ୍ୟା ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲାପାଳ ଜେ.ସୋନାଲ୍ କହିଛନ୍ତି।