Artificial Rain in Delhi for Controlling Air Pollution: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ବାୟୁ ପ୍ରଦୂଷଣ। ଅନିୟନ୍ତ୍ରିତ ହୋଇଉଠିଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ ରାଜ୍ୟରେ କୃତ୍ରିମ ବର୍ଷା କରାଇବାକୁ ଯାଉଛନ୍ତି। ଏନେଇ ଦିଲ୍ଲୀ ସରକାର ଆଇଆଇଟି କାନପୁର ସହ ଯୋଗାଯୋଗ କରି ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଯୋଜନା ପଠାଇବାକୁ ଅନୁରୋଧ କରିଥିଲେ। ଏହି ଯୋଜନା ଆସିବା ପରେ ଏହାକୁ ଅନୁମୋଦନ କରିବା ପାଇଁ ସୁପ୍ରିମକୋର୍ଟ ପାଖକୁ ପଠାଯିବ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅନୁମୋଦନ କରିବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ମହାନଗରୀରେ କୃତ୍ରିମ ବର୍ଷା କରାଯିବ।


COMMERCIAL BREAK
SCROLL TO CONTINUE READING

ଆଇଆଇଟି କାନପୁର ବିଶେଷଜ୍ଞଙ୍କ ସହ ହୋଇଥିଲା ବୈଠକ
ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ସହରରେ ପ୍ରଦୂଷଣ ହଟାଇବା ପାଇଁ ଆଇଆଇଟି କାନପୁର ବିଶେଷଜ୍ଞଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦିଲ୍ଲୀ ମହାନଗରୀରେ କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ ତିଆରି ଉପରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ପ୍ରସ୍ତାବ ଦେବାକୁ ଏବଂ ଏହାକୁ ଗୁରୁବାର ଦିନ ପଠାଇବାକୁ ଆମେ ବିଶେଷଜ୍ଞଙ୍କୁ ଅନୁରୋଧ କରିଛୁ। ଯାହାଫଳରେ ଏହାକୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଠାରେ ଉପସ୍ଥାପନ କରି ଆବଶ୍ୟକୀୟ ଆଇନଗତ ଅନୁମତି ନିଆଯାଇ ପାରିବ।


କେଉଁ ଦିନ ହେବ ବର୍ଷା?
ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଯଦି ଆଇଆଇଟି କାନପୁର ପାଖରୁ ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ମିଳିଯାଏ ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଅନୁମୋଦନ କରନ୍ତି, ତାହେଲେ ନଭେମ୍ବର ୨୦ କିମ୍ବା ୨୧ ତାରିଖରେ ଦିଲ୍ଲୀ ଠାରେ କୃତ୍ରିମ ବର୍ଷା ହୋଇପାରେ। ଯଦି ଏହା ହୁଏ, ତାହେଲେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମହାନଗରୀରେ ଏହା ପ୍ରଥମ ପରୀକ୍ଷଣ ହେବ। 


ମୁମ୍ବାଇରେ ହେଲା ପ୍ରକୃତ ବର୍ଷା
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ କୃତ୍ରିମ ବର୍ଷା କରିବା ପାଇଁ ପ୍ରସ୍ତୁତି ଚାଲିଛି। ହେଲେ ଅନ୍ୟପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବୁଧବାର ପ୍ରକୃତ ବର୍ଷା ହୋଇଛି। ଏହି ବର୍ଷା ପରେ ମୁମ୍ବାଇ ବାସିନ୍ଦାଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଭଳି ମାୟାନଗରୀ ମୁମ୍ବାଇରେ ପ୍ରଦୂଷଣ ବୃଦ୍ଧି ହେତୁ ସ୍ଥାନୀୟ ବାସିନ୍ଦାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ହୋଇଥିଲା। ବୁଧବାର ବର୍ଷା ହେତୁ ସେଠାରେ ପ୍ରଦୂଷଣରେ କିଛି ହ୍ରାସ ଘଟିବ ବୋଲି ଆଶା କରାଯାଉଛି।


ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ସୁପ୍ରିମକୋର୍ଟ 
ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବର୍ତ୍ତମାନ ୫ ଶହରୁ ଅଧିକ ରହିଛି। ଯାହା ପ୍ରଦୂଷଣର ଗୁରୁତର ବର୍ଗ ଭାବରେ ପରିଗଣିତ ହୋଇଥାଏ। ଏହି ପ୍ରଦୂଷଣ ହେତୁ ସମଗ୍ର ଅଞ୍ଚଳ ଏକ ଗ୍ୟାସ୍ ଚାମ୍ବର ପରି ହୋଇଗଲାଣି। ଏବେ ସ୍ଥାନୀୟ ଲୋକଙ୍କୁ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡୁଛି। ପରିସ୍ଥିତି ବିଗିଡି ଯାଉଥିବାର ଦେଖି ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ। ଯାହା ପରେ ଉଭୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।