Puri News: ପୁରୀ: ଲୁହା କଡେଇରେ ପ୍ରସ୍ତୁତି ହେଉଛି ମହାପ୍ରଭୁଙ୍କ ଅନ୍ନ ମହାପ୍ରସାଦ। କୋଭିଡ ମହାମାରୀ ସମୟରୁ ଲୁହା କଡେଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ଉଠିଛି। ଯାହା ଶ୍ରୀମନ୍ଦିର ପରମ୍ପରାରେ ଅନ୍ତରାୟ ସୃଷ୍ଟି କରିଛି। ଲୁହା କଡେଇ କେବଳ ପିଠପଣା ଆଦି ପ୍ରସ୍ତୁତି ତଥା ଛାଣିବା ପାଇଁ ବ୍ୟବହାର ହୋଇଥାଏ। କିନ୍ତୁ ପରମ୍ପରା ବିରୋଧରେ ଯାଇ ଏଭଳି ଅନ୍ନ ମହାପ୍ରସାଦ ପ୍ରସ୍ତୁତି ହେବା ଜାଣିବା ପରେ ଲଡୁ ଓ ସେବାୟତ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ସୁଆର ମହାସୁଆର ନିଯୋଗଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସେପଟେ ଆବଶ୍ୟକ ହାଣ୍ଡି କୁଡୁଆ ମିଳୁନଥିବାରୁ କଡେଇ ବ୍ୟବହାର କରାଯାଉଛି ବୋଲି ସଫେଇ ଦେଇଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। 


COMMERCIAL BREAK
SCROLL TO CONTINUE READING

ମାଟି କୁଡୁଆ ପରିବର୍ତ୍ତେ ଲୁହା କଡେଇ ଅବା ଅନ୍ୟ କୌଣସି ପାତ୍ରରେ ମହାପ୍ରସାଦ ପ୍ରସ୍ତୁତି ହେବା ଶାସ୍ତ୍ର ବିରୋଧୀ। ହେଲେ ସୁପକାରମାନେ ରୋଷଶାଳାରେ ବିଧି ପରମ୍ପରା ସମ୍ପର୍କରେ ଅଜ୍ଞ ହୋଇ ବି ଏଭଳି ମହାବିଭ୍ରାଟ କାହିଁକି କରୁଛନ୍ତି ବୋଲି ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ସୁଆର ମହାସୁଆର ନିଯୋଗର ପୂର୍ବତନ ସହସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି ମାଟି କୁଡୁଆ ବଦଳରେ ଲୁହା କଡେଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତି ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଏଭଳି କରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବକ୍ଷୟମୁଖୀ ଆଡକୁ ଠେଲି ଦିଆଯାଉଛି। ଯେଉଁମାନେ ଏଭଳି ମହାବିଭ୍ରାଟ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ। 


ସେପଟେ ରୋଷଶାଳାରେ ମାଟି କୁଡୁଆରେ ଅନ୍ନମହାପ୍ରସାଦ ପ୍ରସ୍ତୁତ କରିବାକୁ ସମସ୍ତ ସୁପକାରଙ୍କୁ ଚିଠି କରିଛି ସୁଆର ମହାସୁଆର ନିଯୋଗ। ସୁଆର ମହାସୁଆର ନିଯୋଗ ସଭାପତି ପଦ୍ନନାଭ ମହାସୁଆର ଗଣମାଧ୍ୟମକୁ କହିଛନ୍ତି କରୋନା ମହାମାରୀ ସମୟରେ କୁଡୁଆର ଅଭାବ ପଡିବାରୁ କିଛି ସୁପକାର ଲୁହା କଡେଇର ବ୍ୟବହାର କରୁଥିଲେ। ସେବେଠାରୁ ଲୁହା କଡେଇ ବ୍ୟବହାର ବନ୍ଦ ହୋଇନଥିବା ସେ ସୂଚନା ଦେଇଛନ୍ତି।