ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ (Commonwealth Games) ପ୍ରଥମ କରି କ୍ରିକେଟ (Cricket) ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ୍ ଭାରତ (India) ଏବଂ ଅଷ୍ଟ୍ରେଲିଆ (Australia) ମଧ୍ୟରେ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରି ଅଧିନାୟକ (Captain) ହରମନପ୍ରୀତ କୌରଙ୍କ (Harmanpreet Kaur) ଅର୍ଦ୍ଧଶତକ ସ୍କୋର ବଳରେ ଦଳ 8 ୱିକେଟ୍ ବଦଳରେ ୧୫୪ ରନ୍ ସଂଗ୍ରହ କରିଥିଲା।


COMMERCIAL BREAK
SCROLL TO CONTINUE READING

ଭାରତୀୟ ଇନିଂସର ଚତୁର୍ଥ ଓଭରରେ ଅଷ୍ଟ୍ରେଲିଆର ୱିକେଟ୍ କିପର ଆଲିସା ହେଲି ସ୍ମୃତି ମାନ୍ଧନାଙ୍କୁ କ୍ୟାଚ ଧରି ଆଉଟ କରିଦେଇଥିଲେ। ଏହା ସହିତ ସେ ଇତିହାସ ସୃଷ୍ଟି କରିଛନ୍ତି। ୧୦୦ କ୍ୟାଚ ନେଇଥିବା ପ୍ରଥମ ଓ୍ୱିକେଟ କିପର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ରେକର୍ଡ ସ୍ଥାପନ କରିବା ସହିତ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। 


୩୨ ବର୍ଷୀୟ ଆଲିସା ହେଲି ତାଙ୍କ କ୍ୟାରିୟରର ୧୨୮ତମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି। ସେ ମ୍ୟାଚରେ ଶେଫାଲୀ ବର୍ମାଙ୍କ କ୍ୟାଚ୍ ମଧ୍ୟ ଧରିଥିଲେ। ସେ ଏପର୍ଯ୍ୟନ୍ତ ୪୭ଟି କ୍ୟାଚ୍ ଏବଂ ୫୪ଟି ଷ୍ଟମ୍ପିଂ କରିଛନ୍ତି। ଫଳରେ ତାଙ୍କ ଖାତାରେ ମୋଟ ୧୦୧ଟି ଓ୍ୱିକେଟ ସାମିଲ ହୋଇଛି। ଗୋଟିଏ ମ୍ୟାଚରେ ମୋଟ ୪ଟି ଓ୍ୱିକେଟ ହାସଲ କରିସାରିଛନ୍ତି। 


ତେବେ ଏହି ମାମଲାରେ ଧୋନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ମୋଟ ୯୮ଟି ମ୍ୟାଚ ଖେଳି ୯୧ଟି ଓ୍ୱିକେଟ ହାତେଇଥିଲେ। ଏହା ମଧ୍ୟରେ ମୋଟ ୫୭ଟି କ୍ୟାଚ ଓ ୩୪ଟି ଷ୍ଟମ୍ପିଂ ରହିଛି। ଇଂଲଣ୍ଡର ପୂର୍ବତନ ମହିଳା ୱିକେଟ୍ କିପର ସାରା ଟେଲର ତିନି ନମ୍ବର ସ୍ଥାନରେ ଅଛନ୍ତି। ସେ ୮୮ଟି ମ୍ୟାଚରେ ୭୪ଟି ଓ୍ୱିକେଟ ହାତେଇଛନ୍ତି। ୨୩ଟି କ୍ୟାଚ୍ ଏବଂ ୫୧ଟି ଷ୍ଟମ୍ପିଂ କରିଛନ୍ତି।


ସେହିପରି ସାଉଥ ଆଫ୍ରିକାର କ୍ୱିଟନ ଡିକକ ଚତୁର୍ଥ ନମ୍ବରରେ ରହିଛନ୍ତି। ସେ ମୋଟ ୬୫ଟି ମ୍ୟାଚ ଖେଳି ୭୩ଟି ଓ୍ୱିକେଟ ହାତେଇଛନ୍ତି। ଏହା ମଧ୍ୟରେ ୫୮ଟି କ୍ୟାଚ ଓ ୧୫ଟି ଷ୍ଟମ୍ପିଂ ରହିଛି। ନ୍ୟୁଜିଲାଣ୍ଡର ମହିଳା ଓ୍ୱିକେଟ କିପର ରସେଲ ପ୍ରିଷ୍ଟ ୫ମ ସ୍ଥାନରେ ରହିଛନ୍ତି। ସେ ୭୪ଟି ମ୍ୟାଚରୁ ୭୨ଟି ଓ୍ୱିକେଟ ନେଇଛନ୍ତି। ୪୧ଟି କ୍ୟାଚ ଓ ୩୧ଟି ଷ୍ଟମ୍ପିଂ ସାମିଲ ରହିଛି। 


ଏଲିସା ହେଲିଙ୍କର କ୍ରିକେଟ ସହିତ ନିବିଡ଼ ସମ୍ପର୍କ ରହିଛି। ତାଙ୍କ ସ୍ୱାମୀ ମିଚେଲ ଷ୍ଟାର୍କ ପୁରୁଷ ଦଳର କିମ୍ବଦନ୍ତୀ ବୋଲରଙ୍କ ମଧ୍ୟରୁ ଜଣେ। ଏହି ମ୍ୟାଚ୍ ପୂର୍ବରୁ ହେଲି ୧୨୭ ଟି-୨୦ ଇଣ୍ଟରନ୍ୟାସନାଲରେ ହାରାହାରି ୨୪ରେ ୨୧୫୯ ରନ୍ ସଂଗ୍ରହ କରିଛନ୍ତି। ସେ ଏକ ଶତକ ଏବଂ ୧୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ କ୍ୟାରିୟରରେ ମଧ୍ୟରେ ଅପରାଜିତ ୧୪୮ ରନ ରହିଛି।


ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଯଦି କ୍ରିକେଟ କଥା କୁହାଯାଏ ତେବେ ପ୍ରଥମ ଥର ପାଇଁ ରାଜ୍ୟ ଗୋଷ୍ଠୀ କ୍ରିଡ଼ାରେ କ୍ରିକେଟ ଖେଳାଯାଉଛି।  ଦୁଇଟି ଗ୍ରୁପରେ ୮ଟି ଟିମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳୁଛନ୍ତି। ଭାରତ ରହିଥିବା ଗ୍ରୁପରେ ପାକିସ୍ତାନ ଓ ବାରବାଡୋସ ସାମିଲ ରହିଛନ୍ତି।