INDIA Lists 14 Journalists Show to Boycott: ଆଗକୁ ନିର୍ବାଚନ। ଶାସକ ଦଳଠୁ ଆରମ୍ଭ କରି ବିରୋଧୀ ଯାଏ ସମସ୍ତେ ନିଜ ନିଜ ପ୍ରଚାର ଲାଗି ପ୍ରସ୍ତୁତ ହେଲେଣି। କିଏ ଯୋଡ଼ିବାକୁ ଅଣ୍ଟା ଭିଡ଼ୁଛି ତ ଆଉ କିଏ ଅଣ୍ଟା ଭାଙ୍ଗିବାକୁ ମେଣ୍ଟ କରୁଛି। ହେଲେ ବିରୋଧୀ ମେଣ୍ଟ କିନ୍ତୁ ସାମ୍ବାଦିକଙ୍କୁ ଶତ୍ରୁ ବୋଲି ବିଚାର କରିଛନ୍ତି। ଦେଶର ଜଣାଶୁଣା ୧୪ ସାମ୍ବାଦିକଙ୍କୁ ବର୍ଜନ କରିଛନ୍ତି। ସେମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଉଥିବା ଟିଭି ଶୋ’ ରେ ସେମାନେ ଭାଗ ନେବେ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ବିଜ୍ଞପ୍ତି ବା ହ୍ବିପ ଅନୁସାରେ ୧୪ ଜଣ ଟିଭି ସାମ୍ବାଦିକଙ୍କ ଶୋ’ କୁ ‘ଇଣ୍ଡିଆ’ ମେଣ୍ଟର ନେତାମାନେ ଯିବେ ନାହିଁ। ସେପ୍ଟେମ୍ବର ୧୩ ତାରିଖରେ ‘ଇଣ୍ଡିଆ’ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଏ ବାବଦରେ ‘ଇଣ୍ଡିଆ’ ମେଣ୍ଟ ଏକ ତାଲିକା ପ୍ରକାଶ କରିଛି। 


ତାଲିକାରେ ଥିବା ୧୪ ଜଣଙ୍କ ଭିତରେ ସର୍ବାଗ୍ରେ ଅଛନ୍ତି ଅଦିତି ତ୍ୟାଗୀ। ସେ ଏବେ ଭାରତ ଏକ୍ସପ୍ରେସ୍‍ ଚ୍ୟାନେଲ୍‍ ପାଇଁ କାମ କରୁଛନ୍ତି। ବିରୋଧି ମେଣ୍ଟର ଏହି ତାଲିକା ପ୍ରକାଶ ପରେ ସେ କହିଛନ୍ତି, "ଦେଶ ପାଇଁ ପ୍ରଶ୍ନ ପଚାରୁଥିବା ଲୋକଙ୍କ ତାଲିକାରେ ଆଗରେ ସେ ରହିଛନ୍ତି। ତ୍ୟାଗୀ ଡରନ୍ତି ନାହିଁ। "



ବିରୋଧୀ ମେଣ୍ଟର ଏହି ନିଷ୍ପତ୍ତିରେ ଆଜ୍‍ତକ, ଟାଇମ୍ସ ନାଓ, ରିପବ୍ଲିକ, ନ୍ୟୁଜ୍‍୧୮, ଇଣ୍ଡିଆଟୁଡେ, ଭାରତ-୨୪ ଭଳି ଘରୋଇ ଚ୍ୟାନେଲ୍‍ ସହ ସରକାରୀ ଚ୍ୟାନେଲ୍‍ ଦୂରଦର୍ଶନ ମଧ୍ୟ ସାମିଲ୍‍ ରହିଛି। ଗତକାଲି ବିରୋଧୀଙ୍କ ପକ୍ଷରୁ କର୍ଣ୍ଣାଟକରେ ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ବି ଦିଆଯାଇଥିଲା। 


ବିରୋଧୀଙ୍କ ସବୁଠାରୁ ବର୍ଜିତ ଆଙ୍କର ଙ୍କ ଭିତରେ ରହିଛନ୍ତି ନ୍ୟୁଜ୍‍ ୧୮ ଏବଂ ଆାଜ୍‍ତକ୍‍ ଚ୍ୟାନେଲ୍ ର ସର୍ବାଧିକ ସାମ୍ବାଦିକ। ଏହି ଚ୍ୟାନେଲ୍‍ ର ୩ ଜଣ ଲେଖାଏଁ ସାମ୍ବାଦିକଙ୍କ ଉପସ୍ଥାପିତ ଶୋ’ କୁ ସେମାନେ ବର୍ଜନ କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସାମ୍ବାଦିକ ହେଲେ, ନେଟ୍‍ଓ୍ୱର୍କ ୧୮ ସାମ୍ବାଦିକ ଅମନ ଚୋପ୍ରା। ତୃତୀୟରେ ରହିଛନ୍ତି, ସେହି ଚ୍ୟାନେଲ୍‍ ର ଆଉ ଜଣେ ଆଙ୍କର ଅମିଶ୍‍ ଦେବଗନ୍‍। 


ତାଲିକାରେ ରହିଥିବା ଅନ୍ୟ ସାମ୍ବାଦିକ ହେଲେ: ନେଟ୍‍ଓ୍ୱର୍କ ୧୮ ଚ୍ୟାନେଲ ର ଆନନ୍ଦ ନରସିଂହନ୍‍, ରିପବ୍ଲିକ୍‍ ଚ୍ୟାନେଲ୍‍ ମୁଖ୍ୟ ଅର୍ନବ ଗୋସ୍ୱାମୀ, ଡିଡି ନ୍ୟୁଜ୍‍ ସାମ୍ବାଦିକ ଆଶୋକ ଶ୍ରୀବାସ୍ତବ, ଆଜ୍‍ତକ୍‍ ସାମ୍ବାଦିକ ଚିତ୍ରା ତ୍ରିପାଠୀ, ଗୌରବ ସାଓ୍ୱନ୍ତ, ଟାଇମ୍ସ ନାଓ ସାମ୍ବାଦିକ ନବିକା କୁମାର, ଇଣ୍ଡିଆ ଟିଭି  ସାମ୍ବାଦିକ ପ୍ରାଚୀ ପରାସର, ଭାରତ ୨୪ ଆଙ୍କର ରୁବିକା ଲିଆକତ୍‍,  ଇଣ୍ଡିଆ ଟୁଡେ ଆଙ୍କର ଶିବ୍‍ ଅରୁର, ଆଜ୍‍ତକ୍‍ ସାମ୍ବାଦିକ ସୁଧୀର ଚୌଧୁରୀ ଏବଂ  ନବଭାରତ ଚ୍ୟାନେଲ ଆଙ୍କର ସୁଶାନ୍ତ ସିହ୍ନା। 


ଜାତୀୟ ସ୍ତରରେ ବିରୋଧୀଙ୍କ ଏହି ନିଷ୍ପତ୍ତି ରାଜ୍ୟ ସ୍ତରକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି। ଆମ ରାଜ୍ୟରେ ଅଘୋଷିତ ଭାବରେ କିଛି ଚ୍ୟାନେଲ୍‍ କୁ ସରକାରୀ ଦଳ ଏବଂ ଆଉ କିଛି ଚ୍ୟାନେଲ୍‍ କୁ ବିରୋଧୀ ଦଳ ବୟକଟ୍‍ କରିଛନ୍ତି। ଏଠାରେ ସରକାରୀ ଦଳ ବର୍ଜନ କରିଥିବା ଚ୍ୟାନେଲ୍‍ ଭିତରେ ଓଟିଭି ଏବଂ ଅର୍ଗସ୍‍ ରହିଛି। ସେହିପରି ନନ୍ଦିଘୋଷ ଟିଭି କୁ ସରକାରୀ ଦଳ ପରିଚାଳିତ ଚ୍ୟାନେଲ୍‍ ବୋଲି ଅଭିଯୋଗ କରି ବିଜେପି ଅନେକ ସମୟରେ ବର୍ଜନ କରିଛି। ଏସବୁ ଅବଶ୍ୟ ଅଘୋଷିତ ହୋଇ ରହିଛି। ହେଲେ ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ରାଜନୀତି ରାଜ୍ୟକୁ ମଧ୍ୟ ବ୍ୟାପିପାରେ। ପରବର୍ତ୍ତୀ ସମୟରେ ଏହା ଉଭୟ ଗଣତନ୍ତ୍ର ଏବଂ ସାମ୍ବାଦିକତା ପାଇଁ ଏକ ନକାରାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ଆଶଙ୍କା ଉଠିବା ସ୍ୱଭାବିକ।