Israel Allegations Against UNRWA Staff: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୬ ମାସ ପୂରଣ ହେବାକୁ ଯାଉଛି। ଏହି ଯୁଦ୍ଧ ପାଇଁ ମୁସଲିମ ଦେଶ ଇସ୍ରାଏଲ ବିରୋଧରେ ଏକାଠି ହୋଇଛନ୍ତି। ହେଲେ ଯୁଦ୍ଧ ଜାରି ରହିଥିବା ସମୟରେ ଯେଉଁ ଗୁରୁତର ଅଭିଯୋଗ ଅଣାଯାଇଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗତ ସୋମବାର (୪ ମାର୍ଚ୍ଚ ୨୦୨୪) ଇସ୍ରାଏଲ୍ ସେନା ଅଭିଯୋଗ କରିଛି ଯେ ଗାଜା ଠାରେ କାମ କରୁଥିବା ମିଳିତ ଜାତିସଂଘର ରିଲିଫ ଏବଂ ସହାୟତା ଏଜେନ୍ସି ସହ ଜଡ଼ିତ ଶହ ଶହ କର୍ମଚାରୀ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ଅଛନ୍ତି। ମିଳିତ ଜାତିସଂଘକୁ ଇସ୍ରାଏଲ୍ ଏହି ଗୁପ୍ତ ତଥ୍ୟ ପ୍ରଦାନ କରିଛି।


COMMERCIAL BREAK
SCROLL TO CONTINUE READING

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ପୂର୍ବରୁ ଇସ୍ରାଏଲ୍ (Israel) ମିଳିତ ଜାତିସଂଘ ରିଲିଫ ଏବଂ ସହାୟତା ଏଜେନ୍ସି (United Nations Relief and Works Agency) ୟୁଏନଆରଡବ୍ଲ୍ୟୁଏ (UNRWA) ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା। ୟୁଏନଆରଡବ୍ଲ୍ୟୁଏ ପାଲେଷ୍ଟାଇନ ଶରଣାର୍ଥୀଙ୍କ (UNRWA for Palestine Refugees) ଲାଗି କାମ କରୁଛି। ୟୁଏନଆରଡବ୍ଲ୍ୟୁଏ ବିରୋଧରେ ଅଭିଯୋଗ ଆଣି ଇସ୍ରାଏଲ୍ କହିଥିଲା ଯେ ଏହି ସଙ୍ଗଠନର ଅନେକ କର୍ମଚାରୀ ହେଉଛନ୍ତି ହମାସ ସଦସ୍ୟ। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣରେ କିଛି ୟୁଏନଆରଡବ୍ଲ୍ୟୁଏ କର୍ମଚାରୀ ସମ୍ପୃକ୍ତ ରହିଥିଲେ। ଏହି ଅଭିଯୋଗ ପରେ ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ୟୁଏନଆରଡବ୍ଲ୍ୟୁଏ ଭଳି ଆନ୍ତର୍ଜାତୀୟ ସଂସ୍ଥାକୁ ପ୍ରଦାନ କରାଯାଉଥିବା ସହାୟତା ରାଶି ବନ୍ଦ କରି ଦେଇଥିଲେ।


ସାମରିକ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହଗରୀ କହିଛନ୍ତି ଯେ, ପ୍ରାୟ ୪୫୦ ଜଣରୁ ଅଧିକ ୟୁଏନଆରଡବ୍ଲ୍ୟୁଏ କର୍ମଚାରୀ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀରେ ସାମରିକ ରୂପରେ ସକ୍ରିୟ ରହିଛନ୍ତି। ଏହା କେବଳ ସଂଯୋଗ ନୁହେଁ। ସେମାନେ ସଙ୍ଗଠିତ ରୂପରେ କାମ କରୁଛନ୍ତି। ମିଳିତ ଜାତିସଂଘ ସମେତ ଆମର ଅନ୍ତର୍ଜାତୀୟ ଭାଗୀଦାରଙ୍କ ନିକଟକୁ ମୁଁ ପ୍ରଦାନ କରୁଥିବା ସୂଚନା ତଥା ଅଧିକ ଗୁପ୍ତଚର ସୂଚନା ପଠାଇଛୁ। ରଏଟର୍ସ ଅନୁଯାୟୀ ୟୁଏନଆରଡବ୍ଲ୍ୟୁଏ ଏହାର ପ୍ରତିକ୍ରିୟାରେ କହିଛି ଯେ ଜାତିସଂଘରେ ଚାଲିଥିବା ସ୍ୱାଧିନ ଅନୁସନ୍ଧାନରେ ଏହାକୁ ଅନ୍ତର୍ଭୂକ୍ତ କରାଯାଇ ପାରିବ।


ୟୁଏନଆରଡବ୍ଲ୍ୟୁଏ ଯୋଗାଯୋଗ ବିଭାଗ ମୁଖ୍ୟ ଜୁଲିଅଟ ଟୌମା କହିଛନ୍ତି ଯେ, ୟୁଏନଆରଡବ୍ଲ୍ୟୁଏ କୌଣସି ସଂସ୍ଥାକୁ ଉତ୍ସାହିତ କରେ ଯାହାର ୟୁଏନଆରଡବ୍ଲ୍ୟୁଏ କର୍ମଚାରୀଙ୍କ ବିରୋଧରେ ହୋଇଥିବା ଗମ୍ଭୀର ଅଭିଯୋଗ ବିଷୟରେ କୌଣସି ସୂଚନା ଅଛି। ଯାହାକୁ ଜାତିସଂଘ ଦ୍ୱାରା ଯାଞ୍ଚ କରିବାକୁ ସେ କହିଛନ୍ତି। ପାଲେଷ୍ଟାଇନ ନେତା ଅଭିଯୋଗ କରିଛନ୍ତି ଇସ୍ରାଏଲ ରାଜନୈତିକ ଦୃଷ୍ଟିକୋଣରୁ ୟୁଏନଆରଡବ୍ଲ୍ୟୁଏ ବିରୋଧରେ ଅଭିଯୋଗ ଆଣୁଛି। ଅନ୍ୟପକ୍ଷରେ ୟୁଏନଆରଡବ୍ଲ୍ୟୁଏ ପାଣ୍ଠି ଯୋଗାଇବା ଲାଗି ସେମାନେ ଇସ୍ରାଏଲ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି।


ମିଳିତ ଜାତିସଂଘର ରିଲିଫ ଏବଂ ସହାୟତା ଏଜେନ୍ସି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ୧୩,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଥାଏ। ଏପରିକି ଗାଜା ଠାରେ ବସବାସ କରୁଥିବା ୨୩ ଲକ୍ଷ ଜନସଂଖ୍ୟାରୁ ଅଧାରୁ ଅଧିକ ଲୋକଙ୍କୁ ଦୈନିକ ସହାୟତା ଯୋଗାଇଥାଏ। ପ୍ରାୟ ୫ ମାସର ଯୁଦ୍ଧ ସମୟରେ ଏହି ଏଜେନ୍ସି ଉପରେ ଆର୍ଥିକ ଚାପ ବଢିବାରେ ଲାଗିଛି। 


ଅନ୍ୟପକ୍ଷରେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ହମାସ ଭଳି ଆତଙ୍କବାଦୀ ସଙ୍ଗଠନକୁ ମାଟିରେ ନ ମିଶାଇବା ପର୍ଯ୍ୟନ୍ତ ଏବଂ ଗାଜା ଠାରେ ବନ୍ଧକ ରହିଥିବା ଦେଶର ୧୦୦ ଜଣରୁ ଅଧିକ ଲୋକଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ଇସ୍ରାଏଲ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ଅକ୍ଟୋବର ୭ ତାରିଖରେ ହମାସ ଦ୍ୱାରା ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ରହିଥିଲେ। ଏହା ବ୍ୟତୀତ ହମାସ ୨୫୩ ଜଣଙ୍କୁ ବନ୍ଧକ କରି ନେଇଥିଲେ। ଅନ୍ୟପକ୍ଷରେ ଗାଜା ସ୍ୱାସ୍ଥ୍ୟ ସେବା ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ ପକ୍ଷରୁ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ପାଲେଷ୍ଟାଇନୀ ନାଗରିକଙ୍କ ମୃତ୍ୟୁ ହୋଇସାରିଛି।