Jajpur Bus Accident Update: ଯାଜପୁର ଜିଲ୍ଲା ବାରବାଟୀ ଠାରେ ହୋଇଥିବା ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହିତ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧାା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୋମବାର ରାତିରେ ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏ ଓଭର ଠାରୁ ତଳକୁ ଖସି ପଡ଼ିଥିଲା। ଏହି ଘଟଣାରେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା। ସେହିପରି ୫ ଜଣ ଗୁରୁତର ରହିଥିବାର କୁହାଯାଉଥିଲା। ଏହା ସହିତ ୪୦ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବାର କୁହାଯାଉଛି। ଏହି ବସ୍ ରେ ମୋଟ ୫୦ ଜଣରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିଲେ ବୋଲି କୁହାଯାଉଛି। ପରେ ମୃତକଙ୍କ ସଂଖ୍ୟା ବଢି ୫ ହୋଇଯାଇଛି।



ଦୁର୍ଘଟଣାଗ୍ରସ୍ତ ବସ୍  ପୁରୀ ଠାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା। ଭାରସ୍ୟାମ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ ଜଣ ପୁରୁଷ ରହିଥିବା କୁହାଯାଉଛି। ସିଡିଏମ, ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସହାୟତା କରୁଛନ୍ତି। ଏହା ସହିତ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ଜଣାପଡିଛି। ଉଦ୍ଧାରକାର୍ଯ୍ୟରେ କ୍ରେନ ବ୍ୟବହାର କରାଯାଇଛି। ପ୍ରାୟ ୨୦ ଆମ୍ବୁଲାନ୍ସ ଯୋଗେ ଆହତକୁ ସ୍ଥାନାନ୍ତର କରାଯାଇଛି। କେଉଁ କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ।