Korean Airlines Flight Collided with Cathay Pacific Airways Flight: ଦୁର୍ଘଟଣା ପାଇଁ ପୁନର୍ବାର ଚର୍ଚ୍ଚାକୁ ଆସିଛି ଆଉ ଏକ ଜାପାନ ବିମାନ ବନ୍ଦର। ବିଗତ ୧୫ ଦିନ ମଧ୍ୟରେ ଦେଶର ଦୁଇଟି ବିମାନ ବନ୍ଦରରେ ଦୁଇଟି ବିମାନ ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡ଼ିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏନେଇ ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଦେଶର ଉତ୍ତର ହକ୍କାଇଡୋ ଦ୍ୱୀପରେ ଅବସ୍ଥିତ ରହିଥିବା ନ୍ୟୁ ଚିଟୋଜ ବିମାନବନ୍ଦରରେ ଏକ କୋରିଆନ୍ ଏୟାରଲାଇନ୍ସର ବିମାନ, କ୍ୟାଥେ ପାସିଫିକ୍ ଏୟାରୱେଜ୍ ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଅନ୍ୟପଟେ ନ୍ୟୁ ଚିଟୋଜ ବିମାନବନ୍ଦର ପକ୍ଷରୁ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।


COMMERCIAL BREAK
SCROLL TO CONTINUE READING

ଏନେଇ କୋରିଆ ଏୟାରଲାଇନ୍ସ (Korean Airlines) ପକ୍ଷରୁ କୁହାଯାଉଛି ଯେ କୋରିଆ ବିମାନ (Korean Airlines Flight) ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କ୍ୟାଥେ ପାସିଫିକ୍ ଏୟାରୱେଜ୍ ବିମାନ (Cathay Pacific Airways Flight) ସହିତ ମୁହାଁମୁହିଁ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, କୋରିଆ ବିମାନରେ ମୋଟ ୨୮୯ ଜଣ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟ ରହିଥିଲେ। ହେଲେ କ୍ୟାଥେ ପାସିଫିକ୍ ଏୟାରୱେଜ୍ ବିମାନରେ କେତେ ସଂଖ୍ୟକ ଯାତ୍ରୀ ରହିଥିଲେ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ।


ଜଣେ କୋରିଆ ଏୟାରଲାଇନ୍ସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ କୋରିଆନ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିଲା। ଯେଉଁ ସ୍ଥାନରେ ବିମାନ ବନ୍ଦର ରହିଛି ସେଠାରେ ତୁଷାରପାତ ହୋଇଥିବା କାରଣରୁ ବିମାନଟି ଖସି ଯାଇଥିଲା। ଯାହାର ବାମ ପାର୍ଶ୍ୱର ଡେଣା କ୍ୟାଥେ ପାସିଫିକ୍ ଏୟାରୱେଜ୍ ବିମାନର ଡାହାଣ ପାର୍ଶ୍ୱର ଡେଣା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ  କୋରିଆନ୍ ଏୟାରଲାଇନ୍ସ ପକ୍ଷରୁ କରାଯାଇ ପ୍ରାରମ୍ଭିକ ଆକଳନରେ ଏହାର କାରଣ ସମ୍ପର୍କରେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଇଛି ତୁଷାରପାତ କାରଣରୁ ଫସି ରହିଥିବା ବିମାନକୁ ଟାଣି ବାହାର କରୁଥିବା ଗ୍ରାଉଣ୍ଡ ହ୍ୟାଣ୍ଡଲର୍ (Ground Handler) କାରଣରୁ ଏପରି ଦୁର୍ଘଟଣା ଘଟିଥିଲା।


ବିଗତ ୧୫ ଦିନ ଜାପାନ ବିମାନ ବନ୍ଦରରେ ଘଟିଯାଇଛି ଦ୍ୱିତୀୟ ଦୁର୍ଘଟଣା। ପୂର୍ବରୁ ଜାପାନ ଏୟାରଲାଇନ୍ସ ଏୟାରବସ୍ ଏ୩୫୦ (Japan Airlines Airbus A350 Flight) ହନେଡା ବିମାନ ବନ୍ଦରରେ (Haneda International Airport Japan) ଅବତରଣ କରିବାର କିଛି ସମୟ ପରେ ଡି ହାଭିଲାଣ୍ଡ ଡ୍ୟାସ୍-୮ କୋଷ୍ଟଗାର୍ଡ ଟର୍ବୋପ୍ରୋପ (De Havilland Dash-8 Coast Guard Turboprop Japan Coast Guard) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ପରେ ଜାପାନ ଏୟାରଲାଇନ୍ସ ବିମାନରେ ହୋଇଥିଲା ଏକ ବଡ଼ ଧରଣର ଅଗ୍ନିକାଣ୍ଡ। ଏହି ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବାର କୁହାଯାଇଥିଲା। ଏହି ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଏୟାରବସ୍ ଏ୩୫୦ ବିମାନ ଜଳିବା ଅବସ୍ଥାରେ ରନୱେ ଠାରେ ଗତିଶୀଳ ଅବସ୍ଥାରେ ରହିଥିଲା।