Kargil Vijay Diwas: ଜୁଲାଇ ୨୬ ତାରିଖ ବୁଧବାର ଦେଶ ପାଳନ କରିବାକୁ ଯାଉଛି ୨୪ ତମ କାର୍ଗିଲ ବିଜୟ ଦିବସ। ଭାରତୀୟ ସେନାର ସାହସିକତା, ଶକ୍ତି, ସାହସିକତାକୁ ସମଗ୍ର ବିଶ୍ୱ ସ୍ୱୀକୃତି ଦେଇଛି। ଏହି ଆଧାରରେ ଭାରତ ଏଭଳି ଯୁଦ୍ଧ କରିଛି, ଯାହା ଆଜି ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି। କାର୍ଗିଲ ଯୁଦ୍ଧ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୯୯ ମସିହା ମେ ମାସରେ ଜାମୁ କାଶ୍ମୀରର କାର୍ଗିଲ ଜିଲ୍ଲା ଦଖଲ କରିବାକୁ ପାକିସ୍ତାନୀ ସୈନ୍ୟଙ୍କ ଉଦ୍ୟମକୁ ରୋକିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ବିଜୟ। କାର୍ଗିଲ ଯୁଦ୍ଧ ୧୯୯୯ ମସିହା ମେ ୩ ତାରିଖରୁ ଆରମ୍ଭ ହୋଇଥିଲା। ଯେତେବେଳେ ପାକିସ୍ତାନ ୫ ହଜାରରୁ ଅଧିକ ସୈନିକଙ୍କ ସହ କାର୍ଗିଲ ଠାରେ ଅନୁପ୍ରବେଶ କରି ସେଠାକାର ପାହାଡ଼ିଆ ଅଞ୍ଚଳକୁ କବଜା କରି ନେଇଥିଲା। ଭାରତୀୟ ସୈନିକ ପାକିସ୍ତାନ ସେନାର ଏପରି ଷଡ଼ଯନ୍ତ୍ର ବାବଦରେ ଜାଣିବା ମାତ୍ରେ ସେମାନଙ୍କୁ ଘଉଡାଇବା ପାଇଁ "ଅପରେସନ୍ ବିଜୟ"  ଆରମ୍ଭ କରିଥିଲେ।


COMMERCIAL BREAK
SCROLL TO CONTINUE READING

କିପରି ପାକିସ୍ତାନୀ ସୈନିକଙ୍କ ଅନୁପ୍ରବେଶ ଜାଣିବାକୁ ପାଇଲା ଭାରତୀୟ ସେନା?
୨୩ ବର୍ଷ ପୂର୍ବରୁ ଶେଷ ହୋଇଥିବା ଲଦାଖର ଉଚ୍ଚ ଶିଖରରେ କାର୍ଗିଲ ଯୁଦ୍ଧ। ଏପରି ଏକ ଯୁଦ୍ଧ ଥିଲା, ଯେଉଁଥିରେ ଭାରତୀୟ ସେନାବାହିନୀକୁ ୧୮ ହଜାର ଫୁଟରୁ ଅଧିକ ଉଚ୍ଚରେ ଲୁଚିଥିବା ଶତ୍ରୁ ପକ୍ଷର ସୈନିକଙ୍କୁ ହତ୍ୟା କରିବାକୁ ପଡ଼ିଥିଲା। ଏହି ଯୁଦ୍ଧରେ ଜିତିବା ପାଇଁ ପାକିସ୍ତାନ 'ଅପରେସନ୍ ବଦର୍' (Operation Badr) ଆରମ୍ଭ କରିଥିଲା। ହେଲେ ଭାରତ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା 'ଅପରେସନ୍ ବିଜୟ' (Operation Vijay) ପାକିସ୍ତାନ ସେନା ଆଗରେ ଭାରୀ ପଡ଼ିଥିଲା। ଏହି ଯୁଦ୍ଧରେ ପାକିସ୍ତାନ ପ୍ରାୟ ୭୦୦ ସୈନିକଙ୍କୁ ହରାଇଥିଲା। 


କାର୍ଗିଲ ଶିଖରରେ ୧୯୯୯ ମସିହାରେ ମେ ମାସରୁ ଜୁଲାଇ ମଧ୍ୟରେ ଭାରତ-ପାକିସ୍ଥାନ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା। ଏହି ଯୁଦ୍ଧ ମାଧ୍ୟମରେ ପାକିସ୍ତାନ କାଶ୍ମୀରକୁ ଲଦାଖ ସହ ଯୋଡୁଥିବା ଏକମାତ୍ର ରାସ୍ତା ସହିତ ସିଆଚିନ କ୍ଷେତ୍ରକୁ ଦଖଲ କରିବାକୁ ଚାହୁଁଥିଲା। ଏହା ସହିତ ସିଆଚେନ୍ ଗ୍ଲେସିଅର ଠାରୁ ଭାରତୀୟ ସେନାକୁ ହଟାଇବା ପାକିସ୍ତାନର ଲକ୍ଷ୍ୟ ଥିଲା। ଏନେଇ ତତ୍କାଳୀନ ପାକିସ୍ତାନ ସେନା ଜେନେରାଲ ପରଭେଜ ମୁଶରଫଙ୍କ ନେତୃତ୍ୱରେ ଏକ ଷଡଯନ୍ତ୍ର ହୋଇଥିଲା।  ଯାହାର "ଅପରେସନ୍ ବଦର" ନାମରେ ପରିଚିତ ଥିଲା। ମୁଜାହିଦ୍ଦିନଙ୍କ ନାମରେ ପ୍ରାୟ ୫ ହଜାର ସେନାକୁ କାର୍ଗିଲ ପଠାଇଥିଲେ ପାକିସ୍ତାନ।


୬୦ ଦିନର ଯୁଦ୍ଧରେ ୫୨୭ ଯବାନଙ୍କୁ ହରାଇଥିଲା ଭାରତ
ଏହି ଯୁଦ୍ଧରେ ପାକିସ୍ତାନୀ ସେନା ଧିରେ ଧିରେ କାର୍ଗିଲ ଉଚ୍ଚ ଶିଖରକୁ ଦଖଲ କରିଥଲେ। ଯାହା ସମ୍ପର୍କରେ ଭାରତ ପ୍ରଥମେ କିଛି ଜାଣିପାରି ନଥିଲା। ପାକିସ୍ତାନୀ ସେନା ମଧ୍ୟ ସେମାନଙ୍କ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀ ଆଣିଥିଲେ। ଦୀର୍ଘ ଯୁଦ୍ଧ ପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତ କରିଥିଲେ। ଯେତେବେଳେ ଭାରତ ପାକିସ୍ତାନ ସେନାର ଏପରି ଷଡଯନ୍ତ୍ରର ସୂଚନା ପାଇଲା, ସେତେବେଳେ ପାକିସ୍ତାନୀ ସେନାକୁ ଏକ ଶିକ୍ଷା ଦେବା ପାଇଁ ଅପରେସନ୍ ବିଜୟ ଆରମ୍ଭ ହୋଇଥିଲା। ପାକିସ୍ତାନ ସହ ଯୁଦ୍ଧ କରିବା ପାଇଁ ଭାରତ ସରକାର ୨ ଲକ୍ଷ ସୈନ୍ୟଙ୍କୁ କାର୍ଗିଲ ପଠାଇଥିଲେ। ଏହି ଅପରେସନ୍ ପ୍ରାୟ ୬୦ ଦିନ ଧରି ଚାଲିଥିଲା। ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା କାର୍ଗିଲ ଯୁଦ୍ଧ। ଏହି ଯୁଦ୍ଧରେ ୫୨୭ ଭାରତୀୟ ଯବାନ ଶହୀଦ ହୋଇଥିଲେ।


୩୦ ହଜାର ଭାରତୀୟ ସେନା ଏବଂ ୫ ହଜାର ଅନୁପ୍ରବେଶକାରୀ
ଯୁଦ୍ଧ ସମୟରେ ପାକିସ୍ତାନ ଦାବି କରିଥିଲା ଯେ ସମସ୍ତ କାଶ୍ମୀରବାସୀ ସଂଗ୍ରାମ କରୁଛନ୍ତି। କିନ୍ତୁ ଯୁଦ୍ଧ ପରେ ଆସିଥିବା ଦସ୍ତାବିଜ ଏବଂ ପାକିସ୍ତାନୀ ନେତାଙ୍କ ବିବୃତ୍ତି ମଧ୍ୟ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପାକିସ୍ତାନ ନେତାଙ୍କ ବିବୃତ୍ତି ପରବର୍ତ୍ତି ସମୟରେ ଯୁଦ୍ଧରେ ପାକିସ୍ତାନୀ ସେନା ସିଧାସଳଖ ଜଡିତ ଥିବା ନେଇ ପ୍ରମାଣିତ ହୋଇଥିଲା। ଏହି ଯୁଦ୍ଧରେ ପ୍ରାୟ ୩୦ ହଜାର ଭାରତୀୟ ସେନା ଏବଂ ୫ ହଜାର ପାକିସ୍ତାନୀ ଅନୁପ୍ରବେଶକାରୀ ସିଧାସଳଖ ମୁହାଁମୁହିଁ ହୋଇଥିଲେ। ଭାରତୀୟ ସ୍ଥଳ ସେନା ଏବଂ ବାୟୁସେନାର ମିଳିତ ଅଭିଯାନରେ କାର୍ଗିଲ ଶିଖରରେ ଲୁଚିଥିବା ପାକିସ୍ତାନୀ ସେନାଙ୍କୁ ଆକ୍ରମଣ କରାଯାଇଥିଲା। ଭାରତ ପକ୍ଷରୁ ହୋଇଥିବା ଜବରଦସ୍ତ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏକଘରିଆ ହୋଇଥିବା ପାକିସ୍ତାନ କାର୍ଗିଲ ଶିଖରରୁ ପଛକୁ ହଟିବାକୁ ବାଧ୍ୟ ହୋଇଥିଲା। 


ଭାରତୀୟ ବାୟୁସେନା 
ଏହି ଯୁଦ୍ଧରେ ଭାରତୀୟ ବାୟୁସେନା ପାକିସ୍ତାନ ବିରୋଧରେ ମିରାଜ, ମିଗ-୨୭ ଏବଂ ମିଗ-୨୯ ବ୍ୟବହାର କରିଥିଲା। ଏହି ବିମାନ କାର୍ଗିଲ ଶିଖରକୁ ଦଖଲ କରୁଥିବା ଶତ୍ରୁଙ୍କ ଉପରେ ଅନବରତ ଭାବେ ବୋମାମାଡ଼ କରିଥିଲେ। ମିଗ୍-୨୯ ବିମାନ ସହାୟତାରେ ପାକିସ୍ତାନ ସେନା ଉପରେ R-77 କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧରେ ବହୁ ସଂଖ୍ୟକ ରକେଟ୍ ଏବଂ ବୋମା ବ୍ୟବହାର କରାଯାଇଥିଲା। ଏହି ଯୁଦ୍ଧରେ ବୋଫର୍ସ ତୋପ ମଧ୍ୟ ଭାରତ ବ୍ୟବହାର କରିଥିଲେ। ଯାହା ପାକିସ୍ତାନ ସେନା ପାଇଁ କାଳ ସାଜିଥିଲା। ଏହି ତୋପ ସାହାଯ୍ୟରେ ପ୍ରାୟ ୨ ଲକ୍ଷ ୫୦ ହଜାର ଗୁଳିମାଡ଼ କରାଯାଇଥିଲା। ଏହା ସହିତ ୫ ହଜାରରୁ ଅଧିକ ମୋର୍ଟାର, ତୋପ ଏବଂ ରକେଟ୍ ବ୍ୟବହାର କରାଯାଇ ୫ ହଜାର ବୋମାମାଡ଼ କରାଯାଇଥିଲା। ଯୁଦ୍ଧର ୧୭ ଦିନ ମଧ୍ୟରେ ପ୍ରତି ଦିନ ପ୍ରତି ମିନିଟ ବ୍ୟବଧାନରେ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।