national sports day: ଭୁବନେଶ୍ୱର: କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ଗୁରୁବାର ରାଜ୍ୟସ୍ତରୀୟ ଉତ୍ସବ ଲୋକସେବା ଭବନରେ ପାଳନ କରାଯାଇଛି। ଏହି ଅବସରରେ କ୍ରୀଡା କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେଷଙ୍କୁ ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଖେଳାଳିରୁ ପ୍ରଶିକ୍ଷକ ପାଲଟିଥିବା ଅଲମ୍ପିଆନ ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପୁରସ୍କାର ମିଳିଥିବା ବେଳେ ଏସୀୟ କ୍ରୀଡା ରୌପ୍ୟ ବିଜେତା ପ୍ୟାରିସ ଅଲମ୍ପିଆନ କିଶୋର କୁମାର ଜେନାଙ୍କୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ସମ୍ମାନ ପାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ପୁରସ୍କାର ବାବଦରେ ଲାଜରୁସ ଓ କିଶୋରଙ୍କୁ ଯଥାକ୍ରମେ ୪ ଲକ୍ଷ ଓ ୩ ଲକ୍ଷ ଟଙ୍କା ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ୧୪ ବର୍ଷୀୟ ଭାରୋତ୍ତଳକ ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ସୁକେଶ ବେହେରାଙ୍କୁ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ଭାବେ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କା ଓ ମାନପତ୍ର ଏବଂ ଫଳକ ପ୍ରଦାନ କରାଯାଇଥିଲା। ରୂପନ୍ୱିତା ପଣ୍ଡାଙ୍କୁ ଶ୍ରେଷ୍ଠ ଟେକନିକାଲ ଅଫିସର, ବିଶ୍ୱକପ ବିଜେତା ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର ଇକବାଲଙ୍କୁ ଶ୍ରେଷ୍ଠ ପାରାକ୍ରୀଡାବିତ, ହକି ଗୁରୁ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିଥିଲା। 


ସେହିପରି କ୍ରୀଡା ପ୍ରୋତ୍ସାହନ ପାଇଁ ନାଲକୋକୁ ପୁରସ୍କୃତ କରାଯାଇଛି। ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଓ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ। ଉବୟ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।