Rajasthan New CM and Deputy CM: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି। ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ରାଜନୈତିତ ମହଲରେ ଜାରି ରହିଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ବସୁନ୍ଧରା ରାଜେ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଦିୟା କୁମାରୀ, ମହନ୍ତ ବାଲକନାଥ, ଗଜେନ୍ଦ୍ର ସିଂହ ଶେଖାୱତ, କିରୋଡ଼ି ଲାଲ ମୀଣା ଏପରିକି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମିଲ ହୋଇଛନ୍ତି। ହେଲେ ଦଳର କେଉଁ ନେତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସାଯିବ ସେ ନେଇ ବିଜେପି ନେତୃବୃନ୍ଦ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।


COMMERCIAL BREAK
SCROLL TO CONTINUE READING

ସଦ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏକ ଚିଠି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ବିଜେପି ମହନ୍ତ ବାଳକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ  ମଧ୍ୟ ନିଯୁକ୍ତ କରାଯାଇଛି। ଏବେ ଆମେ ଆପଣଙ୍କୁ କହିବୁ ଭାଇରାଲ ହେଉଥିବା ସେହି ଚିଠିରେ କେତେ ସତ୍ୟତା ରହିଛି?


ନକଲି ଚିଠି ହେଉଛି ଭାଇରାଲ
ଭାଇରାଲ ହେଉଥିବା ଚିଠିରେ ଦାବି କରାଯାଇଛି ଯେ ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟର ତିଜରା ଆସନରୁ ନିର୍ବାଚିତ ହୋଇଥିବା ଅଲୱର ସାଂସଦ ବାଳକନାଥଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରାଯିବ। ସେହିପରି ଦଳର ବରିଷ୍ଠ ନେତା ତଥା ସୱାଇ ମାଧୋପୁର ଆସନରୁ ନିର୍ବାଚିତ ହୋଇଥିବା କିରୋଡ଼ୀ ଲାଲ ମୀଣା ଏବଂ ବିଦ୍ୟାଧର ନଗର ଆସନରୁ ନିର୍ବାଚିତ ହୋଇଥିବା ଦିୟା କୁମାରୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଏଭଳି ଚିଠି ଭାଇରାଲ ହେବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ରାଜସ୍ଥାନ ବିଜେପି। ଏନେଇ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ ସମ୍ପର୍କରେ ଯେଉଁ ଚିଠି ମାଧ୍ୟମରେ ଘୋଷଣା କରାଯାଇଛି ତାହା ସମ୍ପୂର୍ଣ୍ଣ ନକଲି।


ସ୍ପଷ୍ଟୀକରଣ ରଖିଲା ବିଜେପି
ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ସମ୍ପର୍କରେ ଭାଇରାଲ ହେଉଥିବା ଚିଠି ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ବିଜେପି। ଭାଇରାଲ ହେଉଥିବା ଚିଠି ନକଲି ବୋଲି ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି ନକଲି ଚିଠିର ଶୀର୍ଷକରେ ଦଳର ନାମ ମଧ୍ୟ ଲେଖାଯାଇଛି। ଏହି ଚିଠି ଭାଇରାଲ ହେବା ମାତ୍ରେ ଦଳକୁ ସ୍ପଷ୍ଟୀକରଣକୁ ଦେବାକୁ ହୋଇଥିଲା ଆପଣଙ୍କୁ କହିରଖୁଛୁ ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେତ ବିଜେପି ନେତାଙ୍କ ସମ୍ପର୍କରେ ଆଲୋଚନା କରାଯାଉଛି। ହେଲେ ଦଳ ଏହି ପ୍ରସଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ସେ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ନିରନ୍ତର ବୈଠକ କରାଯାଉଛି। ବୁଧବାର ଦିୟା କୁମାର, ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସହ ବହୁ ନେତା ଦିଲ୍ଲୀରେ ଉପସ୍ଥିତ ରହିଥିଲେ। ରାତିରେ ଖବର ଆସିଛି ଯେ ବସୁନ୍ଧରା ରାଜେଙ୍କୁ ଦିଲ୍ଲୀ ଡକାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜସ୍ଥାନରୁ ଦିଲ୍ଲୀ ଯାଇଥିଲେ।



ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩
୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି। ରାଜ୍ୟର ମୋଟ ୨୦୦ ଆସନ ମଧ୍ୟରୁ ୧୯୯ ଆସନରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ। ଅନ୍ୟ ଏକ ଆସନରେ ନିର୍ବାଚନ ସ୍ଥଗିତ ରହିଛି। ମୋଟ ୨୦୦ ସିଟ୍ ମଧ୍ୟରୁ ବିଜେପି ୧୧୫, କଂଗ୍ରେସ ୬୯, ଭାରତ ଆଦିବାସୀ ପାର୍ଟି ୩, ବହୁଜନ ସମାଜ ପାର୍ଟି ୨, ରାଷ୍ଟ୍ରୀୟ ଲୋକ ଦଳ ୧, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୧ ଏବଂ ସ୍ୱାଧିନ ୮ ଆସନ ପାଇଛନ୍ତି। ମୋଟ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ସରକାର ଗଠନ କରିବା ଲାଗି ୧୦୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟର ୧୯୯ ଆସନରେ ମତଦାନ ହୋଇଥିବାରୁ ସରକାର ଗଠନ ଲାଗି ବର୍ତ୍ତମାନ ୧୦୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ।