Maulana Mahmood Asad Madani: ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଆସନ୍ତା ବର୍ଷ ଜାନୁୟାରୀ ୨୨ ତାରିଖରେ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଯେଉଁ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ସାଦରରେ ଗ୍ରହଣ କରିଛନ୍ତି। ଏହି ଜାତୀୟ ଐତିହ୍ୟକୁ ପ୍ରଧାନମନ୍ତ୍ରୀ ୨ ମାସ ପରେ ଦେଶବାସୀଙ୍କୁ ଉତ୍ସର୍ଗ କରିବେ। ହେଲେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନକୁ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇ ନିମନ୍ତ୍ରଣକୁ ନେଇ ତାତି ଉଠିଛି ଦେଶର ସବୁଠାରୁ ବଡ଼ ମୁସଲିମ ସଙ୍ଗଠନ ଜମିୟତ୍ ଉଲେମା ଇ ହିନ୍ଦ୍। ଜମିୟତ୍ ସଦର ମୌଲାନା ମହମୁଦ ଅସାଦ ମଦାନୀ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇ କହିଛନ୍ତି ଯେ ରାମ ଜନ୍ମଭୂମି-ବାବ୍ରି ମସଜିଦ ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ହେଉଛି ଭୁଲ। ଏହି ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ ନ କରିବା ପାଇଁ ଜମିୟତ୍ ସଦର ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଦାନ ଭାବରେ ଦିଆଯାଇଥିବା ଜମି ଗ୍ରହଣୀୟ ନୁହେଁ'
ଜମିୟତ୍ ଉଲେମା ଇ ହିନ୍ଦ୍ (Jamiat Ulema e Hind) ଅଧ୍ୟକ୍ଷ ମୌଲାନା ମହମୁଦ ଅସାଦ ମଦାନୀ (Maulana Mahmood Asad Madani) ଏଠାରେ ଅଟକି ଯାଇନାହାଁନ୍ତି। ଉତ୍ତର ପ୍ରଦେଶ (Uttar Pradesh) ଅଯୋଧ୍ୟା ଜିଲ୍ଲାର ଧନୀପୁର ଠାରେ ନିର୍ମାଣ ହେବାକୁ ଯାଉଥିବା ମସଜିଦ (Ayodhya Mosque) ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବାକୁ ନେଇ ସେ କିଛି ମୁସଲମାନ ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୌଲାନା ମଦାନୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ (Supreme Court Verdict on Ayodhya) ଆମେ ଗ୍ରହଣ କରୁନାହୁଁ। ମସଜିଦ ନିର୍ମାଣ ପାଇଁ ଦାନ ଭାବରେ ଦିଆଯାଇଥିବା ଜମିକୁ ମଧ୍ୟ ଗ୍ରହଣ କରାଯାଇପାରିବ ନାହିଁ।



ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପୂର୍ଣ୍ଣ ଭୁଲ୍
ଜମିୟତ୍ ସଦର ମୌଲାନା ମହମୁଦ ଅସାଦ ମଦାନୀ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ଜମିୟତ୍ ଉଲେମା ଇ ହିନ୍ଦ୍ ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏନେଇ ଦେଶର ସବୁଠାରୁ ବଡ଼ ମୁସଲିମ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଭୁଲ ନୀତି ଏବଂ ଆଧାରରେ ଭୁଲ ପରିବେଶରେ ଏହି ମାମଲାରେ ରାୟ ଶୁଣାଯାଇଛି। ଯାହା ଆଇନଗତ ନୁହେଁ। ଯାହା ମଧ୍ୟ ଐତିହାସିକ ତଥ୍ୟ ବିରୋଧି। ମୌଲାନା ମଦାନୀ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ କୌଣସି ଧାର୍ମିକ ସ୍ଥଳର ଉଦଘାଟନ କରିବାକୁ ଯିବା ଠିକ୍ ନୁହେଁ।


ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୌଲାନା ମଦାନୀଙ୍କ ପରାମର୍ଶ
ଜମିୟତ୍ ସଦର ମୌଲାନା ମହମୁଦ ଅସାଦ ମଦାନୀ କହିଛନ୍ତି ଯେ କୌଣସି ଧାର୍ମିକସ୍ଥଳ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରହିବା ଆବଶ୍ୟକ। କୌଣସି ଧାର୍ମିକ ଅନୁଷ୍ଠାନ ଧାର୍ମିକ ବ୍ୟକ୍ତିଙ୍କ ଦ୍ୱାରା କରାଯିବା  ଆବଶ୍ୟକ। ଏହି ଅବସରରେ ମୌଲାନା ମଦାନୀ ସବୁ ସ୍ତରରେ ଜମିୟତ୍ ଉଲେମା ଇ ହିନ୍ଦ୍ ପଦାଧିକାରୀଙ୍କୁ ଚେତାବନୀ ଦେଇଛନ୍ତି। ଜମିୟତ୍ ଉଲେମା ଇ ହିନ୍ଦ୍ ଆଭିମୁଖ୍ୟ ବିରୋଧରେ କୌଣସି ଦାୟିତ୍ୱହୀନ ବିବୃତ୍ତି ଦେବାରୁ ଦୂରେଇ ରହିବା ଆବଶ୍ୟକ। ନଚେତ୍ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୌଲାନା ମଦାନୀ କହିଛନ୍ତି।