ଭୁବନେଶ୍ୱର: ବର୍ଷ ସରିବାକୁ ଆଉ କିଛି ଘଣ୍ଟା ବାକି। ଆଉ ଗୋଟିଏ କ୍ୟାଲେଣ୍ଡର ବଦଳିବ। କିଏ କେଉଁ ପ୍ରକାରେ ଏହି କ୍ୟାଲେଣ୍ଡର ବର୍ଷକୁ ସ୍ୱଗତ କରିବେ ସେଥିଲାଗି ପ୍ରସ୍ତୁତ ହେଲେଣି। କିଛି ଯୋଜନାବଦ୍ଧ ରହିଛି ଆଉ କିଛି ଆକସ୍ମିକ ଘଟଣାକୁ ବି ଅପେକ୍ଷା କରିଛନ୍ତି। ଏ ଭିତରେ ରାଜ୍ୟ ରାଜନୀତିକ ଦୃଶ୍ୟପଟରେ ଅନେକ ସମ୍ଭାବନା ଓ ଆଶଙ୍କା ଉଙ୍କି ମାରୁଛି। ନେତୃତ୍ୱ ଅପେକ୍ଷା ‘ରୂପାନ୍ତରଣ ବନାମ ଡବଲ୍‍ ଇଞ୍ଜିନ୍‍ ସରକାର’(double engine) ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି।  


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରରେ ନରେନ୍ଦ୍ର ମେଦୀଙ୍କ ଲୋକପ୍ରିୟତା କାରକଗୁଡ଼ିକୁ ପାଦେ ପାଦେ ଅନୁକରଣ କରୁଥିବା ରାଜ୍ୟରେ ବିଜେଡି ସରକାର ଆଗରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଆଉ ଏକମାତ୍ର ସମ୍ପତ୍ତି ହୋଇ ରହିନାହିଁ। ଏହାଠୁ ବଡ଼ ଯାହା ଚର୍ଚ୍ଚା କରାଯାଉଛି ତାହା ହେଉଛି ରୂପାନ୍ତରଣ। ୨୦୧୯ ନିର୍ବାଚନ ପର ପରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ ଉଦ୍ୟମକୁ ଏଥର ରାଜନୀତିକ ସଫଳତା ଭାବେ ଦଳ ଉପସ୍ଥାପନ କରିବା ଆରମ୍ଭ କରିଛି। ୨୦୨୩ ଶେଷ ଆଡ଼କୁ ଏହାର ଝଲକ ଦେବାକୁ ମିଳିଥିଲା ଆଉ ୨୦୨୪ରେ ପୂରା ପ୍ରକ୍ରିୟାକୁ ସ୍ପଷ୍ଟ କରିବ ଦଳ। 


ଏହିକ୍ରମରେ ପ୍ରଥମେ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେନ୍ଦ୍ର ସରକାର ଯେଉଁପରି ଭାବେ ଅଯୋଧ୍ୟାକୁ ଡବଲ ଇଞ୍ଜିନ୍‍ ସରକାରରେ ସଫଳତାର ପାଦ ଚିହ୍ନ ଭାବେ ଗ୍ରହଣ କରି ପ୍ରଚାର କରୁଛନ୍ତି, ଠିକ୍‍ ସେମିତି ରାଜ୍ୟରେ ସ୍ଥାନ ନେଇଛି ପୁରୀ- ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ରରେ ରୂପାନ୍ତରଣ ସାରା ରାଜ୍ୟକୁ ପ୍ରଭାବିତ କରିବ ବୋଲି ଆଶା କରାଯାଇଛି। ଏହା ସହ ରାଜ୍ୟର ବିଭିନ୍ନ ଧର୍ମ ପୀଠକୁ ନିଜସ୍ୱ ପାଣ୍ଠି ବଳରେ ଆକର୍ଶିତ କରିବା ମଧ୍ୟ ସ୍ଥାନୀୟ ସ୍ତରରେ ବିଜେଡିର ଭୋଟ୍‍ ବ୍ୟାଙ୍କକୁ ସୁଦୃଢ କରିଥିବା କୁହାଯାଉଛି।  


କେନ୍ଦ୍ର ସରକାର ରାଜ୍ୟରେ ବନ୍ଦେ ଭାରତ, ଅମୃତ ଭାରତ ଟ୍ରେନ ଚଳାଇ ସଂଯୋଗ ଓ ବିକାଶର ବାର୍ତ୍ତା ଦେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଲକ୍ଷ୍ମୀ ବସ୍‍ ଜରିଆରେ ସାରା ଗ୍ରାମାଞ୍ଚଳରେ ଯୋଗାଯୋଗର ସେତୁ ବାନ୍ଧିଛନ୍ତି। ଆୟୁଷ୍ମାନ ଭାରତକୁ ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ପାଣି ପିଆଉଛି। ଉଜାଲା ମାଧ୍ୟମରେ ମହିଳାଙ୍କ ପାଖରେ ପହଞ୍ଚିପାରିଥିବା ବିଜେପିକୁ ରାଜ୍ୟରେ ମିଶନ ଶକ୍ତି ଧକ୍କା ପହଞ୍ଚାଇଛି। ବିଜେଡିର ମହିଳା ବଳକୁ ଏହି ମିଶନ ରାଜନୀତିକ ଶକ୍ତି ଦେଉଛି।  


ଅର୍ଥାତ୍‍ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ମାତ ଦେବା ଲାଗି ରାଜ୍ୟ ‘ଏନ୍ତୁଡ଼ିରୁ ଜୁଈ’ ଯାଏ ଯୋଜନା କରି ଲୋକଙ୍କୁ ଲାଭାନ୍ୱିତ କରିଥିବା କହିଛି। ହେଲେ ନିର୍ବାଚନ ରାଜନୀତିରେ କେବଳ ଲୋକହିତକର ଯୋଜନା ଏକମାତ୍ର ଅସ୍ତ୍ର ହୋଇ ନପାରେ।   ନେତା ବି ଗୁରୁତ୍ୱପୂର୍ଣ୍ଣ କାରକ ହୋଇପାରନ୍ତି।  ନେତାଙ୍କ ଭାବମୂର୍ତ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ବିଜେଡି ଏଥିଲାଗି ନବୀନଙ୍କୁ ହିଁ କେବଳ ପୋଷ୍ଟର ପୟ ନକରି ପାଣ୍ଡିଆନ୍‍ଙ୍କୁ ସେଇ ଦରଜା ଦେଇଛି। ପୁରୁଖା ନେତାଙ୍କୁ ସମ୍ମାନ ସହ ନୂଆ ଚେହେରାକୁ ଗୁରୁତ୍ୱ ଦେବା ଉଭୟ ଦଳ ଆରମ୍ଭ କରିଛନ୍ତି। ଏହିକ୍ରମରେ ଉଭୟ ଦଳର ଅନେକ ପୁରୁଖାଙ୍କ ମୁହଁ ମଳୀନ ପଡ଼ିବା ଆରମ୍ଭ କରିଛି। ଉଭୟ ଦଳର ସର୍ଭେକ୍ଷଣ ବାରମ୍ବାର ସରିଛି। ରିପୋର୍ଟ ଆଧାରରେ କେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର କର୍ମୀ ସମ୍ମିଳନୀରେ ଦେଖିବାକୁ ମିଳୁନି ତ ରାଜନୀତିକୁ ଆସି ମଧ୍ୟ ନିର୍ବାଚନ ନ ଲଢ଼ିବାକୁ ବିଜେଡିର ପୋଷ୍ଟର ବୟ ସାଜିଥିବା ପାଣ୍ଡିଆନ ପ୍ରତ୍ୟାଖ୍ୟାନ କରିଛନ୍ତି।   


ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶରେ ସାଂସଦଙ୍କୁ ବିଧାୟକ ଟିକେଟ୍‍ ଦେଇ ପାଇଥିବା ସଫଳତାକୁ ଏଠାରେ ଉପଯୋଗ କରିବାକୁ ଚାହିଁଛି। ୨୦୨୪ରେ ହୁଏତ ବିଶେଶ୍ୱର ଟୁଡୁ, ପ୍ରତାପ ଷଡ଼ଙ୍ଗୀ ଏବଂ ବସନ୍ତ ପଣ୍ଡାଙ୍କ ଭଳି ସାଂସଦ ବିଧାୟକ ଭାବେ ବିଜେଡି ସହ ମୁକାବିଲା କରିପାରନ୍ତି। ଅପରପକ୍ଷେ ବିଜୁ ଜନତା ଦଳ ବିଭିନ୍ନ ଅଧିକାରୀଙ୍କୁ ଟିକଟ ଦେଇ ଚିରାଚରିତ ରାଜନୀତିକ ପ୍ରାର୍ଥୀଙ୍କ ହ୍ରାସ ପାଉଥିବା ପ୍ରତିଚ୍ଛବି ହେତୁ ଦଳୀୟ କ୍ଷତିରୁ ବର୍ତ୍ତିବାକୁ ଚାହିଁଛି।  


ମୋଟାମୋଟି ଭାବେ ଦେଖିଲେ ୨୦୨୪ ରାଜନୀତି ଜମାଣିଆ ସ୍ଥିତିକୁ ଆସିଛି। ଏଥିରେ କଂଗ୍ରେସ ଆଉ ଖେଳାଳି ପଦବାଚ୍ୟ  ହୋଇ ରହିନାହିଁ, ବରଂ ରାଜ୍ୟ ରାଜନୀତିକ ପଡ଼ିଆରେ ଖେଳ ବିଜେଡି ବନାମ ବିଜେପି ହିଁ ରହିବା ନିଶ୍ଚିତ ହୋଇଛି।