Lift Irrigation Project has been idle for 3 years in Oupada Balasore:  ଭୁବନେଶ୍ୱର: ରାଜ୍ୟରେ ଜଳସେଚନକୁ ମଜଭୁତ କରିବା ପାଇଁ ସରକାର ଉଠା ଜଳସେଚନକୁ ଗୁରୁତ୍ୱ ଦେଉଛନ୍ତି। ଏପରି ପ୍ରକଳ୍ପ ଦ୍ୱାରା ଭୂତଳ ଜଳକୁ ଉପଯୋଗ କରି ଜଳ ସେଚନ ବ୍ୟବସ୍ଥା ନଥିବା ଜମିକୁ ଜଳସେଚନ କରାଯାଉଛି। ହେଲେ ଯଦି ଏହି ପ୍ରକଳ୍ପ ଥରେ ଅଚଳ ହୋଇଯାଉଛି ତାହେଲେ ଏହାର ମରାମତି କରିବାକୁ ଚାଷୀଙ୍କୁ ବାର ଦୁଆର ଦୌଡ଼ିବାକୁ ବାଧ୍ୟ କରୁଛନ୍ତି ସରକାର। ଖାଲି ସେତିକି ନୁହେଁ ମରାମତି ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଦାବି କରାଯାଉଛି। ସଦ୍ୟ ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି। ଯେଉଁଠାରେ ଉଠା ଜଳସେଚନ ନିଗମ ଏକ ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ସାଢ଼େ ଆଠ ଲକ୍ଷ ଟଙ୍କା ଦାବି କରିଛି। ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବାଲେଶ୍ୱର ଔପଦା ବ୍ଲକର କିଛି ଚାଷୀ। 


COMMERCIAL BREAK
SCROLL TO CONTINUE READING

ବାଲେଶ୍ୱର ଜିଲ୍ଲା ଓପଦା ବ୍ଲକରେ ଥିବା ପ୍ରତାପଡ଼ା ଉଠା ଜଳସେଚନ ପ୍ରକଳ୍ପ ଉପରେ ୧୯୮୬ ମସିହାରୁ ଚାଷୀ ନିର୍ଭର କରି ଆସୁଛନ୍ତି। ୧୬ ହେକ୍ଟର ଜମିରେ ଏହା ଚାଷ ପାଇଁ ପ୍ରମୁଖ ଜଳ ଉତ୍ସ ଥିବାରୁ ସରକାର ୨୦୧୫-୧୬ ମସିହାରେ ରାଜ୍ୟ ଯୋଜନା ପାଣ୍ଠିରୁ ଖର୍ଚ୍ଚ କରି ଏହାର ନବୀକରଣ କରିଥିଲେ। କିନ୍ତୁ ୨୦୨୦ ମସିହା ମେ ମାସରେ ଆସିଥିବା ଅମ୍ଫାନ ବାତ୍ୟା ଦ୍ୱାରା ଏହା କ୍ଷତିଗ୍ରସ୍ତ ହୋଇଥିଲା। ସେବେଠାରୁ ଏହି ଉଠାଜଳସେଚନ ୩ ବର୍ଷ ହେବ ଅଚଳ ହୋଇପଡ଼ିଛି। ତଥାପି ଏହି ସାଧାରଣ ଉଠା ଜଳସେଚନ ପ୍ରକଳ୍ପକୁ ସଜାଡ଼ିବା ଲାଗି ଚାଷୀ ଅସଫଳ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସହାୟତା ନେଇ ଜନଶୁଣାଣି ପୋର୍ଟାଲ ଠାରେ ଆବେଦନ କରିଥିଲେ। ଆଉ ଏହାର ଉତ୍ତରରେ ଯାହା ଆସିଲା ତାହା ଚାଷୀଙ୍କ ମହଲରେ ବିସ୍ମୟ ସୃଷ୍ଟି କରିଛି। 


ଏହି ଉତ୍ତରରେ ଉଠା ଜଳସେଚନ ବିଭାଗ କହିଛି ଯେ ଅମ୍ଫାନ୍‍ ବାତ୍ୟାରେ ଏହି ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ହେଲେ ଏହି ପ୍ରକଳ୍ପ ଲାଗି ଆବଶ୍ୟକ ବିଜୁଳି ସାମଗ୍ରୀ ପୋଡ଼ି ଯାଇଥିବାରୁ ବିଜୁଳି ସଂଯୋଗ ହୋଇପାରି ନାହିଁ। ଉଦ୍ଦିଷ୍ଟ ବିଜୁଳି ବଣ୍ଟନ କମ୍ପାନୀ ଏହି ପ୍ରକଳ୍ପ ଲାଗି ଉଦ୍ଦିଷ୍ଟ ବିଦ୍ୟୁତ୍‍ ଉପକରଣ ଯେମିତି ପ୍ୟାନେଲ୍‍ ବୋର୍ଡ, ମୁଖ୍ୟ ସୁଇଚ୍ ମରାମତି କରିନାହାଁନ୍ତି। ଏଣୁ ସଂଯୋଗ ନଥିବାରୁ ପ୍ରକଳ୍ପ ଅଚଳ ରହିଛି। ପୁଣି ଏଥିରେ କୁହାଯାଇଛି ଯେ ଏହି କେନ୍ଦ୍ରକୁ ସଂଯୋଗ ଦେବା ଲାଗି ୬୦୦ ମିଟର ତାର ଆବଶ୍ୟକ। ଯାହାର ଦାମ ୮ ଲକ୍ଷ ଟଙ୍କା। ସେହିପରି ପ୍ୟାନେଲ, ଷ୍ଟାର୍ଟର, ମେନ୍‍ ସୁଇଚ୍‍ ଲାଗି ୧୫ ହଜାର ଏବଂ ମଟର ମରାମତି ପାଇଁ ଆହୁରି ୩୫୦୦ ଟଙ୍କା ଆବଶ୍ୟକ। ଏପରି ମୋଟ ୮ ଲକ୍ଷ ୫୦ ହଜାର ଟଙ୍କା ଆବଶ୍ୟକ। 


ଏ ବିଷୟକୁ ସମ୍ପୃକ୍ତ ଆବେଦନକାରୀଙ୍କୁ ଜଣାଇ ଦିଆଯାଇଛି। ହେଲେ ଏହି ଖର୍ଚ୍ଚ କିଏ ବହନ କରିବ ତାହା ଉଲ୍ଲେଖ କରାଯାଇନାହିଁ। ଏପରି ଉତ୍ତର ଦ୍ୱାରା ଚାଷୀଙ୍କ ମନରେ ଏବେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଯନ୍ତ୍ରାଂଶକୁ ମରାମତି କରିବା ଖର୍ଚ୍ଚ ଚାଷୀଙ୍କ ଉପରେ ପକାଯିବାକୁ ସେମାନେ ନିନ୍ଦା କରିବା ସହ ଏନେଇ ବିଭାଗୀୟ ଦୃଷ୍ଟି ଆକର୍ଷଣ କରିଛନ୍ତି।