1. ଆଜି ଶପଥ ନେବେ ଓଡ଼ିଶାର ସାଂସଦ
ଆଜି ଶପଥ ନେବେ ଓଡ଼ିଶାର ସାଂସଦ। ଲୋକସଭାରେ ଚାଲିଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ  ରାଜ୍ୟର ୧୯ ଜଣ ସଦସ୍ୟ ଆଜି ଶପଥପାଠ କରିବେ। ଗତକାଲି ଦୁଇଜଣ ସାଂସଦ ଜୁଏଲ୍‍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‍ ମନ୍ତ୍ରୀ ଥିବାରୁ ଶପଥ ଗ୍ରହଣ କରିଥିଲେ। ଆଜି ଦ୍ୱିତୀୟ ଦିନରେ ଅବଶିଷ୍ଟ ୧୯ ଜଣ ସଦସ୍ୟ ଦାୟିତ୍ୱ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଆ, ଇଂରାଜୀ, ସମ୍ବଲପୁରୀ ଏବଂ ସାନ୍ତାଳି ଭାଷାରେ ଏହି ସାଂସଦମାନେ ଶପଥଗ୍ରହଣ କରିବେ ବୋଲି ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

2. ସମ୍ବଲପୁରୀ ଭାଷାରେ ପ୍ରଦୀପ ନେବେ ଶପଥ !
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସମ୍ବଲପୁରୀ ଭାଷାରେ ଶପଥ ଗ୍ରହଣ କରିବା ସମ୍ଭାବନା ରହିଛି। ଏହା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଭାଷା ହୋଇ ନଥିଲେ ମଧ୍ୟ ପୂର୍ବରୁ ସୁରେଶ ପୂଜାରୀ ମଧ୍ୟ ସାଂସଦ ଥିବା ସମୟରେ ଏହି ଭାଷାରେ ଶପଥ ଗ୍ରହଣ କରିଥିଲେ। ସେହିପରି ମୟୁରଭଞ୍ଜ ସାଂସଦ ନବଚରଣ ମାଝି ସାନ୍ତାଳି ଭାଷାରେ ଶପଥ ଗ୍ରହଣ କରିପାରନ୍ତି। 


3. ଆଜି ଘୋଷଣା ହୋଇପାରେ ବାଚସ୍ପତିଙ୍କ ନାଁ
ଆଜି ଘୋଷଣା ହୋଇପାରେ ବାଚସ୍ପତିଙ୍କ ନାଁ। ଅଷ୍ଟାଦଶ ଲୋକସଭାର କିଏ ବାଚସ୍ପତି ହେବେ ସେ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ମେଣ୍ଟ ସରକାର ହୋଇଥିବାରୁ ଟିଡିପି ଓ ଜେଡିୟୁ ବାଚସ୍ପତି ପଦବୀ ଅଳଂକୃତ କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ଶୁଣାଯାଉଛି। ପ୍ରଥମେ ରହିଛି ପୂର୍ବତନ ବାଚସ୍ପତି ଓମ୍‍ ବିର୍ଲାଙ୍କ ନାଁ। ସେ କୋଟାରୁ ତୃତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। କଟକ ସାଂସଦ ଭର୍ତ୍ତୃହରି ଦ୍ୱିତୀୟ ଓଡ଼ିଆ ବାଚସ୍ପତି ହୋଇପାରନ୍ତି ବୋଲି ବି ଚର୍ଚ୍ଚା ଚାଲିଛି। ଏହାଙ୍କ ସହ ଆନ୍ଧ୍ରପ୍ରଦେଶ ବିଜେପି ଅଧ୍ୟକ୍ଷ ଡି ପୁରନ୍ଦେଶ୍ୱରୀ ଏବଂ ଏବେ ବାଚସ୍ପତି ପ୍ୟାନେଲରେ ଥିବା ରାଧା ମୋହନ ସିଂହଙ୍କ ନାଁ ବି ଶୁଣାଯାଉଛି। 


4. ଜରୁରୀକାଳୀନ ପରିସ୍ଥିତି 
୧୯୭୫ ମସିହାର ଆଜିର ଦିନରେ ଦେଶରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ରେଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଏହି ଘୋଷଣା ଜନସାଧାରଣଙ୍କ ସମସ୍ତ ସାମ୍ବାଧାନିକ ଅଧିକାର ଉପରେ ଆଞ୍ଚ ଆଣିଥିଲା। ଦେଶ ସାରା ଏହି ଜରୁରୀକାଳୀନ ନୀତି ବିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତି ୨୧ ମାସ ଧରି ଚାଲିଥିଲା। 


5. କଳା ଦିବସ ପାଳୁଛି ବିଜେପି
ଆଜି ବିଜେପି ପକ୍ଷରୁ ଏହି ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟକୁ ମନେ ପକାଇଛନ୍ତି। ଗତକାଲି ଅଧିବେଶନ ଆରମ୍ଭରୁ ସେ ଏହି ଦିବସ ବାବଦରେ ଗଣମାଧ୍ୟମକୁ କହିଛନ୍ତି। 


6. ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ 
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଦିନ ୧୧ଟାରେ ଏହି ବୈଠକ ସ୍ଥିର କରାଯାଇଛି। ରଥଯାତ୍ରା ପରିଚାଳନା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ। ଗତକାଲି ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି। ତାହାକୁ  ପରିଚାଳନା କମିଟିରେ ଗୃହୀତ କରାଯିବ। ଏଥର ବିରଳ ସଂଯୋଗ ଥିବାରୁ ସନ୍ଧ୍ୟାବେଳେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ତଘଣ୍ଟ କରାଯାଇଛି। 


7. ଅଷ୍ଟ୍ରେଲିଆକୁ ହରାଇଲା ଭାରତ
ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ଟି -ଟ୍ୱେଣ୍ଟି ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‍ ଇଂଲଣ୍ଡ ବିପକ୍ଷରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟ ବିନିମୟରେ ୨୦୫ ରନ୍‍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୭ ଓ୍ୱିକେଟ ବିନିମୟରେ ୧୮୧ ରନ୍‍ ସଂଗ୍ରହ କରିଥିଲା। 


8. ଜୁଲିଆନ ଆସେଞ୍ଜଙ୍କୁ ଆଶ୍ୱସ୍ତି
ଓ୍ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‍ ଆସେଞ୍ଜଙ୍କୁ ମୁକ୍ତି ମିଳିଛି। ସୋମବାର ଦିନ ଏକ ମାମଲାରେ ସେ ନିଜକୁ ଦୋଷୀ ବୋଲି ଆମେରିକାର ଏକ କୋର୍ଟରେ ନିବେଦନ କରିବାକୁ ରାଜି ହେବା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଏକ ସପ୍ତାହ ମଧ୍ୟରେ ଆସେଞ୍ଜ ସମ୍ପୃକ୍ତ ଅପରାଧିକ ମାମଲା ପାଇଁ ଆମେରିକା କୋର୍ଟରେ ନିବେଦନ କରିବେ। ଏହି ନିବେଦନ ଦ୍ୱାରା ଇଂଲଣ୍ଡରେ ତାଙ୍କ ଜେଲ୍‍ କାଳ ଶେଷ ହୋଇଛି ଏବଂ ସେ ନିଜର ଘର ଅଷ୍ଟ୍ରେଲିଆକୁ ଫେରିଛନ୍ତି। 


9. ନିୟନ୍ତ୍ରଣକୁ ଆସିଲା ବାଲେଶ୍ୱର
ବାଲେଶ୍ୱର ସ୍ଥିତିକୁ କାବୁ କରିଛି ଜିଲ୍ଲା ପ୍ରଶାସନ। ସହରରେ ହୋଇଥିବା ଦଙ୍ଗା ପରିସ୍ଥିତି ସୁଧୁରିଥିବାରୁ କର୍ଫ୍ୟୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି। ଇଣ୍ଟରନେଟ କଟକଣା ହଟାଯିବା ସହ ସ୍କୁଲ୍‍ ଓ ଶିକ୍ଷାନୁଷ୍ଠାନ ଖୋଲିଛି। ଗତକାଲି ସବୁକିଛି ଠିକ୍‍ ଥିବାରୁ ଆଜି ମଧ୍ୟ ବିନା କଟକଣାରେ ଜୀବନଯାପନ ଚାଲିଛି। କିନ୍ତୁ ନିକଟ ଅତୀତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହା ଉପରେ କଡ଼ା ନଜର ରଖାଯାଇଛି। 


10. ରାଜ୍ୟରେ ମୌସୁମୀ ସକ୍ରିୟ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହେବାକୁ ଯାଉଛି। ଆସନ୍ତା କାଲି ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଏପରିକି ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ଘାଇ ସ୍ଥାପନରେ ସତର୍କ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।