BJD Candidate for 2024 Election: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଦୁଇ ଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ଆସନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ପୁରୀ ଲୋକସଭା ଆସନ ଅଧିନସ୍ଥ ସମସ୍ତ ୭ ବିଧାନସଭା ଆସନ କିପରି ବିଜେଡି ଅକ୍ତିଆର କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି। ଗୁରୁବାର ବିଜେଡି ପ୍ରାର୍ଥୀ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଯେଉଁମାନେ ପୁରୀ ଲୋକସଭା ଅଧିନସ୍ଥ ବିଭିନ୍ନ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଦଳ ଦେଇଥିବା ଏଭଳି ଉତ୍ତରଦାୟିତ୍ୱକୁ ସୂଚାରୁ ରୁପେ ତୁଲାଇବାକୁ ସେମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାପ୍ରଭୁ ଜଗନ୍ନାଥଙ୍କ ଶରଣରେ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ସମ୍ଭାବିତ ବିଜେଡ଼ି ପ୍ରାର୍ଥୀ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଦଳ ଯେଉଁ ଦାୟିତ୍ୱ ପ୍ରଦାନ କରିଛି ତାହା କିପରି ସଫଳ ହେବ ତାହାକୁ ଗୁରୁତ୍ୱ ଦିଆଯିବ। ପୁରୀ ସଂସଦୀୟ କ୍ଷେତ୍ରର ସାମ୍ଭାବ୍ଯ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ୭ ବିଧାନସଭା କ୍ଷେତ୍ରର ସାମ୍ଭାବ୍ଯ ପ୍ରାର୍ଥୀ ଗୁରୁବାର ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହା କିଭଳ ସଫଳ ହେବ ସେ ନେଇ ମହାପ୍ରଭୁଙ୍କୁ ଦର୍ଶନ କରି ଗୁହାରୀ କରିଛନ୍ତି। 


ଏହି ସାମ୍ଭାବ୍ଯ ପ୍ରାର୍ଥୀଙ୍କ ମଧ୍ୟରେ ପୁରୀ ବିଧାନସଭା ଆସନରୁ ସୁନୀଲ ମହାନ୍ତି, ସତ୍ଯବାଦୀ ଆସନରୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବ୍ରହ୍ମଗିରି ଆସନରୁ ଉମାକାନ୍ତ ସାମନ୍ତରାୟ, ପିପିଲି ଆସନରୁ ରୁଦ୍ର ନାରାୟଣ ମହାରଥୀ, ରଣପୁର ଆସନରୁ ସତ୍ଯନାରାୟଣ ପ୍ରଧାନ, ଚିଲିକା ଆସନରୁ ପ୍ରସନ୍ନ ପାଟଶାଣୀ, ନୟାଗଡ ଆସନରୁ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ଗତ ୨ ଦିନ ତଳେ ନବୀନ ନିବାସରେ ଏକ ଦଳୀୟ  ବୈଠକ ହୋଇଥିଲା। ଆଗାମୀ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ଫଳାଫଳ ଯେଭଳି ବିଜେଡି ହାତକୁ ଯିବ ସେନେଇ ଗୁରୁମନ୍ତ୍ର ଦିଆଯାଇଥିଲା। ଗୁରୁବାର ଜଗା ଦର୍ଶନ ସାରି ଆଶିର୍ବାଦ ନେଇ ନିର୍ବାଚନ ମଇଦାନରେ କାର୍ଯ୍ୟ ଆରମ୍ଭ କରିଦେବେ। କଳେ ବଳେ କୌଶଳେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଟେକ ରଖିବେ ବୋଲି ଜଗନ୍ନାଥଙ୍କ ଦର୍ଶନ କରି ଏଭଳି ମନ୍ତବ୍ୟ ଦେଛନ୍ତି ସମ୍ଭାବିତ ବିଜେଡ଼ି ପ୍ରାର୍ଥୀ।


ସେପଟେ ମହାପ୍ରଭୁଙ୍କ ଆଶିର୍ବାଦ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଦଳ ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖିଛି। ୨୦୧୯ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ପ୍ରାୟ ପ୍ରାୟ ୧୨ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପରାସ୍ତ କରିଥିଲେ। ମାତ୍ର ପୁରୀ ଲୋକସଭା ଆସନ ଅଧିନସ୍ଥ ପୁରୀ ସଦର ଏହଂ ବ୍ରହ୍ମଗିରି ବିଧାନସଭା ଆସନରେ ବିଜୟ ବାନା ଉଡ଼ାଇଥିଲା ବିଜେପି। ଆଗାମୀ ନିର୍ବାଚନ ପାଇଁ ଦଳୀୟ ରଣନୀତିକୁ ଆହୁରି ଶାଣିତ କରାଯିବ। 


ପୁରୀ ଲୋକସଭା ଆସନ ଅଧିନସ୍ଥ ସମଗ୍ର ୭ ବିଧାନସଭା ଆସନ ବିଜେଡି ଅକ୍ତିଆର କରିବ। ସେନେଇ ନବୀନ ନିବାସରେ ଆୟୋଜିତ ହୋଇଥିବା ବୈଠକରେ ରଣନୀତି ପସ୍ତୁତ କରାଯାଇଛି। ଏପରିକି ବ୍ରହ୍ମଗିରି ସହ ସତ୍ଯବାଦୀ ଆସନରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ଅଦଳବଦଳ କରାଯାଇଛି। ବ୍ରହ୍ମଗିରି ଆସନରେ ସଞ୍ଜୟ ଦାସ ବର୍ମାଙ୍କ ପରିବର୍ତ୍ତେ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ଲଢିବେ।  ସେହିପରି ସତ୍ଯବାଦୀ ଆସନରୁ ଉମା ସାମନ୍ତରାୟଙ୍କ ପରିବର୍ତ୍ତେ ସଞ୍ଜୟ ଦାସବର୍ମାଙ୍କୁ ପ୍ରାର୍ଥୀ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି ବିଜେଡି। 


ସେପଟେ ଅରୁପ ପଟ୍ଟନାୟକ ବିଜେଡି ପକ୍ଷରୁ ସାମ୍ଭାବ୍ଯ ସାଂସଦ ପ୍ରାର୍ଥୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।  ଗତ ୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନରେ ବିଜେଡି ପ୍ରାର୍ଥୀ ଭାବେ ଲଢି ବିଜେପି ପ୍ରାର୍ଥି ଆପରାଜିତା ଷଡଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ। ହେଲେ ଏଥର ପୁରୀ ଆସନରୁ ସଫଳତା ପାଇବେ। ପୁରୀବାସୀ ହିସାବରେ ତାଙ୍କୁ ବିପୁଳ ସମର୍ଥନ ମିଳିବ ବୋଲି ଆଶା ରହିଛି। ମହାପ୍ରଭୁଙ୍କ ଠାରୁ ଆଶିର୍ବାଦ ନେଇ ଲଢିବି। ପୁରୀ ଡେଲାଙ୍ଗ ଅଞ୍ଚଳରେ ତାଙ୍କ ଘର। ସେଠାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ଯ କରିଛନ୍ତି। ପୁରୀବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଆଗାମୀ ନିର୍ବାଚନରେ ପିନାକୀ ମିଶ୍ର ପୁରୀ ରାଜନୀତିରୁ ଦୁରେଇ ଯିବା ସହ ଅରୂପ ପଟ୍ଟନାୟକ ଆଗମନ ହୋଇଛି। ହେଲେ ୨୦୨୪ ନିର୍ବାଚନ ଫଳାଫଳ କହିବ କେତେଦୂର ସଫଳ ହେବ ବିଜେଡି ରଣନୀତି ତାହା ଦେଖିବାକୁ ବାକି ରହିଲା।