1. ଅକ୍ଟୋବରରେ ବାତ୍ୟା:  ଫେରନ୍ତା ମୌସୁମୀ ଏଥର ଓଡ଼ିଶାକୁ ଏକ ବାତ୍ୟା ଦେଇଯିବାର ଆଶଙ୍କା ରହିଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବାର ଆଶଙ୍କା ପ୍ରକାଶ କରାଯାଇଛି।  ବିଭିନ୍ନ ପାଣିପାଗ ମଡେଲ୍‍ରୁ ଏପରି ଅନୁମାନ କରାଯାଉଥିଲେ ମଧ୍ୟ  ଭାରତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି କୁହାଯାଇ ନାହିଁ। ମଡେଲ୍‍ଗୁଡ଼ିକର ହିସାବ ଅନୁସାରେ ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ଉପକୂଳରେ ଏକ ଅବପାତ ସୃଷ୍ଟି ହେବ ଯାହା ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। 


COMMERCIAL BREAK
SCROLL TO CONTINUE READING

2.ଆଜିଠୁ ବିଧାନସଭା ଅଧିବେଶନ:  ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଏହା ଅକ୍ଟାବର ୪ ତାରିଖ ଯାଏ ଚାଲିବ। ଏଥିରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ବାଚସ୍ପତିଙ୍କ ନିର୍ବାଚନ, ଶପଥଗ୍ରହଣ ଓ ସଂକଳ୍ପ ସହ ରାଜ୍ୟର ଦିବଂଗତ ବିଧାୟକଙ୍କ ପ୍ରତି ବିଧାନସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ। ଏହାପରେ ଗୃହ କାର୍ଯ୍ୟକୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ କରାଯିବ। ଆଜି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଚଳିତ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବେ। ଘୋଷଣା କରାଯାଇଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଗୁଡ଼ିକର ଖର୍ଚ୍ଚ ପାଇଁ ଏହି ବଜେଟ୍‍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏହି ବଜେଟ୍‍ ସମ୍ପର୍କରେ ୨୮ ଓ ୩୦ ତାରିଖରେ ଆଲୋଚନା ହେବ। ଅକ୍ଟାବର ୩ ତାରିଖରେ ଖର୍ଚ୍ଚଦାବି ସମ୍ପର୍କିତ ବିଲ୍‍ ବିଧାନସଭାରେ ଗ୍ରହଣ ପାଇଁ ଭୋଟ୍‍ ଗ୍ରହଣ କରାଯିବ। ସେପ୍ଟମ୍ବର ୨୩ ଓ ୨୪ ତାରିଖ ବିଧାନସଭା ଛୁଟି ରହିବ। ୨୫ରୁ ୨୭ ତାରିଖ ସରକାରୀ କାର୍ଯ୍ୟ ଦିବସ ରହିବ। 


3.ତିନି ବିଧାୟକଙ୍କ ଦଳ ନାହିଁ: ରାଜ୍ୟରେ ଶାସକ ଦଳ ତିନିଜଣ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରିବା ପରେ ସେମାନଙ୍କ ନିର୍ଦ୍ଧାରିତ ଆସନ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଏହି ବିଧାୟକମାନେ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତିନିଜଣ ବିଧାୟକଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି।


4.ପ୍ରମିଳା ହେବେ ବାଚସ୍ପତି ସୁଦାମଙ୍କୁ ରାଜସ୍ୱ: ବିଜେଡିର ବରିଷ୍ଠ ମହିଳା ନେତା ତଥା ୬ ଥର ଯାଜପୁର ଆସନରୁ ବିଧାୟକ ହୋଇଥିବା ପ୍ରମିଳା ମଲି୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି।  ଆଜି ଘୋଷଣା ପରେ ସେ ବାଚସ୍ପତି ଭାବେ ଶପଥ ନେବେ। ସେ ଏହା ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ଏହି ବିଭାଗର ଦାୟିତ୍ୱ ସୁଦାମ ମାରାଣ୍ତି ସମ୍ଭାଳିବେ। ସରକାରଙ୍କ ପକ୍ଷରୁ ତାଙ୍କୁ ଏନେଇ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ମାରାଣ୍ତି ଏବେ ସ୍କୁଲ୍‍ ଓ ଗଶଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। 


5.ରାଜ୍ୟସଭାରେ ମହିଳା ବିଲ୍‍ ଗୃହୀତ: ଗତକାଲି ବିଳମ୍ବିତ ରାତିରେ ପୂର୍ଣ୍ଣ ସହମତିରେ ଗୃହୀତ ହୋଇଛି ମହିଳା ଆରକ୍ଷଣ ବିଲ୍‍ ବା ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଲୋଚନା ପରେ ରାତି ପ୍ରାୟ ୧୦ଟା ୮ ମିନିଟ୍‍ ସମୟରେ ଗୃହର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ସଦସ୍ୟମାନଙ୍କୁ ଏଥିଲାଗି ଭୋଟ୍‍ ଦେବା ଲାଗି ଅନୁରୋଧ କରିଥିଲେ। ପ୍ରଥମେ  ଭୋଟ୍‍ ପରେ ସଦସ୍ୟମାନେ ନିଜର ମତକୁ ଇଲେକ୍ଟ୍ରନିକ ଉପାୟରେ ପଞ୍ଜୀକୃତ କରିଥିଲେ। ଯେଉଁଥିରେ ଗୃହର ସମସ୍ତ ସଦସ୍ୟ ମହିଳା ବିଲ୍‍କୁ ପାରିତ କରିବା ପାଇଁ ସମାନ ମତ ଦେଇଥିଲେ। ଏହାକୁ ଏକ ଐତିହାସିକ ସଫଳତା କହି ସଦସ୍ୟମାନଙ୍କୁ ଅଭିନନ୍ଦନ କରିଥିଲେ ଧନକଡ଼ କହିଥିଲେ। ଏହାପରେ ବିଭିନ୍ନ ସଦସ୍ୟ ଦେଇଥିବା  ସଂଶୋଧନ ପ୍ରସ୍ତାବ ଗୁଡ଼ିକ ପାଇଁ ଭୋଟ୍‍ ଗ୍ରହଣ ହୋଇଥିଲା। ଯାହା ପ୍ରାୟ ରାତି ସାଢ଼େ ୧୧ଟା ଯାଏ ଚାଲିଥିଲା। ପରେ ଗୃହ କାର୍ଯ୍ୟକୁ ସମାପନ କରାଯାଇ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଥିଲା। 


6.ଆଜି ଶେଷ ହେବ ସ୍ୱତନ୍ତ୍ର ଅଧିବେଶନ: ଭାରତର ସାମ୍ବିଧାନିକ ଯାତ୍ରାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନ ଆଜି ସମାପନ ହେବ। ଏହି ଅଧିବେଶନ ୫ ଦିନ ପାଇଁ ଡକାଯାଇଥିଲା। ପ୍ରଥମ ଦିନରେ ସାଂସଦମାନେ ସାମ୍ବିଧାନକ ଯାତ୍ରାରେ ନିଜର ଅନୁଭୂତି, ଶିକ୍ଷଣ ଏବଂ ଅଭିଜ୍ଞତାକୁ ବ୍ୟାଖ୍ୟା କରିଥିଲେ। ନିଜର ସ୍ମରଣୀୟ ମୁହୂର୍ତ୍ତକୁ ଜଣାଇଥିଲେ। ଏହାପରଦିନ ନୂତନ ଗୃହକୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ସ୍ଥାନାନ୍ତରରଣ କରାଯାଇଥିଲା। ପରେ  ପୁରୁଣା ଗୃହକୁ ସମ୍ବିଧାନ ଭବନ ଭାବେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।  ଏହି ଅଧିବେଶନକୁ ଆହୁରି ସ୍ମରଣୀୟ କରିବା ଲାଗି ଉପସ୍ଥାପନ କରାଯାଇଥିଲା ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ବା ୩୩% ମହିଳା ଆରକ୍ଷଣ ବିଲ୍‍। ଦୁଇଦିନ ଧରି ଲୋକସଭାରେ ଏହାର ଆଲୋଚନା କରାଯାଇ ଗ୍ରହଣ କରାଯିବା ପରେ ରାଜ୍ୟସଭାରେ ତାହାକୁ ଉପସ୍ଥାପନ କରାଯାଇଥିଲା। ଗତକାଲି ବିଳମ୍ବିତ ରାତ୍ରୀରେ ଏହାକୁ ଗ୍ରହଣ କରାଯାଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଆଜି ଲୋକସଭାରେ କିଛି ସ୍ମରଣୀୟ ବିଧେୟକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଗୃହକୁ ମୁଲତବୀ କରାଯିବ। 



7. ଆଜି ଉଠିବ ପ୍ରଜ୍ଞାନ: (wakeup call to Pragyan): ଆଜି ଇସ୍ରୋ ପାଇଁ ଏକ ବଡ଼ଦିନ। ଯେହେତୁ ଆଜି ଚନ୍ଦ୍ର ପୃଷ୍ଠରେ ରାତି ଶେଷ ହୋଇ ସକାଳ ଆସିବ, ପୁଣିଥରେ ଆରମ୍ଭ ହେବ ଚନ୍ଦ୍ରାୟନ-୩ର ଯାତ୍ରା।   ରାତିର ଅନ୍ଧାର ଓ ମାଇନସ୍‍ ୨୦୦ ଡିଗ୍ରୀ ସେଲ୍‍ସିୟସ ତାପମାତ୍ରାରେ ଭାରତର ଚନ୍ଦ୍ରଯାନ ୩ ମିଶନରେ ସଂଯୁକ୍ତ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ଶୁପ୍ତ ଅବସ୍ଥାକୁ ନିଆଯାଇଥିଲା। ଆଜି ପୁଣିଥରେ ଜାଗ୍ରତ କରିବାକୁ ‘ଇସ୍ରା’ ଉଦ୍ୟମ ଆରମ୍ଭ କରିବ। ଏହା ସଫଳ ହେଲେ ଇସ୍ରୋ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଆଉ ଏକ ଅଭିଜ୍ଞତା ହାସଲ କରିବ। 


8.ବ୍ୟାଙ୍କ ଜାଲିଆତି ମାମଲାରେ ଖବରକାଗଜ ସଂସ୍ଥା ‘ସମ୍ବାଦ’ରେ କ୍ରାଇମ୍‍ ବ୍ରାଞ୍ଚ ଇଓଡବ୍ଲୁ ଚଢ଼ଉ ଜାରି ରହିଛି। ଅଭିଯୋଗକୁ ଆଧାର କରି ପୁଲିସ ଅଧିକାରୀମାନେ ସମ୍ବାଦ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥି ଓ କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛନ୍ତି। ସାମ୍ବାଦିକ ତଥା କର୍ମଚାରୀଙ୍କ ନାମରେ ବ୍ୟକ୍ତିଗତ ଋଣ ଉଠାଇ ସଂସ୍ଥା ପକ୍ଷରୁ ତାହାକୁ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଜୟଦେବ ବିହାର ଠାରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ଓ ତାଙ୍କର ତିନି ସହେଯାଗୀଙ୍କୁ ମଧ୍ୟ ଜେରା କରାଯାଇଛି। 


9.କାନାଡ଼ା ପାଇଁ ଭିସା ବନ୍ଦ: ଭାରତ ଆସିବାକୁ ଚାହୁଁଥିବା କାନାଡ଼ାର ଅଧିବାସୀଙ୍କ ପାଇଁ ଦୁଃଖଦ ଖବର। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ଆଖି ଆଗରେ ରଖି ଭାରତ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଏନ୍‍ଆଇଏ ପକ୍ଷରୁ ଖଲିସ୍ତାନୀ ଆତଙ୍କୀଙ୍କ ନାମ ଘୋଷଣା କରାଯିବ ସହ କାନାଡ଼ାରେ ଅନେକ ଆତଙ୍କୀ ଭାରତ ବିରୋଧୀ କାର୍ଯ୍ୟକ୍ରମ ଚଳାଉଥିବା ଓ ହିଂସା ଘଟାଉଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଭାରତ ପକ୍ଷରୁ କାନାଡ଼ାରେ ଅବସ୍ଥାପିତ କୂଟନୀତିଜ୍ଞଙ୍କୁ ସେମାନଙ୍କ କାମ କରିବାକୁ ଦିଆଯାଉ ନଥିବାରୁ ଭିସା ସେବାକୁ ବନ୍ଦ କରାଯାଇଥିବା କୁହାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‍ଚି କହିଛନ୍ତି। 


10.କାନାଡ଼ାକୁ ବିଦାୟ କହିଲା ମହିନ୍ଦ୍ରା: ଭାରତ-କାନାଡ଼ା ମଧ୍ୟରେ ଚାଲିଥିବା କୂଟନୀତିକ ତିକ୍ତତା ବ୍ୟବସାୟକୁ ପ୍ରଭାବିତ କରିଛି। ଭାରତୀୟ କମ୍ପାନୀ ମହିନ୍ଦ୍ରା ଓ ମହିନ୍ଦ୍ର ପାକ୍ଷରୁ କାନାଡ଼ାରେ ଚାଲିଥିବା ବ୍ୟବସାୟକୁ ବନ୍ଦ କରାଯାଇଛି। ଏହି କମ୍ପାନୀ ପକ୍ଷରୁ ରେସନ୍‍ ଏରୋସ୍ପସ୍‍ ନାମକ ଏକ କମ୍ପାନୀ ବ୍ୟବସାୟ କରୁଥିଲା। ଯାହାକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।