ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପାଇକମାଲ ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ଲଖମରା ଗାଁର ସାର ବ୍ୟବସାୟୀ ମିତ୍ରଭାନୁ ସାହୁଙ୍କଠାରୁ ଏକ ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ଭିଜିଲାନ୍ସ ବିଭାଗ ରାସାୟନିକ ପ୍ରଲେପ ଯୁକ୍ତ ଦେଢ଼ ଲକ୍ଷ ଟଙ୍କାକୁ ଜବତ କରିଥିବା ବେଳେ ପୃଥକ ଭାବେ ଏକକାଳୀନ ତିନୋଟି ଭିଜିଲାନ୍ସ ଟିମ ଭୁବନେଶ୍ବର ଶୈଲଶ୍ରୀ ବିହାର ସ୍ଥିତ ବାସଭବନ, କଟକ ତିଗିରିଆ ସ୍ଥିତ ପୈତୃକ ଭବନ ଓ ପାଇକମାଲ କୃଷି ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । 


COMMERCIAL BREAK
SCROLL TO CONTINUE READING

ସହକାରୀ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ କେତେ ସମ୍ପତ୍ତି ରହିଛି, ପୂର୍ବରୁ ସେ ଆଉ ଲାଞ୍ଚ ଟଙ୍କା ନେଇଛନ୍ତି କି ନାହିଁ ତାହାର ଖୋଲତାଡ଼ କରୁଛି ଭିଜିଲାନ୍ସ ବିଭାଗ । କିଛିଦିନ ପୂର୍ବରୁ ଲଖମରା ମିତ୍ରଭାନୁ ସାହୁଙ୍କ ସାର ଗୋଦାମକୁ ଯାଞ୍ଚ ପାଇଁ ଆସିଥିଲେ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ । ଗୋଦାମରେ ବିପୁଳ ପରିମାଣ ସାର ଥିବା ଦେଖି ବ୍ୟବସାୟୀଙ୍କୁ ନାଲି ଆଖି ଦେଖାଇ ଗୋଦାମ ବନ୍ଦ କରିବା ସହ ଲାଇସନ୍ସ ରଦ୍ଦ କରିବାକୁ ଧମକ ଦେଇଥିଲେ । ଏଥିପାଇଁ ସାର ବ୍ୟବସାୟୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । 


ଏଭଳି ଘଟଣାକୁ ନେଇ ମିତ୍ରଭାନୁ ସାହୁ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ସକାଳ ୮.୩୦ମିନିଟରୁ ୯ଟା ମଧ୍ୟରେ ପାଇକମାଲ ଧର୍ମଶାଳା ନିକଟରେ ମିତ୍ରଭାନୁ କୃଷି ଅଧିକାରୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ଦେଲା ବେଳେ ଭିଜିଲାନ୍ସ ବିଭାଗ ମାଡ଼ି ବସି କୃଷି ଅଧିକାରୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା ।