BSNL ଗ୍ରାହକ ଜାଣିରଖନ୍ତୁ, ଜାନୁଆରୀ ୧୫ରୁ ୨ଟି ସହରରେ ଏହି ସେବା ହେବ ବନ୍ଦ
BSNL ନିଜ ନେଟୱାର୍କକୁ ବଢାଇବାରେ ଲାଗିଛି । ଏଥିପାଇଁ ଦେଶର ସେହି ସ୍ଥାନ ଗୁଡିକରେ ନୂଆ ଟାୱାର ସ୍ଥାପନ କରୁଛି ଯେଉଁଠାରେ ଟାୱାର ନଥିଲା । ସରକାରୀ ଟେଲିକମ୍ କମ୍ପାନୀ ଗୋଟିଏ ସେବାକୁ ଜାନୁଆରୀ ୧୫ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ ପାଟନା ସମେତ ଅନ୍ୟ କିଛି ସ୍ଥାନରେ 3G ନେଟୱାର୍କ ବନ୍ଦ ରହିବ । ଏହା ସହିତ, 3G ସିମ୍ ଥିବା ଗ୍ରାହକମାନେ କେବଳ କଲିଂ ସୁବିଧା ପାଇବେ । ଡାଟା ସୁବିଧାରୁ ଗ୍ରାହକମାନେ ବଞ୍ଚିତ ହୋଇପାରନ୍ତି ।
ବିଏସଏନଏଲ ମୁଖ୍ୟ ଜିଏମ ଆର.କେ ଚୌଧୁରୀଙ୍କ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 4G ନେଟୱାର୍କକୁ ସମ୍ପୂର୍ଣ୍ଣ ଅପଡେଟ୍ କରାଯାଇଛି। ଏହି କାରଣରୁ ଅଧିକାଂଶ ଜିଲ୍ଲାରେ 3G ନେଟୱାର୍କ ସେବା ବନ୍ଦ ରହିଛି। ଜାନୁଆରୀ ୧୫ ରୁ, ବାକି କିଛି ସହର ଗୁଡିକରେ ମଧ୍ୟ 3G ସେବା ବନ୍ଦ ରହିବ । ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ପାଟନା ଏବଂ ଅନ୍ୟାନ୍ୟ ସହରରେ ଲକ୍ଷ ଲକ୍ଷ ଉପଭୋକ୍ତା ବିଏସଏନଏଲ 3G ସେବା ବ୍ୟବହାର କରୁଛନ୍ତି।
ବର୍ତ୍ତମାନ ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଥାଇପାରେ ଯେ, ଯଦି 3G ସେବା ବନ୍ଦ ହୋଇଯାଏ ତେବେ ଇଣ୍ଟରନେଟ୍ କିପରି କାମ କରିବ । ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଯଦି 3G ନେଟୱାର୍କ ବନ୍ଦ ହୋଇଯାଏ ତେବେ ଆପଣ ମାଗଣାରେ ଏକ ନୂଆ 4G ସିମ୍ ପାଇପାରିବେ ।
ଆପଣ ନିଜ BSNL 3G ସିମ୍ କୁ ବଦଳାଇ 4G ସିମ୍ କାର୍ଡ ଆଣିପାରିବେ । ଖୁସିର କଥା ଏହା ଯେ, ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଏଥିପାଇଁ BSNL ଗ୍ରାହକମାନେ ସେମାନଙ୍କର ନିକଟତମ ଗ୍ରାହକ ସେବା କେନ୍ଦ୍ର କିମ୍ବା BSNL କାର୍ଯ୍ୟାଳୟକୁ ଯାଇ ନୂଆ ସିମ୍ ପାଇପାରିବେ । ସେଠାରେ ପୁରୁଣା ସିମ୍ ଜମା କରିବା ପରେ ପ୍ରତିବଦଳରେ ଆପଣଙ୍କୁ ଏକ ନୂଆ ସିମ୍ ଦିଆଯିବ ।
ନୂତନ ସିମ୍ ପାଇଁ ଉପଭୋକ୍ତାମାନଙ୍କୁ ସେମାନଙ୍କ ଫଟୋ ID ଦେବାକୁ ପଡିବ । ଆପଣ ମନେ ରଖିବା ଉଚିତ ଯେ, 2017 ପୂର୍ବରୁ ଜାରି କରାଯାଇଥିବା ସିମ୍ ଗୁଡିକ ବଦଳାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନୂତନ ସିମ୍ ମଧ୍ୟ 5Gକୁ ସପୋର୍ଟ କରିବ । ତେଣୁ, ଯେତେବେଳେ 5G ସେବା ଆରମ୍ଭ ହେବ ସେହି ସମୟରେ ଆପଣଙ୍କୁ ଆଉ ନୂଆ ସିମ୍ କିଣିବାର ଆବଶ୍ୟକତା ନାହିଁ ।