ଭୁବନେଶ୍ୱର: ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ୧୯୯୭ ବ୍ୟାଚ ଆଇପିଏସ୍‍ ଅଧିକାରୀଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ନିଜ ପଦବୀର ଅପବ୍ୟବହାର କରି ନିର୍ବାଚନ ପ୍ରକ୍ରିୟାକୁ  ପ୍ରଭାବିତ କରୁଥିବା ସନ୍ଦେହ କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନ୍‍। ଏଥିଲାଗି ତୁରନ୍ତ ଶ୍ରୀ କୁଟ୍ଟେଙ୍କୁ ନିଲମ୍ବନ କରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ନିର୍ବାଚନ ସମୟରେ ଓଡ଼ିଶାରେ ନରହି ତୁରନ୍ତ ଦିଲ୍ଲୀରେ ରିପୋର୍ଟ କରିବାକୁ କୁହାଯାଇଛି। ଆସନ୍ତା କାଲି ଅପରାହ୍ଣ ୩ଟା ସୁଦ୍ଧା ତାଙ୍କୁ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ  ଉପସ୍ଥିତ ହେବାକୁ ଆଦେଶ ଦେଇଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନ। 


COMMERCIAL BREAK
SCROLL TO CONTINUE READING

ଶ୍ରୀ କୁଟ୍ଟେଙ୍କ ସହ ତାଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଆଶୀଷ କୁମାର ସିଂହଙ୍କ ବିରୁଦ୍ଧରେ ମଧ୍ୟ ଖପ୍ପା ହୋଇଛନ୍ତି କମିଶନ।  କମିଶନ ତାଙ୍କର ତୁରନ୍ତ ମେଡିକାଲ୍‍ ଯାଞ୍ଚ କରାଇବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଏମ୍‍ସର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ବାଚନ ଅଧିକାରୀ ସଂଯୋଜନା କରିବେ। ଶ୍ରୀ ସିଂହ ହେଉଛନ୍ତି ୨୦୧୦ ବ୍ୟାଚ୍‍ ଆଇପିଏସ୍‍। ସେ ସିଧାସଳଖ ଭାବେ ନିର୍ବାଚନ କାର୍ଯ୍ୟ ସହ ଜଡ଼ିତ ରହିଛନ୍ତି। ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠି ଏବଂ ଅନ୍ୟ ସୂଚନାକୁ ଆଧାର କରି ନିର୍ବାଚନ କମିଶନ ଏହି କଠୋର ପଦକ୍ଷେପ ନେଇଛନ୍ତି।


ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଗିରଫ କରିବା ପ୍ରସଙ୍ଗରେ ଏମାନଙ୍କ ହାତ ଥିବା ଅଭିଯୋଗ ହୋଇଛି। ଇଭିଏମ୍‍ ଭଙ୍ଗା ଅଭିଯୋଗରେ ତାଙ୍କୁ ଗିରଫ କରଯାଇଛି। ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଶନିବାର ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଥିଲା । ତେବେ ସଂପୃକ୍ତ ଘଟଣାରେ ଶ୍ରୀ ଜଗଦ୍ଦେବ ନିର୍ଦୋଷ ବୋଲି ସିସିଟିଭି ଫୁଟେଜ୍ କହୁଛି । ଆଜି ଏହି ସିସିଟିଭିକୁ ସାର୍ବଜନୀନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । 


ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ଭିଡିଓ ବିଷୟରେ ସୂଚନା ଦେବା ପରେ ଏବେ ରାଜ୍ୟ ରାଜନୀତିକୁ ତାହା ଆଚ୍ଛାଦିତ କରିଛି। ନିର୍ବାଚନ ଅଧିକାରୀ ଏହି ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ବିଜେଡି ଏହି ଘଟଣା ଉପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଜବାବ ଦେଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଜଣେ ଗୁଣ୍ଡାଙ୍କୁ ନିର୍ଦୋଷ ସଜାଇବା ପାଇଁ ବିଜେପି ନେତାମାନେ ପ୍ରତିଯୋଗିତା କରିବା ଲଜ୍ଜାଜନକ ବୋଲି  କହିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର।


Also Read- ରାତି ପାହିଲେ ଶ୍ରୀକ୍ଷେତ୍ରରେ ପାଳନ ହେବ ପବିତ୍ର ଭଉଁରୀ ଯାତ୍ରା