PM Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସନ୍ତାକାଲି ସକାଳେ ପୁରୀରେ ପହଞ୍ଚିବେ।‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୁରୀ ବଡ଼ଦାଣ୍ଡରେ ଏକ ବିଶାଳ ରୋଡ ସୋ କରିବେ। ବିଜେପିର ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ଭୋଟରଙ୍କୁ ରୋଡ ସୋ ମାଧ୍ୟମରେ ଅପିଲ୍ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବା ପାଇଁ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିବେଦନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପୁରୀ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କରିବେ ଭବ୍ୟ ରୋଡ଼ ସୋ। ଆଗାମୀ ନିର୍ବାଚନରେ ବିଜେପିର ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ରୋଡ଼ ସୋ ମାଧ୍ୟମରେ ଭୋଟର ମାନଙ୍କୁ ଅନୁରୋଧ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ-:


  • ସକାଳ ୬ଟା ୩୦ ରୁ ୭ଟା ମଧ୍ୟରେ ଭୁବନେଶ୍ୱରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବେ

  • ସକାଳ ୭ଟା ରୁ ୭ଟା ୩୦ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ

  • କୌଳିକ ପଣ୍ଡାଙ୍କ ଦ୍ବାରା ସ୍ବାଗତ କରାଯିବ। ପୂଜାର୍ଚ୍ଚନା କରାଯିବ

  • ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆଶୀର୍ବାଦ ନେଇ ପୁରୀ ବଡ଼ଦାଣ୍ଡର ମରଚିକୋଟ ଛକ ଠାରୁ ମେଡିକାଲ୍ ଛକ ଯାଏଁ ଏକ ବିଶାଳ ଭବ୍ୟ ରୋଡ଼ ସୋ 


ଭାରତର ଲୋକପ୍ରିୟ ତଥା ସାରା ବିଶ୍ବରେ ଭାରତର ଗୌରବକୁ ବଢାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ରୋଡ଼ ସୋ ରେ ପୁରୀ ବାସୀ ହଜାର ହଜାର ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ଭୁପିନ୍ଦର ଯାଦବ।


ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡ ଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ରହିବେ। ଏଥିସହ ତାଳବଣିଆ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ରାସ୍ତା ଗୁଡିକରେ ଥିବା ଉଚ୍ଚ କୋଠାଘର ଛାତ ଉପରେ ପୋଲିସ ବାହିନୀ ମୁତୟନ ରହିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ବିଭିନ୍ନ ୯ସେକ୍ଟର ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ହେଲିପ୍ୟାଡ ଠାରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ଜାରି କରାଯିବ। ଟ୍ରାଫିକ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରାଯିବ। ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ସକାଳ ୮ଟା ରୁ ୯ଟା ମଧ୍ୟରେ ରୋଡ଼ ସୋ କରିବାର କାର୍ଯକ୍ରମ ଥିବାବେଳେ ବଡ଼ଦାଣ୍ଡର ଦୁଇ ପାର୍ଶ୍ବରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର। ।


ଗତ ୨୦୧୩ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏବଂ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ତାଙ୍କୁ ଭବ୍ୟ ସ୍ଵାଗତ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିବା ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି।