Iron Dome of India: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ। ମିସାଇଲ୍ ହେଉ କିମ୍ବା ଯୁଦ୍ଧ ବିମାନ, ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ବ୍ୟତୀତ ଅନେକ ଭାରତୀୟ କମ୍ପାନୀ ପକ୍ଷରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଛି। ଭାରତ ମଧ୍ୟ ଅନେକ ଦେଶକୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ରପ୍ତାନି କରୁଛି। ଏହା ବ୍ୟତୀତ ଯଦି ଦେଶର ବାୟୁ ସୀମା ସୁରକ୍ଷା ବିଷୟରେ କୁହାଯାଏ, ତାହେଲେ ଭାରତ ପାଖରେ ଖୁବ୍ ଶୀଘ୍ର ଏହାର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ରହିବ। ଯାହା ଶତ୍ରୁ କ୍ଷେପଣାସ୍ତ୍ର କିମ୍ବା ବୋମା ନଷ୍ଟ କରିଦେବ। ଏହାର ଅର୍ଥ ହେଉଛି ଯଦି ଏନେଇ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସ୍ୱାଭାବିକ ଗତିରେ ଆଗକୁ ବଢେ ତାହେଲେ ଭାରତ ଖୁବ୍ ଶୀଘ୍ର ଇସ୍ରାଏଲ୍ ଭଳି ନିଜସ୍ୱ "ଆଇରନ୍ ଡୋମ୍" ଉପଲବ୍ଧ ହେବ।


COMMERCIAL BREAK
SCROLL TO CONTINUE READING

କାର୍ଯ୍ୟକାରୀ ହେଉଛି ପ୍ରକଳ୍ପ "କୁଶ" 
ଆସନ୍ତା ୨୦୨୮-୨୯ ବର୍ଷ ପର୍ଯ୍ୟନ୍ତ ଭାରତ ଏହାର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ ଭାବରେ ନିୟୋଜିତ କରିବାକୁ ଯୋଜନା କରିଛି। ଏହି ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ୩୫୦ କିଲୋମିଟର ଦୂରତାରେ ଆସୁଥିବା ଅଦୃଶ୍ୟ ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଟାର୍ଗେଟେଡ୍ ଗାଇଡ୍ ଅସ୍ତ୍ରଶସ୍ତ୍ରକୁ ଚିହ୍ନଟ କରି ଏହାକୁ ଉପଯୁକ୍ତ ସମୟରେ ନଷ୍ଟ କରିଦେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇଣ୍ଟରସେପ୍ଟ କ୍ଷମତା ସହ ଜଡିତ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ "କୁଶ" ଅଧିନରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (Defence Research and Development Organisation) ବିକଶିତ ହେଉଥିବା ସ୍ୱଦେଶୀ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ (Long Range Surface to Air Missile) ଅନ୍ତର୍ଭୂକ୍ତ କରାଯାଇଛି। ଡିଆରଡିଓ ପକ୍ଷରୁ ବିକଶିତ ହେଉଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀ (DRDO Air Defense System) ଋଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ସମାନ (Russian Air Defense System S-400) ହେବ। ନିକଟରେ ଋଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ଭାରତୀୟ ବାୟୁସେନାରେ ସାମିଲ ହୋଇଛି।


୨୧ ହଜାର ୭୦୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଛି ପ୍ରକଳ୍ପ "କୁଶ" 
ଏନେଇ ମିଳିଥିବା ଖବର ଅନୁଯାୟୀ ଗତ ବର୍ଷ ମେ ମାସରେ ସୁରକ୍ଷା କ୍ୟାବିନେଟ୍ କମିଟି LR-SAM ବ୍ୟବସ୍ଥାର ବିକାଶକୁ Mission Mode ପ୍ରକଳ୍ପ ଭାବରେ ଅନୁମୋଦନ କରିଥିଲା। ଏହା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗତ ମାସରେ ଭାରତୀୟ ବାୟୁସେନା ଲାଗି ୫ ସ୍କ୍ୱାଡ୍ରନ୍ କ୍ରୟ କରିବା ପାଇଁ NOC ଦେଇଥିଲା। ଦୀର୍ଘ ଦୂରଗାମୀ ଇଣ୍ଟରସେପ୍ଟର ଏବଂ ଅଗ୍ନି ନିୟନ୍ତ୍ରଣ ରାଡାର ସହିତ ମୋବାଇଲ୍ LR-SAM ପ୍ରକଳ୍ପରେ ଏକାଧିକ କ୍ଷେପଣାସ୍ତ୍ର ରହିବ। ଯାହା ସ୍ୱଳ୍ପ ପରିସର ମଧ୍ୟରେ ଶତ୍ରୁ ପକ୍ଷକୁ ଧ୍ୱଂସ କରିବା ପାଇଁ ନିୟୋଜିତ କରିବାକୁ ଡିଜାଇନ୍ ହୋଇଛି।


"କୁଶ" ପ୍ରକଳ୍ପକୁ ନେଇ କ'ଣ କହିଲା ଡିଆରଡିଓ?
ଡିଆରଡିଓ ଅନୁଯାୟୀ ଏହି ପ୍ରତିରକ୍ଷା ବ୍ୟବସ୍ଥା ପ୍ରତ୍ୟେକ ଦିଗରେ ପ୍ରଭାବଶାଳୀ ହେବ। ପ୍ରାୟ ୨୫୦ କିଲୋମିଟର ଦୂରତାରେ ଯୁଦ୍ଧ ବିମାନ ଆକାରର ଲକ୍ଷ୍ୟ ଭେଦ କରିବା ପାଇଁ ଏପରି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଡିଜାଇନ୍ କରାଯାଇଛି। ଯେଉଁଥିରେ ବାୟୁ ବାହୀ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀ ବ୍ୟବସ୍ଥା (Airborne Early Warning and Control System) ଏବଂ ୩୫୦ କିଲୋମିଟର ଦୂରତାରେ ରହିଥିବା ବୃହତ ବିମାନକୁ ଅଟକା ଯାଇପାରିବ। ଯେଉଁ ବିମାନ ବାୟୁ ମାର୍ଗରେ ଇନ୍ଧନ ଭରିବାକୁ ସକ୍ଷମ। 


ଏସ-୪୦୦ ସତ୍ତ୍ୱେ କାହିଁକି ଗୁରୁତ୍ୱପୂର୍ଣ୍ଣ "କୁଶ" 
ଋଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ହେଉଛି ଏକ ଦୂରଗାମୀ ଭୂପୃଷ୍ଠରୁ ବାୟୁ ପତିରକ୍ଷା ପ୍ରଣାଳୀ। ଯାହା ପ୍ରାୟ ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଚିହ୍ନଟ କରି ଏହାକୁ ନଷ୍ଟ କରିଦେବାର ଶକ୍ତି ରଖିଛି। ଋଷିଆ ଦାବି କରିଛି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା। ଏସ-୪୦୦ ବର୍ତ୍ତମାନ ବିଶ୍ୱର ୪ ଦେଶ ପାଖର ରହିଛି। ଋଷୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ଭାରତ, ଚୀନ୍ ଏବଂ ତୁର୍କୀ ଆଦି ଦେଶ ପାଖରେ ରହିଛି। ବର୍ତ୍ତମାନ ଚୀନ୍ ଲାଗି ପାକିସ୍ତାନ ଘନିଷ୍ଠ ବନ୍ଧୁ ହୋଇଯାଇଛି। ପାକିସ୍ତାନ ପଟୁ ରହିଥିବା ବିପଦକୁ ନଜରରେ ରଖି ଭାରତ ଏହାର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିକଶିତ କରୁଛି। ଯାହା "କୁଶ" ଆଗମନ ସହିତ ପୂରଣ ହେବ।


ଭାରତ ପାଖରେ ରହିଛି କେତେ ଏସ-୪୦୦?
ଋଷୀୟ ଗଣମାଧ୍ୟମ ସ୍ପୁଟନିକ୍ ରିପୋର୍ଟ ଅନୁଯାୟୀ, ଗତ ୨୦୧୮ ଅକ୍ଟୋବରରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ୫ ସ୍କ୍ରାଡ୍ରନ୍ ଯୋଗାଣ ନେଇ ଭାରତ-ଋଷିଆ ମଧ୍ୟରେ  ୫.୪୩ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଆମେରିକୀୟ ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ସ୍କଟ ବେରିୟରଙ୍କ ବିବୃତ୍ତି ଅନୁଯାୟୀ  ଋଷିଆ ଗତ ୨୦୨୧ ଡିସେମ୍ବରରେ ଭାରତକୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିତରଣ ଆରମ୍ଭ କରିଥିଲା। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଖରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ୩  ସ୍କ୍ୱାଡ୍ରନ୍ ଯୋଗାଇ ଦିଆଯାଇଛି। ହେଲେ ଏସ-୪୦୦ ବାୟୁ ପତିରକ୍ଷା ପ୍ରଣାଳୀ ଦେଶର କେଉଁ ସ୍ଥାନରେ ନିୟୋଜିତ ହୋଇଛି ସେ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।