Odia New Year: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଆଜିର ଦିନର ବିଶେଷତ୍ୱ

Odia New Year: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଖାସ୍ କରି ଏହି ଦିନରେ ପ୍ରଚଣ୍ତ ରୌଦ୍ରତାପରୁ ମାଆ ବୃନ୍ଦାବତୀଙ୍କୁ ରକ୍ଷା କରିବା ଚଉରା ଉପରେ ଚାଞ୍ଚେରା ବାନ୍ଧି ଛୋଟ ମାଠିଆରେ ପାଣି ରଖି ଚଉରା ମୂଳରେ ବନ୍ଧା ଯାଇଥାଏ ।
Odia New Year: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜିଠାରୁ ନୂତନ ଓଡ଼ିଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ । ପୃଥିବୀର କ୍ରାନ୍ତ ପଥକୁ ୧୨ ଭାଗ, ୧୨ ମାସ ବା ୧୨ଟି ରାଶିରେ ବିଭକ୍ତ କରାଯାଇଥାଏ । ତେଣୁ ରାଶି ଚକ୍ରର ପ୍ରଥମ ରାଶି ମେଷ ହୋଇଥିବାରୁ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଇଥାଏ । ଆରମ୍ଭ ହୋଇଥିବା ନୂତନ ପାଞ୍ଜି ଅନୁଯାୟୀ, ମେଷ ସଂକ୍ରାନ୍ତି ହେଇଛି ବର୍ଷର ପ୍ରଥମ ସଂକ୍ରାନ୍ତି । ଏହି ଦିନଠାରୁ ବସନ୍ତ ଶେଷ ହୋଇ ଓ ଗ୍ରୀଷ୍ମ ରତୁ ଆରମ୍ଭ ହୋଇଥାଏ । ନବ ବର୍ଷର ଏହି ଦିନରେ ଘରେ ଘରେ ଦେବୀ ଦେବତାଙ୍କ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। । ଖାସ୍ କରି ଏହି ଦିନରେ ପ୍ରଚଣ୍ତ ରୌଦ୍ରତାପରୁ ମାଆ ବୃନ୍ଦାବତୀଙ୍କୁ ରକ୍ଷା କରିବା ଚଉରା ଉପରେ ଚାଞ୍ଚେରା ବାନ୍ଧି ଛୋଟ ମାଠିଆରେ ପାଣି ରଖି ଚଉରା ମୂଳରେ ବନ୍ଧା ଯାଇଥାଏ । ସେହି ବନ୍ଧା ଯାଇଥିବା ମାଠିଆରେ ଏକ କ୍ଷୁଦ୍ର ଛିନ୍ଦ୍ର ମଧ୍ଯ କରାଯାଇଥାଏ । ସେହି କ୍ଷୁଦ୍ର ଛିନ୍ଦ୍ରରୁ ମାଆ ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରାଯାଇଥାଏ । ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଇଥାଏ ।
କୁହାଯାଏ ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ଯ ବୃଦ୍ଧି ପାଇଥାଏ । ତେବେ ଏହି ସମୟରେ ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନ କରାଯାଇଥାଏ । ଓଡ଼ିଆ ମାନେ ଏହି ଛେନା, କ୍ଷୀର, ବେଲ ଓ ଗୁଡ଼ିର ମିଶ୍ରଣରେ ପଣା ପ୍ରସ୍ତୁତ କରି ଭଗବାନକୁ ଅର୍ପଣ କରିବା ପରେ ନିଜେ ପିଇବାର ପରମ୍ପରା ରହିଛି । ତେବେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସମୟରେ ଶରୀରକୁ ସୁସ୍ଥ ରଖିବା ଲାଗି ଏହି ପଣା ପିଆଯାଇଥାଏ । ଓଡ଼ିଆଙ୍କ ଏହି ନବ ବର୍ଷରେ ଘରେ ଘରେ ଜମିଥାଏ ପଣାର ଆସର । ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଏହି ଦିନ ପ୍ରଭୁ ପବନ ପୁତ୍ର ହନୁମାନ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ଅଟେ । ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଦକ୍ଷିଣ ଓଡ଼ିଶାରେ ପଣା ସଂକ୍ରାନ୍ତି ସମୟରେ ଦଣ୍ଡନାଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।
ସେପଟେ ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହାପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିେଜ କରାଯାଏ। ଏହି ସମୟରେ ଶ୍ରୀମନ୍ଦିରର ଚାରିଦ୍ବାର ଓ ଦକ୍ଷିଣ ଦ୍ବାରରେ ଥିବା ବାରଭାଇ ହନୁମାନଙ୍କୁ ଆଜ୍ଞାମାଳ ଦିଆଯାଏ। ଏହାପରେ ବିମାନବଡ଼ୁ ସେବକମାନେ ବିମାନରେ ଠାକୁରଙ୍କୁ ନେଇ ଜଗନ୍ନାଥ ବଲ୍ଳଭ ମଠକୁ ଯାଆନ୍ତି। ଜଗନ୍ନାଥ ବଲ୍ଲଭ ମଠରେ ଥିବା ମହାବୀରମାନଙ୍କୁ ଆଜ୍ଞା ମାଳ ଦିଆଯିବା ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ଦରିଆ ମହାବୀରଙ୍କ ପାଖକୁ ଯାନ୍ତି। ସେଠାରୁ ଫେରିବା ପରେ ଜଗନ୍ନାଥ ବଲ୍ଲଭ ମଠରେ କେତେକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଶ୍ରୀହନୁମାନ ବାହୁଡ଼ା ବିଜେ କରି ବଡ଼ଦେଉଳକୁ ଆସିଥାନ୍ତି। ପଣା ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଖାସ ଦିନ ଅଟେ। ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ଼ କରିଥାଏ।