Tomato Price Hike: ରୋଷେଇ ଘରର ଅତ୍ୟାବଶ୍ୟକ ପରିବା ମଧ୍ୟରେ ରହିଛି ଟମାଟୋ । ତରକାରିଠାରୁ ଆରମ୍ଭ କରି ସାଲାଡ୍ ପର୍ଯ୍ୟନ୍ତ ସବୁଥିରେ ପ୍ରାୟତଃ ଟମାଟୋ ବ୍ୟବହାର କରାଯାଇଥାଏ । ତେଣୁ ରୋଷେଇ ଘରେ ଟମାଟୋର ସ୍ଥାନ ସ୍ୱତନ୍ତ୍ର । ବର୍ତ୍ତମାନ ପାର୍ବଣ ଋତୁରେ ସବୁଠି ଉତ୍ସବ ଚାଲିଥିବା ସମୟରେ ଟମାଟୋକୁ ନେଇ ଚିନ୍ତା ବଢିଛି । କାରଣ ଟମାଟୋର ଅନିୟନ୍ତ୍ରିତ ମୂଲ୍ୟ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଦର କେଜି ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଛି ।


COMMERCIAL BREAK
SCROLL TO CONTINUE READING

ନବରାତ୍ରୀ କାରଣରୁ ଟମାଟୋର ଚାହିଦା ଅଧିକ ରହିଛି । କାରଣ ବର୍ତ୍ତମାନ ହିନ୍ଦୁ ସମ୍ପ୍ରଦାୟର ଅଧିକାଂଶ ଲୋକ ପିଆଜ ଏବଂ ରସୁଣ ଖାଉ ନାହାଁନ୍ତି ଏବଂ ଏଭଳି ପରିସ୍ଥିତିରେ ଟମାଟୋକୁ ତରକାରିରେ ଅଧିକ ପରିମାଣର ବ୍ୟବହାର କରାଯାଇଥାଏ । କିନ୍ତୁ ବର୍ତ୍ତମାନ ମଧ୍ୟବିତ୍ତଙ୍କ ରୋଷେଇ ଘରେ ଟମାଟୋ ଦେଖିବାକୁ ମିଳୁନାହିଁ । ସାଧାରଣତଃ ଚାହିଦା ସତ୍ୱେ ମଧ୍ୟ ଟମାଟୋ ଅକ୍ଟୋବର ମାସରେ ଏତେ ମହଙ୍ଗା ହୁଏ ନାହିଁ କିନ୍ତୁ ଏଥର ଟମାଟୋ ଖୁଚୁରା ଦର ୧ କେଜି ପିଚ୍ଛା ୧୦୦ରୁ ୧୩୦ ଟଙ୍କାରେ ବିକ୍ରି କରାଯାଉଛି । 


ଦିଲ୍ଲୀର କେଶୋପୁର ମଣ୍ଡିରେ ଟମାଟୋର ହୋଲସେଲ ବ୍ୟବସାୟ କରୁଥିବା ବ୍ୟବସାୟୀ ବାବୁ ଲାଲଙ୍କ କହିବାନୁଯାୟୀ, ବର୍ଷା କାରଣରୁ ଟମାଟୋ ଫସଲ ବହୁ କ୍ଷତି ସହିଛି ଏବଂ ଯେତିକି ଟମାଟୋ ଆସୁଛି ତାହା ବଜାରର ଚାହିଦା ମେଣ୍ଟାଇ ପାରୁ ନାହିଁ । ଟମାଟୋ ଦର ସହିତ ଏହି ପର୍ବର କୌଣସି ସମ୍ପର୍କ ନାହିଁ । ଯେହେତୁ ଟମାଟୋ ବାଙ୍ଗାଲୋରରୁ ଦିଲ୍ଲୀ ଆସୁଛି ଏବଂ ଚାହିଦା ଅଧିକ ରହିଛି ତେଣୁ ଏହାର ମୂଲ୍ୟ ବୃଦ୍ଧି ପାଇଛି । ଦୂର ରାଜ୍ୟ ବାଙ୍ଗାଲୋରରୁ ଟମାଟୋ ଆସିବା କାରଣରୁ ପରିବହନ ମୂଲ୍ୟ ମଧ୍ୟ ଅଧିକ ରହିଛି । ଯାହା ଟମାଟୋର ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ସେ କହିଛନ୍ତି ଯେ, ବର୍ତ୍ତମାନ ହୋଲସେଲରେ ଭଲ ଟମାଟୋର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୮୦ ରୁ ୯୦ ଟଙ୍କାରେ ବିକ୍ରି କରାଯାଉଛି । ଖୁଚୁରା ବଜାରରେ ପହଞ୍ଚିବା ବେଳକୁ ଏହା କେଜି ପିଛା ୧୦୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଛି । ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଏହାର ମୂଲ୍ୟ କେଜି ପ୍ରତି ୫୦-୬୦ ଟଙ୍କାରୁ କମ୍ ହେବ ନାହିଁ।


ଅନ୍ୟପଟେ କୋବି ଦର ମଧ୍ୟ ବଢିଛି । ବଜାରରେ କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ସାଧାରଣତଃ ବଜାରରେ କୋବିର ମୂଲ୍ୟ କେଜି ପ୍ରତି ପାଖାପାଖି ୪୦ଟଙ୍କା ରହିଥାଏ କିନ୍ତୁ ବର୍ତ୍ତମାନ ଏହାର ଦର ମଧ୍ୟ ବଢିଛି । ବ୍ୟବସାୟୀଙ୍କ କହିବାନୁଯାୟୀ, ଅନେକ ସ୍ଥାନରେ କୋବି ଫସଲ ନଷ୍ଟ ହୋଇଯାଇଛି ଏବଂ ବର୍ତ୍ତମାନ କୋବି କେବଳ ରାଜସ୍ଥାନର ପୁଷ୍କରରୁ ଦିଲ୍ଲୀ ଆସୁଛି, ଯେଉଁ କାରଣରୁ ଏହା ମହଙ୍ଗା ମୂଲ୍ୟରେ ବିକ୍ରି ହେଉଛି। ସେ କହିଛନ୍ତି ଯେ, ଆସନ୍ତା ନଭେମ୍ବର ମାସରେ ଦିଲ୍ଲୀର ସ୍ଥାନୀୟ କୋବି ବଜାରରେ ପହଞ୍ଚିବା ଆରମ୍ଭ କଲେ ଏହାର ମୂଲ୍ୟ ହ୍ରାସ ପାଇବ।


ଯଦି ଆମେ ଅନ୍ୟ ପନିପରିବା ବିଷୟରେ କହିବା, ସେଗୁଡିକ ମଧ୍ୟ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି । ଅଧିକାଂଶ ସବୁଜ ପନିପରିବା ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ଅଧିକ ରହିଛି । ଯେଉଁଥିପାଇଁ ଲୋକଙ୍କ ଖାଦ୍ୟଥାଳିରେ ସବୁଜ ପନିପରିବା ପରିମାଣ ମଧ୍ୟ ପ୍ରଭାବିତ ହୋଇଛି । ମଟର ଏବଂ ଗାଜରର ମୂଲ୍ୟ ମଧ୍ୟ ଟମାଟୋ ଭଳି ୧୦୦ ରୁ ଅଧିକ ରହିଛି । ଅନ୍ୟାନ୍ୟ ପନିପରିବା ମଧ୍ୟ କେଜି ପ୍ରତି ୬୦ ରୁ ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । କିନ୍ତୁ ବର୍ତ୍ତମାୱ ଲୋକଙ୍କ ଉପରେ ସବୁଠାରୁ ବଡ ପ୍ରଭାବ ପକାଇଛି ଟମାଟୋର ମୂଲ୍ୟ ବୃଦ୍ଧି ।


ଦିଲ୍ଲୀର କେଶୋପୁର ବଜାରରେ ଟମାଟୋ କେଜି ପିଛା ୮୦ରୁ ୯୦ ଟଙ୍କା ରହିଥିବା ସମୟରେ ସବୁଜ ଲଙ୍କା ୭୦ରୁ ୮୦ ଟଙ୍କା ରହିଛି । ସେହିପରି ଧନିଆ ପତ୍ର ୬୦ରୁ ୧୬୦, ଅଦା ୮୦ରୁ ୨୦୦, ଲେମ୍ବୁ ୧୦୦ରୁ ୨୦୦ ଆଳୁ ୩୦ ଟଙ୍କା, ପିଆଜ ୫୦ରୁ ୫୮, ଫୁଲକୋବି ୮୦, ମୂଳା ୫୦ରୁ ୬୦, କଦଳୀ ୪୦, ଗାଜର ୧୨୦ କାକୁଡି ୪୦ରୁ ୬୦, ବିନ୍ସ ୭୦, ମଟର ୧୦୦ ଟଙ୍କା ରହିଛି ।


Also Read- Today Horoscope: ବୃଷ-ସିଂହ ସହ ଏହି ସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର


Also Read- BSNL 5G: ଘରୋଇ ଟେଲିକମ୍ କମ୍ପାନୀ ଛାତିରେ ଛନକା ! ଖୁବଶୀଘ୍ର ବିଏସଏନଏଲ ଯୋଗାଇବ ଏହି ସୁବିଧା