US-UK Attack on Houthi Rebels: ଆରବ ସାଗର ସମତେ ଲାଲ ସାଗର ଏବଂ ଆଡେନ ଉପସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କୁ ମିଳିଲାଣି ଜବାବ। ବିଗତ କିଛି ବର୍ଷ ଧରି ଗୃହଯୁଦ୍ଧର ସାମ୍ନା କରୁଥିବା  
ୟମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ ଗ୍ରହଣ କରାଯାଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ବର୍ଷ ଶେଷରେ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରୁଥିଲେ। ଯାହାର ଜବାବ ଏବେ ଆମେରିକା, ବ୍ରିଟେନ ସହାୟତାରେ ଦେବା ଆରମ୍ଭ କରିଦେଇଛି। 


COMMERCIAL BREAK
SCROLL TO CONTINUE READING

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ପ୍ରତ୍ୟକ୍ଷଦର୍ଶୀ ୟମେନ ଠାରେ ବିସ୍ଫୋରଣ ହୋଇଥିବାର ନିଶ୍ଚିତ କରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ଆମେରିକା ହୁଥି ବିଦ୍ରୋହୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ। ଆମେରିକା ପକ୍ଷରୁ କରାଯାଇଥିବା ଆକ୍ରମଣ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି। ତାହା ହେଉଛି ଯେ ଆମେରିକା ଏବଂ ଏହାର ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବରଦାସ୍ତ କରାଯାଇ ପାରିବ ନାହିଁ। ସେହିପରି ଶତ୍ରୁପକ୍ଷ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରିପାରିବେ ନାହିଁ। 


ଆକ୍ରମଣ ହୋଇଥିବା ନେଇ ସ୍ପଷ୍ଟ କଲେ ହୁଥି ଅଧିକାରୀ
ଜଣେ ହୁଥି ଅଧିକାରୀ ରାଜଧାନୀ ସାନା ତଥା ସାଦା ଏବଂ ଧମାର ସହର ତଥା ହୋଦେଇଡା ପ୍ରଦେଶରେ ହୋଇଥିବା ଆକ୍ରମଣକୁ ସ୍ପଷ୍ଟ କରିଛନ୍ତି। ଏହି ଆକ୍ରମଣକୁ ଆମେରିକା-ଜାପାନ-ବ୍ରିଟେନ ଆକ୍ରୋଶ ବୋଲି କହିଛନ୍ତି ହୁଥି ଅଧିକାରୀ।


ବିମାନ, ଜାହାଜ, ବୁଡ଼ାଜାହାଜ ଦ୍ୱାରା ହୋଇଥିଲା ଆକ୍ରମଣ 
ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ବିମାନ, ଜାହାଜ ଏବଂ ବୁଡ଼ାଜାହାଜ ଦ୍ୱାରା ହୁଥି ବିଦ୍ରୋହୀଙ୍କ ଉପରେ ହୋଇଥିଲା ଆକ୍ରମଣ। ହୁଥି ବିଦ୍ରୋହୀଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି।  ହୁଥି ବିଦ୍ରୋହୀଙ୍କ ବିରୋଧରେ ହୋଇଥିବା ଆକ୍ରମଣ ସେମାନଙ୍କ ସାମରିକ କ୍ଷମତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ହୋଇଛି। ସେମାନଙ୍କ ବିରୋଧରେ ହୋଇଥିବା ଆକ୍ରମଣ କେବଳ ସାଙ୍କେତିକ ଆକ୍ରମଣ ନୁହେଁ। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ହୁଥି ବିଦ୍ରୋହୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଟମହାକ୍ କ୍ଷେପଣାସ୍ତ୍ର ବ୍ୟବହୃତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକା ଏବଂ ଏହାର ସହଯୋଗୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ହୁଥି ବିଦ୍ରୋହୀଙ୍କ  ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଅସ୍ତ୍ରାଗର ମାଟିରେ ମିଶିଯାଇଛି।


ଗତ ୨୦୧୪ ବର୍ଷରୁ ୟମେନ ଠାରେ ଆରମ୍ଭ ହୋଇଯାଇଛି ଗୃହଯୁଦ୍ଧ। ଯାହା ପରେ ୟମେନର ଅଧିକାଂଶ ଭାଗ ହୁଥି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରହିଛି। ଲାଲ ସାଗରରେ ଯାତୟତ କରୁଥିବା ଜାହାଜ ଉପରେ ହେଉଥିବା ଆକ୍ରମଣ ପାଲେଷ୍ଟାଇନ ଗାଜା ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ହାମାସ ଗୋଷ୍ଠୀକୁ ସମର୍ଥନ ଲାଗି ଉଦ୍ଦିଷ୍ଟ ବୋଲି ହୁଥି ବିଦ୍ରୋହୀ କହିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଗତ ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ୍। ଯାହାର ଜବାବ ଦେବାକୁ ଯାଇ ଇସ୍ରାଏଲ ହମାସ ବିରୋଧରେ ଆରମ୍ଭ କରିଥିଲା ଜବାବୀ କାର୍ଯ୍ୟାନୁଷ୍ଠାନ। ଯେଉଁଥିରେ ଗାଜା ଅଞ୍ଚଳରେ ୨୩ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପଟେ ହମାସ୍ ଆକ୍ରମଣରେ ୧୨୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି। ହୁଥି ବିଦ୍ରୋହୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଜାହାଜ ଉପରେ ଆକ୍ରମଣ କରି ୟୁରୋପ-ଏସିଆ ମଧ୍ୟରେ ରହିଥିବା ପ୍ରମୁଖ ସାମୁଦ୍ରିକ ମାର୍ଗରେ ହେଉଥିବା ଅନ୍ତର୍ଜାତୀୟ ବାଣିଜ୍ୟରେ ବାଧା ସୃଷ୍ଟି କରିଛନ୍ତି। ଯାହା ଜାହାହ ଯୋଗେ ହେଉଥିବା ବିଶ୍ୱ ବାଣିଜ୍ୟର ପ୍ରାୟ ୧୫ ପ୍ରତିଶତ।