Patalkot Express Fire Today: ଅକ୍ଟୋବର ୨୫ ତାରିଖ ବୁଧବାର ପାତାଳକୋଟ ଏକ୍ସପ୍ରେସ୍ ରେ ହୋଇଯାଇଛି ଅଗ୍ନିକାଣ୍ଡ। ଏହି ଟ୍ରେନ୍ ର ଜେନେରାଲ କୋଚ୍ ରେ ନିଆଁ ଲାଗିଥିବାର ଖବର ମିଳିଛି। ବୁଧବାର ଉତ୍ତର ପ୍ରଦେଶ ଭାଣ୍ଡାଇ ରେଳ ଷ୍ଟେସନ ନିକଟରେ ପ୍ରବଳ ବିସ୍ଫୋରଣ ପରେ ପାତାଳକୋଟ ଏକ୍ସପ୍ରେସ୍ ର ଜେନେରାଲ କୋଚ୍ ରେ ନିଆଁ ଲାଗି ଯାଇଥିଲା। ଟ୍ରେନ ମଥୁରା ଠାରୁ ଝାନ୍ସୀ  ଅଭିମୁଖେ ଯାତ୍ରା କରିବା ବେଳେ ଅଗ୍ନିକାଣ୍ଡ ହୋଇଥିବାର ଜଣାପଡ଼ିଛି। ନିଆଁ ଲାଗିଯିବା ପରେ ଟ୍ରେନ ଜେନେରାଲ କୋଚ୍ ରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଟ୍ରେନ୍ ଅଟକାଇବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଦିଆଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ଟ୍ରେନ୍ ର ଦୁଇଟି କୋଚ୍ ରେ ନିଆଁ ଲାଗିବା କାରଣରୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରବଳ ବିସ୍ଫୋରଣ ପରେ ଲାଗି ଯାଇଥିଲା ନିଆଁ 
ବୁଧବାର ଅପରାହ୍ନରେ ମଥୁରା ଠାରୁ ଝାନ୍ସି ଅଭିମୁଖେ ଯାତ୍ରା କରୁଥିବା ପାତାଳକୋଟ ଏକ୍ସପ୍ରେସ୍ ଆଗ୍ରା କ୍ୟାଣ୍ଟ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲା। ସେଠାରୁ ଟ୍ରେନ ଝାନ୍ସି ଅଭିମୁଖେ ଏହାର ଯାତ୍ରା ଆରମ୍ଭ କରିଥିଲ। ଟ୍ରେନ୍ କ୍ୟାଣ୍ଟ ଠାରୁ ୮ କିଲୋମିଟର ଦୂରରେ ରହିଥିବା ଭଣ୍ଡାଇ ରେଳ ଷ୍ଟେସନ ପାର ହେବା ମାତ୍ରେ ପାତାଳକୋଟ ଏକ୍ସପ୍ରେସ୍ ଜେନେରାଲ କୋଚ୍ ରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ଯାହା ପରେ କୋଚ ମଧ୍ୟରୁ ଉଭୟ ନିଆଁ ଆଉ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। କୋଚ ମଧ୍ୟରେ ନିଆଁ ଲାଗିବା ସହ ଧୂଆଁ ବାହାରିବା ପରେ ଯାତ୍ରୀ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ। ସେମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲେ।


କୋଚ୍ ଭିତରୁ ଡେଇଁ ପଡ଼ି ନିଜର ଜୀବନ ରକ୍ଷା କରିଥିଲେ ଯାତ୍ରୀ 
ଲୋକ ପାଇଲଟ୍ ଜରୁରୀକାଳୀନ ବ୍ରେକ ଲଗାଇ ଟ୍ରେନ ଅଟକାଇ ଦେଇଥିଲା। ଟ୍ରେନ ଅଟକାଇବା ପରେ ଲୋକ ପାଇଲଟ ଅଗ୍ନିକାଣ୍ଡ ସମ୍ପର୍କରେ ରେଳବାଇ ନିୟନ୍ତ୍ରଣ କକ୍ଷକୁ ଜଣାଇଥିଲେ। ଟ୍ରେନ୍ ଅଟକି ଯିବା ମାତ୍ରେ ଯାତ୍ରୀ କୋଚ୍ ଭିତରୁ ଡେଇଁ ନିଜର ଜୀବନ ରକ୍ଷା କରିଥିଲେ। ସେତେବେଳକୁ ଉଭୟ କୋଚ୍ ସମ୍ପୂର୍ଣ୍ଣ ନିଆଁରେ ପୋଡି ହୋଇଯାଇଥିଲା। ଯାହାକୁ ଟ୍ରେନ୍ ର ଅନ୍ୟ କୋଚ ଠାରୁ ଅଲଗା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏହି ସମୟରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପହଞ୍ଚି ଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଅଗ୍ନିଶମ ବାହିନୀ ତତ୍କାଳ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା।


ଏହି ଘଟଣାରେ କ’ଣ କହିଲା ରେଳବାଇ?
ବୁଧବାର ପାତାଳକୋଟ ଏକ୍ସପ୍ରେସ୍ ରେ ହୋଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଭାରତୀୟ ରେଳବାଇ। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଆଗ୍ରା-ଧୌଲପୁର ମଧ୍ୟରେ ପାତାଲକୋଟ ଏକ୍ସପ୍ରେସ୍ ମଧ୍ୟରୁ ଧୂଆଁ ବାହାରୁଥିବାର ଖବର ମିଳିଥିଲା। ଟ୍ରେନ ଇଞ୍ଜିନ ପାଖରୁ ଚତୁର୍ଥ କୋଚ୍ ରେ ଧୂଆଁ ବାହାରୁଥିବାର ଦେଖାଯାଇଥିଲା। ଏହା ପରେ ଟ୍ରେନ୍ କୁ ତୁରନ୍ତ ଅଟକାଇ ଧୂଆଁ ବାହାରୁଥିବା କୋଚ୍ କୁ ଅଲଗା କରାଯାଇଥିଲା। ଏହି ଘଟଣାରେ  କୌଣସି ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ।


ଆହତଙ୍କୁ ପଠାଗଲା ଡାକ୍ତରଖାନା 
ଏହି ଘଟଣାରେ ପ୍ରତିକ୍ରିୟା ରଖି ପଶ୍ଚିମ ଆଗ୍ରା ଡିସିପି ସୋନମ କୁମାର କହିଛନ୍ତି ଯେ, ବୁଧବାର ପାତାଳକୋଟ ଏକ୍ସପ୍ରେସ୍ ର ଜେନେରାଲ କୋଚ୍ ରେ ନିଆଁ ଲାଗି ଯାଇଥିବାର ଖବର ଆସିଥିଲା। ଏହି ଖବର ମିଳିବା ମାତ୍ରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ଲିଭାଇବା କାର୍ଯ୍ୟରେ ୫ ଦମକଳ ଗାଡ଼ିକୁ ବ୍ୟବହାର କରାଯାଇଥିଲା। ଅଗ୍ନିକାଣ୍ଡ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୋଚ୍ ଭିତରୁ ବାହାର କରାଯାଇଥିଲା। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଘଟିବା ପଛରେ କେଉଁ କାରଣ ରହିଛି ତାହାର ଅନୁସନ୍ଧାନ କରାଯାଉଛି।