Chandauli Tea News: ଖାଦ୍ୟ ପ୍ରସ୍ତୁତିରେ ଆଗ୍ରହ ରଖୁନଥିବା ବ୍ୟକ୍ତି ବିଭିନ୍ନ ସମୟରେ ରୋଷେଇ ସାମଗ୍ରୀ ଚିହ୍ନିବାରେ ବିଫଳ ହୋଇଥାନ୍ତି। ସେମାନେ ରୋଷେଇ କରିବା ଲାଗି ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ ରହିଥିବା ପାର୍ଥକ୍ୟ ମଧ୍ୟ ଜାଣି ପାରିନଥାନ୍ତି। ରୋଷେଇ କରିବା ବେଳେ ଏଭଳି ଲୋକଙ୍କ ଦ୍ୱାରା କରାଯାଉଥିବା ଭୁଲ କାରଣରୁ ବିଭିନ୍ନ ସମୟରେ ଅପ୍ରତ୍ୟାଶିତ ଘଟଣା ଘଟିଥାଏ।   


COMMERCIAL BREAK
SCROLL TO CONTINUE READING

ସଦ୍ୟ ଉତ୍ତର ପ୍ରଦେଶର (Uttar Pradesh) ଚନ୍ଦୌଲି ଜିଲ୍ଲାରେ (Chandauli District) ଘଟିଯାଇଛି ଏଭଳି ଘଟଣା। ଏଠାରେ ଯେଉଁ ଘଟଣା ଘଟିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘର ଲୋକଙ୍କ ପାଇଁ ଚାହା ତିଆରି କରିବା ବେଳେ ଜଣେ ଯୁବତୀ ଚାହା ପତି ପକାଇବା ବଦଳରେ ଚାହାରେ ମୂଷା ମାରିବା ଔଷଧ ପକାଇ ଦେଇଥିଲେ।


ଚନ୍ଦୌଲି ଜିଲ୍ଲାର କାଂଶୀରାମ କଲୋନୀରେ ଘଟିଯାଇଛି ଏଭଳି ଘଟଣା। ଏଠାରେ ୩୮ ବର୍ଷୀୟ ରାଜଧନୀ ତାଙ୍କ ପରିବାର ସହିତ ରୁହନ୍ତି। ତାଙ୍କର ଗୋଟିଏ ଝିଅ ଏବଂ ୨ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ୧୮ ବର୍ଷୀୟ ଗଣେଶ ଏବଂ ୧୨ ବର୍ଷୀୟ ଦୀନେଶ। ଯେତେବେଳେ ରାଜଧନୀ ଚାହା ପିଇବାକୁ ଚାହିଁଲେ, ସେତେବେଳେ ଚାହା ତିଆରି କରିବାକୁ ସେ ତାଙ୍କ ଝିଅକୁ କହିଲେ। ଏହି ସମୟରେ ତାଙ୍କ ପୁଅ ମଧ୍ୟ ଘରେ ଉପସ୍ଥିତ ଥିଲେ। ସେମାନେ ମଧ୍ୟ ଚାହା ପିଇବାକୁ କହିଥିଲେ।


ଏହା ପରେ ରାଜଧନୀଙ୍କ ଝିଅ ଚାହା ତିଆରି କରିବାକୁ ରୋଷେଇ ଘରକୁ ଚାଲି ଯାଇଥିଲେ। ହେଲେ ଚାହା ତିଆରି କରିବା ସମୟରେ ବିଦ୍ୟୁତ କାଟ ହୋଇଥିଲା। ରାଜଧନୀଙ୍କ ଝିଅ ଅନ୍ଧାରରେ ଚାହା ତିଆରି କରିବାରେ ଲାଗିଥିଲେ। ହେଲେ ସେତେବେଳେ ସେ ଚାହା ପତି ବଦଳରେ ଚାହାରେ ମୂଷା ମାରିବା ଔଷଧ ପକାଇ ଦେଇଥିଲେ। ହେଲେ ଏହା ଦ୍ୱାରା ଚାହା ରଙ୍ଗରେ ମଧ୍ୟ କୌଣସି ବିଶେଷ ପରିବର୍ତ୍ତନ ହୋଇନଥିଲା। ଚାହା ତିଆରି କରିବା ପରେ ରାଜଧାନୀଙ୍କ ଝିଅ ରାଜଧନୀ ଏବଂ ତାଙ୍କ ୨ ପୁଅକୁ ପିଇବାକୁ ଦେଇଥିଲେ।  ଉଭୟ ବାପ-ପୁଅ ସେହି ବିଷାକ୍ତ ଚାହାକୁ ପିଇ ଯାଇଥିଲେ।
 
ସେହି ବିଷାକ୍ତ ଚାହା ପିଇବା ପରେ ରାଜଧନୀ ଏବଂ ତାଙ୍କ ୨ ପୁଅର  ଅବସ୍ଥା ଖରାପ ହେବାରେ ଲାଗିଥିଲା। ଚାହା ପିଇବା ପରେ ସମସ୍ତେ ବାନ୍ତି କରିବା ଆରମ୍ଭ କରିଥିଲେ। ଏହି ଘଟଣା ଦେଖିବା ପରେ ତାଙ୍କ ଝିଅ ପାଟି କରି ଆଖପାଖର ଲୋକଙ୍କୁ ଡାକିଥିଲେ। ଶୀଘ୍ର ସେହି ୩ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗଣମାଧ୍ୟମ ଖବର ଅନୁଯାୟୀ ସେମାନଙ୍କୁ ପଣ୍ଡିତ କମଲପତି ତ୍ରିପାଠୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ତିନି ଜଣ ବିପଦରୁ ବାହାରି ଆସିଛନ୍ତି ଏବଂ ସେମାନଙ୍କ ଅବସ୍ଥା ଭଲ ରହିଛି। ଏହି ଘଟଣାର କିଛି ଫଟୋ-ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ମୂଷା ମାରିବା ଔଷଧ ପ୍ୟାକେଟ ଦେଖିବାକୁ ମିଳୁଛି। ଯାହା ଏକ ଛୋଟ ଚାହା ପତି ପ୍ୟାକେଟ୍ ସହିତ ସମାନ।