Tiger Rescued after 12 Hours staying at Residential Area: ଜନବସତି ଅଞ୍ଚଳରେ ବାଘ ପ୍ରବେଶ କରିବାକୁ ନେଇ ଖେଳି ଯାଇଥିଲା ଆତଙ୍କ। ପ୍ରାୟ ୧୨ ଘଣ୍ଟାର ପରିଶ୍ରମ ପରେ ଜନବସତି ଅଞ୍ଚଳରେ ପ୍ରବେଶ କରିଥିବା ବାଘକୁ କରାଯାଇଥିଲା ଉଦ୍ଧାର। ଗତକାଲି ରାତିରେ ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା।  ଜିଲ୍ଲାରେ ଏକ ବାଘ ଜଣେ ଚାଷୀଙ୍କ ଘରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଭୟର ବାତାବରଣ। ବାଘର ପ୍ରବେଶ ପରେ ଚାଷୀଙ୍କ ପରିବାର ଲୋକେ ଘରେ ତାଲା ପକାଇ ଦେଇଥିଲେ। ଘରେ ବାଘ ପ୍ରବେଶ କରିଥିବା ନେଇ ଜାଣିବା ପରେ ଗ୍ରାମବାସୀ ବନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ପ୍ରାୟ ୧୨ ଘଣ୍ଟାର ପରିଶ୍ରମ ପରେ ଜଙ୍ଗଲ ବିଭାଗ ଟିମ୍ ଏବଂ ପୋଲିସ ଫୋର୍ସ ସହିତ ଆସିଥିବା ବନ ବିଭାଗ ଅଧିକାରୀ ବାଘକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ମେଡିକାଲ ପରୀକ୍ଷା ପାଇଁ ବାଘକୁ ଟାଇଗର ରେସକ୍ୟୁ ସେଣ୍ଟର ପଠାଇଥିଲା ବନ ବିଭାଗ।


COMMERCIAL BREAK
SCROLL TO CONTINUE READING

ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ପରୀକ୍ଷା କରିସାରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜନବସତି ଅଞ୍ଚଳକୁ ପ୍ରବେଶ କରିଥିବା ବାଘକୁ ମୁକ୍ତ କରାଯିବ। ଏନେଇ କୁହାଯାଉଛି ଯେ ଏହା ହେଉଛି ସମାନ ବାଘ ଯିଏ ବିଗତ ୩ ମାସ ଧରି ପିଲିଭିତ ଜିଲ୍ଲାର ପିପରିଆ ସନ୍ତୋଷ, ମଲ୍ଲାପୁର, ଜମୁନିଆ ସମେତ ଅନେକ ଗ୍ରାାମର ଆବାସିକ ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲା। ବର୍ତ୍ତମାନ ବାଘକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯିବା ପରେ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ପିଲିଭିଟ୍ ଟାଇଗର ରିଜର୍ଭ ଅଞ୍ଚଳ ନିକଟରେ ଅବସ୍ଥିତ ଅଟକୋନା ଗ୍ରାମର ଏକ ଘରର ପାଚେରୀରେ ବାଘ ବସିଥିବାର ଫଟୋ ଭାଇରାଲ ହୋଇଛି।



ଭାଇରାଲ ହୋଇଛି ପାଚେରୀରେ ବାଘ ବସିଥିବାର ଫଟୋ 
ଗତକାଲି ରାତି ପ୍ରାୟ ୧୨:୦୦ ସମୟରେ ସର୍ଦ୍ଦାର ସୁଖବିନ୍ଦର ସିଂହଙ୍କ ଘରେ ଏକ ବାଘ ପ୍ରବେଶ କରିଥିଲା। ପ୍ରଥମେ ବାଘ ଘରେ ଶୋଇଥିବା ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ବାଘ ପକ୍ଷରୁ ହୋଇଥିବା ଆକ୍ରମଣ ଉଦ୍ୟମ ବିଫଳ ହୋଇଥିଲା। ଏହା ପରେ ପରିବାର ଲୋକେ ନିଜକୁ ଘରେ ସୁରକ୍ଷିତ କରି ନେଇଥିଲେ। ସେମାନେ ପଡ଼ୋଶୀ ଲୋକଙ୍କୁ ଫୋନ ଯୋଗେ ବାଘ ତାଙ୍କ ଘରେ ପ୍ରବେଶ କରିଥିବା ନେଇ ଜଣାଇଥିଲେ। ଏହା ପରେ ସମସ୍ତ ଗ୍ରାମବାସୀ ଏକତ୍ରୀତ ହୋଇ ବାଘ ଫଟୋ ଉଠାଇ ବିନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।


ଟ୍ରାଙ୍କୁଲାଇଜିଂ ପରେ ଉଦ୍ଧାର ହୋଇଥିଲା ବାଘ 
ସକାଳ ହେବା ମାତ୍ରେ ବନ ବିଭାଗ ଦଳ ଏବଂ ବିଶେଷଜ୍ଞ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ କରିବା ପରେ ବାଘକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇସାରିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ବାଘକୁ ଟାଇଗର ରେସକ୍ୟୁ ସେଣ୍ଟର ପଠାଯାଇଥିଲା। ଏନେଇ ସର୍ଦ୍ଦାର ଯୋଗେନ୍ଦ୍ର ସିଂହ କହିଛନ୍ତି ଯେ ବାଘ ତାଙ୍କ ଘରେ ରାତି ପ୍ରାୟ ୧୨:୦୦ ସମୟରେ ପ୍ରବେଶ କରିଥିଲା। ଭୟ କାରଣରୁ ସମସ୍ତେ ରାତିସାରା ଘରେ ତାଲା ପକାଇ ନିଜକ ବନ୍ଦ କରି ରଖିଥିଲେ। ମଙ୍ଗଳବାର ମଧ୍ୟାନ୍ନରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାଙ୍କୁଲାଇଜିଂ କରି ବାଘକୁ ଉଦ୍ଧାର କରିଥିଲେ। 



ଜନବସତି ଅଞ୍ଚଳରେ ବୃଦ୍ଧି ପାଇଛି ବାଘର ଗତିବିଧି 
ଡିଏଫଓ ନବୀନ ଖଣ୍ଡେଲୱାଲ କହିଛନ୍ତି ଯେ ଜଙ୍ଗଲରୁ ଜନବସତି ଅଞ୍ଚଳକୁ ପଳାଇ ଆସିଥିବା ବାଘ ରାତିସାରା ଏଣେ ତେଣେ ବୁଲୁଥିଲା। ବହୁତ ଚେଷ୍ଟା କରିବା ତାକୁ ଧରାଯାଇଥିଲା। ପିଲିଭିତ ଜିଲ୍ଲାରେ ବାଘଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଘର ଗତିବିଧି କ୍ରମାଗତ ଭାବରେ ଦୃଶ୍ୟମାନ ହୋଇଥାଏ। ଏହି ବାଘକୁ ବର୍ତ୍ତମାନ ଉଦ୍ଧାର କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ ଟାଇଗର ରେସକ୍ୟୁ ସେଣ୍ଟର ପଠାଯାଇଛି। ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।