Uttarakhand Joshimath Sinking News: ଉତ୍ତରାଖଣ୍ଡସ୍ଥିତ ଯୋଶୀମଠ ଠାରେ ରହିଥିବା ହୋଟେଲ, ଘର, ରାସ୍ତାରେ ଦେଖାଯାଉଛି ବିପଜ୍ଜନକ ଫାଟ ଦେଖାଯିବାରେ ଲାଗିଛି। ଏହି ଖବର ବର୍ତ୍ତମାନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଯୋଶୀମଠ ଅଞ୍ଚଳରେ ଜମି ଧସିଯିବା କାରଣରୁ ଅନେକ ସ୍ଥାନରେ ପାଣି ବାହାରିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ପ୍ରକାର ଆଶଙ୍କା ବଢୁଛି। ଗତ ମଙ୍ଗଳବାର ସ୍ଥାନୀୟ ମରୱାଡୀ ଅଞ୍ଚଳର ଜମି ଧସିଯିବା କାରଣରୁ ଅନେକ ସ୍ଥାନରେ  ପାଣି ବାହାରିବାରେ ଲାଗିଥିଲା। ଏକଥା ଜାଣିବା ପରେ ଲୋକେ ଆତଙ୍କିତ ହୋଇଉଠିଥିଲେ। ତରବରିଆ ଭାବେ ସ୍ଥାନୀୟ ପ୍ରଶାସନ ଜୟପୀ କମ୍ପାନୀ ଅଧିନସ୍ଥ ୩୫ କୋଠା ଖାଲି କରି ଦେଇଥିଲା। ଏହା ସହିତ ଏଠାକାର ହୋଟେଲ ଠାରେ ପର୍ଯ୍ୟଟକଙ୍କ ରହିବା ଉପରେ ମଧ୍ୟ କଟକଣା ଲଗାଇଥିଲା। 


COMMERCIAL BREAK
SCROLL TO CONTINUE READING

ଜମି ଧସିଯିବା ଘଟଣାରେ ସୃଷ୍ଟି ହୋଇଥିବା ଆତଙ୍କ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସିଏମ ପୁଷ୍କର ସିଂହ ଧାମୀ ଯୋଶୀମଠ ଗସ୍ତ କରିବାକୁ ସ୍ଥିର କରିଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ ସମସ୍ତ ରିପୋର୍ଟ ଉପରେ ନଜର ରଖାଯିବ ଏବଂ ଲୋକଙ୍କୁ ବଞ୍ଚାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଯୋଶୀମଠ ଅଞ୍ଚଳରେ ରହିଥିବା ଏସିଆ ମହାଦେଶର ସବୁଠୁ ବଡ ରୋପୱେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଜମି ଧସିବା କାରଣରୁ ଜଳ ପ୍ରବାହିତ ହେତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି।


ପ୍ରାକୃତିକ ବିପର୍ଯ୍ୟୟ ସମ୍ଭାବନା ହେତୁ ଉତ୍ତରାଖଣ୍ଡର ଅନେକ ଅଞ୍ଚଳକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। ଏହି ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଯୋଶୀମଠ ହେଉଛି ପ୍ରମୁଖ। ଏହି କାରଣରୁ, ଅନେକ ପରିବେଶବିତ୍ ତଥା ସାମାଜିକ କର୍ମକର୍ତ୍ତା ଯୋଶୀମଠ ଅଞ୍ଚଳରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେବା ନେଇ ଆଶଙ୍କା କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ ଯୋଶୀମଠ କାହିଁକି ଧସିବାରେ ଲାଗିଛି?


ପାହାଡ଼ିଆ ଅଞ୍ଚଳ ହେତୁ ଉତ୍ତରାଖଣ୍ଡରେ ଭୂସ୍ଖଳନ ଘଟଣାକୁ ସାଧାରଣ ବୋଲି ବିବେଚନା କରାଯାଏ। ଅବଶ୍ୟ, ପରିବେଶବିତ ବିଶ୍ୱାସ କରନ୍ତି ଯେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବା କାରଣରୁ ଯୋଶୀମଠ ଭଳି ଅନେକ ଅଞ୍ଚଳର ଅବସ୍ଥା ଏପରି ହେବାରେ ଲାଗିଛି। ଯୋଶୀମଠ ପାହାଡ ତଳେ ଥିବା ସୁଡଙ୍ଗରୁ ବିଷ୍ଣୁଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିଆଯାଉଥିବାରୁ ଏଠାକର ଜମି ଧସିବାରେ ଲାଗିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ପରିବେଶବିଦଙ୍କ କହିବା ଅନୁଯାୟୀ ଯୋଶୀମଠ ଭୂକମ୍ପ ଜୋନ୍ ମଧ୍ୟରେ ରହିଛି। ଯାହା ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। 


ଗତ ୧୯୭୦ ଦଶକରେ ଅବିଭକ୍ତ ଉତ୍ତର ପ୍ରଦେଶର ଏକ ଅଂଶର ରହିଥିବା ଉତ୍ତରାଖଣ୍ଡରେ ବନ୍ୟା ଆସିବା ପରେ ଯୋଶୀମଠ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢିଯାଇଥିଲା। ଏହି ଭୂସ୍ଖଳନ ଘଟଣା ଉପରେ ନଜର ରଖିବା ପାଇଁ ତତ୍କାଳୀନ ସରକାର ଗଡୱାଲ କମିଶନର ମହେଶ ଚନ୍ଦ୍ର ମିଶ୍ରାଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଏହି କମିଟି ପକ୍ଷରୁ ପ୍ରକାଶିତ ରିପୋର୍ଟ ଜରିଆରେ କୁହାଯାଇଛି ଯୋଶୀମଠ ଅଞ୍ଚଳ ପାହାଡ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ। ଯଦି ଏହାର ରକ୍ଷଣାବେକ୍ଷଣ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାନଯାଏ, ତାହେଲେ ଏଠାରେ ପ୍ରାକୃତିକ ବିପର୍ଯ୍ୟୟ ଘଟିପାରେ। 


ମିଶ୍ରା କମିଟି କହିଛି ଯେ ଯୋଶୀମଠ ପାହାଡରେ କୌଣସି କାମ କରିବା ଦ୍ୱାରା ଏଠାରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏହାକୁ ଏଡାଇବା ପାଇଁ ଯୋଶୀମଠ ଠାରେ କୌଣସି ପ୍ରକାର ଭାରୀ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାହାଡ଼ର ଢାଲୁ ଅଞ୍ଚଳରେ ବୃକ୍ଷରୋପଣ କରିବାକୁ କମିଟି ସୁପାରିଶ କରିଥିଲା। ଯାହା ଦ୍ୱାରା ଭୂସ୍ଖଳନ ଭଳି ଘଟଣାକୁ ରୋକା ଯାଇପାରିବ। ହେଲେ କମିଟି ଦ୍ୱାରା କରାଯାଇଥିବା ସୁପାରିଶ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏପରିକି ଯୋଶୀମଠ ପାହାଡରେ ଗୋଟିଏ ପରେ ଗୋଟିଏ କାମ କରାଯାଇଥିଲା।


ଯୋଶୀମଠ ଅଞ୍ଚଳରେ ଜମି ଧସିଯିବା ଘଟଣା ଚିନ୍ତାଜନକ ହୋଇପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯୋଶୀମଠ ଅଞ୍ଚଳତୁ ଯାଞ୍ଚ କରିବାକୁ ଯାଇଥିବା ଦଳ ପ୍ରଶାସନକୁ ଅନେକ ପରାମର୍ଶ ଦେବା ସହ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ କହିଛି। ଏହା କୁହାଯାଉଛି ଯେ ଅନୁସନ୍ଧାନ କରିବାକୁ ଆସିଥିବା ଦଳ କହିଛି ଯେ ଯୋଶୀମଠ ଅଞ୍ଚଳରେ ଜମି ଧସିବାର ସବୁଠାରୁ ବଡ କାରଣ ହେଉଛି ଡ୍ରେନେଜ ବ୍ୟବସ୍ଥାର ଅନୁପସ୍ଥିତି। ହେଲେ ଲୋକେ  କହୁଛନ୍ତି ଯେ ଭୂମି ଭିତରୁ ବାହାରୁଥିବା ଜଳ ହେଉଛି ଅପରିଷ୍କାର ଏବଂ ଏହା ସ୍ୱେରେଜ୍ ପାଣି ନୁହେଁ।