ଭୁବନେଶ୍ୱର: ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ତାମିଲ ମୁହଁ ତଥା ବିଜେଡି ନେତା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ପୁଣିଥରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍)କୁ ଫେରିବେ। ଏପରି ଚର୍ଚ୍ଚା ଏବେ ରାଜ୍ୟର ବିଜ୍ଞ ମହଲରେ ଶୁଣିବାକୁ ମିଳୁଛି। ଏପରିକି ମନ୍ତ୍ରଣାଳୟ ସ୍ତରରେ ଆବଶ୍ୟକ ଉଦ୍ୟମ ହେଉଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ପାଣ୍ତିଆନ୍‍ ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ସମୟରେ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭାବେ କାର୍ଯ୍ୟ କରିଥିଲେ। ଦଳ ଭିତରେ କୌଣସି ପଦପଦବୀ ଗ୍ରହଣ କରି ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଖାସ ନେତା ଭାବରେ ସେ ପ୍ରଚାର କାର୍ଯ୍ୟର ପ୍ରମୁଖ ଦାୟିତ୍ୱ ନେଇଥିଲେ। ଏପରିକି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ଅପେକ୍ଷା ତାଙ୍କ ଗୁରୁତ୍ୱ ଅଧିକ ରହିଥିଲା। ଏହି କାରଣରୁ ବିଜେଡି ପରାଜୟ ମୁହଁ ଦେଖିଲା ବୋଲି ଅନେକ ବୁଦ୍ଧିଜୀବୀ କହୁଥିବା ବେଳେ ସେ ଏକ ସ୍ପଷ୍ଟିକରଣ ମଧ୍ୟ ଦେଇଛନ୍ତି। ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଥିବା ନେଇ ମଧ୍ୟ ଭିଡିଓ ବାର୍ତ୍ତା ଦେଇଛନ୍ତି। 


ବିଜେପି ସରକାରକୁ ଆସିଲେ ତାଙ୍କ ବିପକ୍ଷରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା କରାଯାଉଥିବା ବେଳେ ସେ ପୁଣିଥରେ ପ୍ରଶାସନିକ ସେବାକୁ ଫେରିବେ ବୋଲି ଏକ ଗୋଷ୍ଠୀ କହି ବୁଲୁଛନ୍ତି। ଶ୍ରୀ ପାଣ୍ଡିଆନ୍‍ ୨୦୦୦ ମସିହାରେ ଆଇଏଏସରେ ଯୋଗ ଦେଇଥିଲେ। ପଞ୍ଜାବ କ୍ୟାଡର ଅଧିକାରୀ ହୋଇଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନ୍‍ ଓଡ଼ିଆ ଝିଅ ସୁଜାତା ସାହୁଙ୍କୁ ବିବାହ କରିଥିବା ହେତୁ ଓଡ଼ିଶା କ୍ୟାଡରକୁ ସ୍ଥାନାନ୍ତର ହୋଇଥିଲେ। ତାମିଲନାଡ଼ୁର ମୂଳ ବାସିନ୍ଦା ପାଣ୍ଡିଆନ୍‍ ଧୀରେ ଧୀରେ ପ୍ରଶାସିନକ ସ୍ତରରେ ଅଧିକ କ୍ଷମତାଶାଳୀ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହର୍ତ୍ତାକର୍ତ୍ତା ସାଜିଥିଲେ। କିନ୍ତୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ହେତୁ ସେ ଗତ ପୂଜା ସମୟରେ ଅର୍ଥାତ୍‍ ଅକ୍ଟୋବର ମାସରେ ସେବାରୁ ଇସ୍ତଫା ଦେଇଥିଲେ। 


ନିୟମ ଅନୁସାରେ ସେବାରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଏକ ନୋଟିସ ସମୟ ଦେବାକୁ ପଡ଼ିଥାଏ କିନ୍ତୁ ପାଣ୍ଡିଆନ୍‍ଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଏହାକୁ ଛାଡ଼ କରିବାକୁ ଅନୁରୋଧ କରିଥିବାରୁ ସ୍ୱେଚ୍ଛାକୃତ ଅବସର ନିବେଦନକୁ ଗ୍ରହଣ କରାଯାଇଥିଲା।  ଏହା ପୂର୍ବରୁ ରାଜ୍ୟ ବିଜେପି ବିଧାନସଭାରେ ତାଙ୍କୁ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଅଧିକାରୀ ଥାଇ ସେ ଲୋକଙ୍କ ସହ ଆଲୋଚନା କରିବା, ନେତାଙ୍କ ଭଳି ଲୋକଙ୍କଠୁ ବିଭିନ୍ନ ଅଭିଯୋଗ ଗ୍ରହଣ କରିବା ଆଦି ଦେଖାଯାଇଥିଲା। ୧୯୦ ଟି ସାଧାରଣ ବୈଠକ ସେ କରିଥିବାରୁ ବିଜେପି ତାଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ବିଜେପିର ଏହି ଆହ୍ୱାନକୁ ସ୍ୱୀକାର କରିଥିଲେ ବଧ୍ୟ ଶ୍ରୀ ପାଣ୍ଡିଆନ୍‍ ରାଜନୀତିକ ମୈଦାନରେ ସମ୍ପୂର୍ଣ୍ର ବିଫଳ ହୋଇଥିଲେ। ତାଙ୍କ ନେତୃତ୍ୱରେ ବିଜେଡି ଶାସକ ଦଳରୁ ବିରୋଧୀ ଦଳକୁ ଫେରି ଆସିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ତାଙ୍କୁ ଦାୟୀ କରାଯାଉଛି। 


ଏବେ ସେ ନିଜର କ୍ୟାଡର ଭିତ୍ତିକ ଭାରତୀୟ ପ୍ରଶାସନିକ ସେବାକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି। ତେବେ ପୂର୍ବରୁ ରାଜନୀତିକୁ ଆସିଥିବା ଦୁଇ ଅଫିସରଙ୍କ ପୁଣିଥରେ ସେବାକୁ ଫେରିବା ନଜୀର ରହିଛି। ନିକଟରେ ଆଇଏଏସ୍‍ ଅଧିକାରୀ ଶାହ ଫୈଜାଲ ୨୦୧୯ରୁ  ସେବାରୁ ଅବ୍ୟାହତି ନେଇ ରାଜନୀତିରେ ଯୋଗ ଦେବାର ୩ ବର୍ଷ ପରେ ପୁଣିଥରେ ସେବାକୁ ଫେରିଥିଲେ। ସେ ଜମ୍ମୁ କଶ୍ମୀରୁ ପ୍ରଥମ ଆଇଏଏସ୍‍ ଟପ୍ପର ଥିଲେ। କିନ୍ତୁ ରାଜନୀତି ପ୍ରତି ଆଗ୍ରହ କାରଣରୁ ସେ ନିଜେ ଏକ ଦଳ ତିଆରି କରିଥିଲେ। ଏହାପରେ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।  


ସେହିପରି ଭାରତର ପ୍ରଥମ ମହିଳା ଆଇପିଏସ୍‍ କିରଣ ବେଦୀ ମଧ୍ୟ ରାଜନୀତିରେ ଯୋଗ ଦେବାଲାଗି ୧୯୮୨ ମସିହାରେ ଚାକିରି ଛଶଡ଼ିଥିଲେ। ପରେ ୧୯୯୩ ମସିହାରେ ସେ ପୁଣିଥରେ ସର୍ବଭାରତୀୟ ସେବାକୁ ଫେରିଥିଲେ। ଆଇଏଏସକୁ ପୁଣିଥରେ ଫେରିବା ଗୃହମନ୍ତ୍ରଣାଳୟ ଉପରେ ନିର୍ଭର କରିଥାଏ। ଏବେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ଅମିତ ଶାହଙ୍କ ସହ ଶ୍ରୀ ପାଣ୍ଡିଆନଙ୍କ ଉତ୍ତମ ସମ୍ପର୍କ ଥିବା କାରଣରୁ ତାଙ୍କର ଫେରିବା ନିଶ୍ଚିତ ବୋଲି ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।