G-20 Summit: କେଉଁ ବିଦେଶୀ ନେତା ଆସୁଛନ୍ତି ଜି-୨୦କୁ, ରହିବେ କେଉଁଠି? ଜାଣନ୍ତୁ..
G-20 Summit: ସେପ୍ଟେମ୍ବର ୯-୧୦ରେ ଜି -୨୦ ଶିଖର ସମ୍ମିଳନୀରେ ସମଗ୍ର ବିଶ୍ୱର ଅନେକ ଦେଶରୁ ବିଭିନ୍ନ ନେତାମାନେ ନୂଆଦିଲ୍ଲୀରେ ଏକାଠି ହେବେ । ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ସହିତ ପ୍ରାୟ ୧୯ ଟି ଦେଶରୁ ନେତାମାନେ ଯୋଗ ଦେବେ ।
G-20 Summit: ଭାରତରେ ଆୟୋଜିତ ହେଉଛି ଜି -୨୦ ଶିଖର ସମ୍ମିଳନୀ । ସମଗ୍ର ବିଶ୍ୱର ଅନେକ ଦେଶରୁ ମୁଖ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଭାରତର ରାଜଧାନୀ ନୂଆଦିଲ୍ଲୀ (New Delhi) ପ୍ରସ୍ତୁତ ଅଛି। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଅତ୍ୟାଧୁନିକ ଭାରତ ମଣ୍ଡପମ୍ (bharat mandapam) ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଇଷି ସୁନାକ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜାପାନ ପ୍ରଧାନମନ୍ତ୍ରୀ ଫିମିଓ କିଶିଡୋ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ୧୯ ଟି ଦେଶର ଅନେକ ବିଶିଷ୍ଟ ନେତା ଶୁକ୍ରବାର ଦିନରୁ ତିନି ଦିନିଆ ବୈଠକ କରିବେ। ଦିଲ୍ଲୀରେ ବିଭିନ୍ନ ପ୍ରସଂଙ୍ଗ ତଥା ଅର୍ଥନୀତି, ପରିବେଶ, ଭିତ୍ତିଭୂମି, ସ୍ଥାୟୀ ବିକାଶ ସହିତ ସମସ୍ତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବିଦେଶରୁ ଆସୁଥିବା ନେତାଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ଦିଲ୍ଲୀ ଖୁବ ସଜେଇ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ସମସ୍ତ ନେତାଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା (Traffic system) ଉପରେ ଅଧିକ ଧ୍ୟାନ ଦିଆଯାଇଛି ।
ଜି -୨୦ ସମ୍ମିଳନୀରେ ଭାଗ ନେଉଥିବା ଦେଶ ଗୁଡିକ ମଧ୍ୟରେ ଅଛନ୍ତି- ଆର୍ଜେଣ୍ଟିନା, ବ୍ରାଜିଲ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ମେକ୍ସିକୋ, ଇଟାଲୀ, ଜାପାନ, କୋରିଆ, ତୁର୍କୀ, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ । ଏଥିସହ ନେଦରଲ୍ୟାଣ୍ଡ, ସ୍ପେନ୍, ସିଙ୍ଗାପୁର, ଓମାନ, ବାଂଲାଦେଶ, ଇଜିପ୍ଟ, ମରିସସ୍ ଏବଂ ନାଇଜେରିଆକୁ ମଧ୍ୟ ଅତିଥି ଭାବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ୟୁକ୍ରେନକୁ ଜି -୨୦ ଶିଖର ସମ୍ମିଳନୀକୁ ଡକାଯାଇନାହିଁ ।
ନୂଆଦିଲ୍ଲୀର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଶୁକ୍ରବାର ଦିନ ଭାରତରେ ପହଞ୍ଚିବେ। ସେ ଦିଲ୍ଲୀରେ ପିଏମ ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ପରେ ସେପ୍ଟେମ୍ୱର ୯ ଓ ୧୦ରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବେ । ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ବ୍ରିଟେନର ପ୍ରଧାନମନ୍ତ୍ରୀ ଇଷି ସୁନାକ ମଧ୍ୟ ଭାରତର ରାଜଧାନୀକୁ ଆସୁଛନ୍ତି । ଏଥିସହ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, ଜାପାନ ପ୍ରଧାନମନ୍ତ୍ରୀ ଫିମିଓ କିଶିଡୋ, କୋରିଆର ରାଷ୍ଟ୍ରପତି, ଜର୍ମାନ ଚାନ୍ସେଲର, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ। ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମଧ୍ୟ ଯୋଗଦେବାର ସମ୍ଭାବନା ରହିଥିଲେ ମଧ୍ୟ ଏହାକୁ ନିଶ୍ଚିତ କରାଯାଇନାହିଁ । ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ତୁର୍କୀର ରାଷ୍ଟ୍ରପତି ମଧ୍ୟ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ପ୍ରଥମେ ନାଇଜେରିଆ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି।
ଆସନ୍ତୁ ଜାଣିବା କେଉଁ ନେତା ଜି ୨୦ କାର୍ଯ୍ୟକ୍ରମକୁ ଆସୁନାହାଁନ୍ତି
ରାଷ୍ଟ୍ରପତି ସି ଜିନପିଙ୍ଗ ଜି ୨୦ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ। ତାଙ୍କ ବଦଳରେ ଚୀନ୍ର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଚୀନ୍ ପ୍ରତିନିଧୀଙ୍କ ନେତୃତ୍ୱ ନେବେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଜି ୨୦ କାର୍ଯ୍ୟକ୍ରମକୁ ଆସୁନାହାଁନ୍ତି। ତାଙ୍କ ବଦଳରେ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ପ୍ରତିନିଧିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି।
ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ସେପ୍ଟେମ୍ୱର ୮ ସକାଳ ୮ଟାରେ ଦିଲ୍ଲୀରେ ପହଞ୍ଚି ଆଇଟିସି ମୌର୍ଯ୍ୟରେ ରହିବେ । ବ୍ରିଟେନର ପ୍ରଧାନମନ୍ତ୍ରୀ ଇଷି ସୁନାକ ସେପ୍ଟେମ୍ୱର ୮ ତାରିଖ ୧.୪୦ରେ ନୂଆଦିଲ୍ଲୀରେ ପହଞ୍ଚିବେ । ସେ ହୋଟେଲ ଶାଙ୍ଗ୍ରି ଲାରେ ରହିବେ । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଲଲିତ ହୋଟେଲରେ ରହିବେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରହିବେ କ୍ଲାରିଜ୍ ହୋଟେଲରେ । ଜାପାନର ପ୍ରଧାନମନ୍ତ୍ରୀ ଫିମିଓ କିଶିଡୋ ମଧ୍ୟ ଲଲିତ ହୋଟେଲରେ ରହିବେ । ଅନ୍ୟପଟେ ବିଦେଶରୁ ଅନେକ ନେତା ଆସୁଥିବାରୁ ନୂଆଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।