Bihar Model: ପାଟନା: ୨୦୨୪ ସାଧାରଣ ନିର୍ବାଚନ (General Election) ପାଇଁ ବିରୋଧିମାନେ ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି। ୨୦୨୪ ପାଇଁ ସମସ୍ତ ବିରୋଧୀଙ୍କୁ ଏକଜୁଟ କରାଇବାରେ ନୀତିଶ କୁମାର (Nitish Kumar) ଜୋରଦାର ଲାଗି ପଡ଼ିଛନ୍ତି। ସମସ୍ତ ବିରୋଧୀ କିପରି ଏକ ହୋଇପାରିବେ ସେଥିପାଇଁ ଏକ ମାହୋଲ ପ୍ରସ୍ତୁତ କରୁଛନ୍ତି ନୀତିଶ। ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ବିରୋଧୀଙ୍କ ନେତାଙ୍କୁ ସାକ୍ଷାତ କରୁଛନ୍ତି। ଏହି ସମୟରେ ସାମ୍ବାଦିକମାନେ ଦେଶରେ ବିହାର ମଡେଲ ଲାଗୁ କରିବା ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନୀତିଶ କହିଥିଲେ କି ବିହାର ମଡେଲ କଣ । ବିହାର ମଡେଲ କିଛି ନାହିଁ। ବରଂ ଆମେ ଦେଶର ଏକ ମଡେଲ ପ୍ରସ୍ତୁତ କରିବାକୁ ପ୍ରୟାସ ଆରମ୍ଭ କରିଛୁ। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ବିହାରରେ ଏକାଧିକ ଦଳକୁ ନେଇ ମେଣ୍ଟ ସରକାର ଗଠନ କରାଯାଇଛି। ଯାହାକୁ ବର୍ତ୍ତମାନ ବିହାର ମଡେଲ ଭାବେ ଦେଖାଯାଉଛି। ଏହି ମଡେଲରେ ଦେଶରେ ସରକାର ଗଠନ କରାଯିବ। ଏବଂ ଏହାରି ଆଧାରରେ ତମାମ ଦେଶରେ ନିର୍ବାଚନ ଲଢାଯିବା ସହିତ ସରକାର ଗଠନ ଉପରେ ଫୋକସ କରାଯାଉଥିବା ନେଇ ଆଲୋଚନା ହେଉଛି। 


ସେପଟେ ନୀତିଶଙ୍କ ଉପରେ ବର୍ଷିଛନ୍ତି ଜେଡ଼ିୟୁ ଛାଡ଼ିଥିବା ଆରସିପି ସିଂହ। ନୀତିଶଙ୍କ ଦିଲ୍ଲୀ ଗସ୍ତ ଉପରେ ଆରସିପି ସିଂହ କହିଛନ୍ତି   ବିହାରରେ କାନୁନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। କୃଷକମାନେ ଚିନ୍ତାରେ ରହିଛନ୍ତି। ଆଉ ସେପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବୁଲୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ କି ବିହାର ଉପରେ ଫୋକସ କରିବାର ଆବଶ୍ୟକତା ରହିଛି। ବିହାରରେ କିଭଳି ଉନ୍ନତି ହେବ ତାହା ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବନ୍ୟା ବିତ୍ପାତରୁ ରାଜ୍ୟ ଏବେ ମୁକୁଳିଛି। ତେଣୁ ଲୋକଙ୍କ ସମସ୍ୟା କିପରି ସମାଧାନ କରାଯାଇ ପାରିବ ତାହା ଉପରେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। 


ସେପଟେ ଦିଲ୍ଲୀକୁ ଦ୍ୱିତୀୟ ଦିନ ଗସ୍ତରେ ନୀତିଶ କୁମାର ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନୀତିଶ କୁମାରଙ୍କ କହିବା ମୁତାବକ ସମସ୍ତ ବିପକ୍ଷଙ୍କୁ ଏକାଠି କରିବା ସହିତ ସମ୍ବିଧାନର ରକ୍ଷା କରିବାର ଆବଶ୍ୟକତା ରହିଛି। ସୀତାରାମଙ୍କ ସହିତ ସାକ୍ଷାତ କରିବା ସମୟରେ ନୀତିଶ କହିଥିଲେ କି ଆମେ ସବୁ ଏକାଠି ଅଛୁ, ସେଥିପାଇଁ ମୁଁ ଏଠାକୁ ଆସିଛି। 


ଏହା ସହିତ ଅରବିନ୍ଦ କେଜରିଓ୍ୱାଲଙ୍କୁ ଭେଟିବା ପରେ ନୀତିଶ କୁମାର ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ମଧ୍ୟ ଭେଟିବାକୁ ତାଙ୍କ ବାସଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି। ତେବେ ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ରାହୁଲଙ୍କ ସହିତ ପ୍ରାୟ ୫୦ ମିନିଟ ଧରି ଆଲୋଚନା କରିଥିଲେ। ବୈଠକ ସମୟରେ ଦୁଇ ନେତାଙ୍କ ମଧ୍ୟରେ ଆଗାମୀ ନିର୍ବାଚନ ନେଇ ରଣନୀତି ଉପରେ ଆଲୋଚନା କରାଯାଇଥିଲା। 


ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ପ୍ରଶ୍ନର ଉତ୍ତରରେ ନୀତିଶ କହିଥିଲେ କି ମୋର ଏଭଳି କୌଣସି ଇଚ୍ଛା ନାହିଁ। ସବୁ ଦଳ ଏକାଠି ଆସନ୍ତୁ ଓ ଆଗାମୀ ନିର୍ବାଚନରେ ବିଜେପି ବିପକ୍ଷରେ ଏକ ହୋଇ ଲଢନ୍ତୁ। ବିଜେପି କ୍ଷମତାସିନ ଆଞ୍ଚଳିକ ଦଳ ଗୁଡ଼ିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।  


ଅଧିକ ପଢନ୍ତୁ: ଅବହେଳିତ ଗାନ୍ଧୀ ପରିବାର, କାହିଁକି ପୁରସ୍କାର ପାଉଛନ୍ତି ନବୀନ ସରକାର?