World AIDS day: ଆଜି ବିଶ୍ୱ ଏଡସ୍ ଦିବସ। ଅଶି ଦଶକରେ ପ୍ରଥମ ଥର ମଣିଷ ଦେହରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା। ଏଚଆଇଭି ଏକ ଭୂତାଣୁ ହୋଇଥିବାବେଳେ ଏଡସ୍ ଏକାଧିକ ଅତ୍ୟନ୍ତ ମାରାତ୍ମକ ରୋଗର ସମୁହ। ଏହା ବିଶେଷ କରି ସଂକ୍ରମିତ ରକ୍ତ ଦ୍ୱାରା ବ୍ୟାପୀଥାଏ। ଏଡସ୍ ମୁକ୍ତ ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ଲୋକ ସଚେତନ ହେଉଛନ୍ତି ତଥାପି ସଂକ୍ରମଣ ହାର ଆଶାନୁରୁପକ ହ୍ରାସ ହେଉନାହିଁ। ଓଡିଶାରେ ଏଡସର ସ୍ଥିତି ସାଙ୍ଘାତିକ ରହିଛି। କେବଳ ଗୋଟିଏ ଜିଲ୍ଲାରେ ଏକ ତୃତୀୟାଂଶ ଏଚଆଇଭି ସଂକ୍ରମିତ ଅଛନ୍ତି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

 

ଆଧିକାରୀକ ଭାବେ ୧୯୮୧ ମସିହାରେ ପ୍ରଥମ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଥିଲେ। ୧୯୮୮ ମସିହା ବେଳକୁ ଏହି ସଂଖ୍ୟା ୯୦୦୦୦ରୁ ୧୫୦୦୦୦କୁ ବୃଦ୍ଧି ପାଇଥିଲା। ଯାହାପରେ ବିଭିନ୍ନ ଅନୁଷ୍ଠାନ ଓ ସରକାରଙ୍କ ସହାୟତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱ ଏଡସ ଦିବସ ନାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଗତ ୨୦ ବର୍ଷ ମଧ୍ୟରେ ୩୩ ମିଲିୟନ (୩୦ ବର୍ଷରେ ୩୮ ମିଲିୟନ) ଲୋକ ଏଚଆଇଭି ସଂକ୍ରମିତ ହୋଇଛନ୍ତି। ୧୯୮୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ମିଲିୟନ ଲୋକ ଏଡସରେ ପ୍ରାଣ ହରାଇଛନ୍ତି। ୧୯୯୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଏଡସ ଦିବସରେ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏକ ଥିମ୍ ରଖାଯାଉଛି।

 

ଏଡସ ବା ଏକ୍ୱାୟାର୍ଡ ଇମ୍ୟୁନ ଡେଫିସିଏନସି ସିଣ୍ଡ୍ରୋମ ଏକ ବିରଳ ରୋଗ। ଯାହା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରାସ ବା ଏଚଆଇଭିର କାରଣ ହୋଇଥାଏ । ଏହି ରୋଗ ଏବେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ଏକ ବଡ କାରଣ ହେଉଛି ଜନସଚେତନତାର ଅଭାବ। କଣ ଆପଣ ଜାଣନ୍ତି କି ଏହି ଏଡସ ରୋଗ କେମିତି ବ୍ୟାପିଥାଏ। ଏଚଆଇଭି ଏଡସ ସଂକ୍ରମିତ ବ୍ଲଡର ଦୂଷିତ ଇଞ୍ଜେକ୍ସନ ବା ଚିକିତ୍ସା ଉପକରଣର ବ୍ୟବହାର ଅନ୍ୟମାନଙ୍କ ଉପରେ କରିବା ଦ୍ୱାରା ଏହି ରୋଗ ଅତି ସହଜରେ ବ୍ୟାପିଥାଏ। ନଚେତ ଏଚଆଇଭି ପଜିଟିଭି ପାର୍ଟନରଙ୍କ ସହ ଅସୁରକ୍ଷିତ ଭାବେ ଯୌନ ସମ୍ପର୍କ ଗଢିଉଠିଲେ ମଧ୍ୟ ଏହି ରୋଗ ଅତି ସହଜରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।

 

ଏଡସର ଲକ୍ଷଣ:

 

-ଏଚ୍.ଆଇ.ଭିରେ ସଂକ୍ରମିତ ହେଲେ ଏହାର ଜୀବାଣୁ ନିଜକୁ ବହୁଗୁଣିତ କରି ପ୍ରତିରକ୍ଷା କୋଷଗୁଡ଼ିକୁ ନଷ୍ଟ କରିବାକୁ ଲାଗିଥାଏ।

 

-ଏଚ୍.ଆଇ.ଭି ସଂକ୍ରମିତମାନେ ବାରମ୍ବାର ଜ୍ୱରରେ ପଡ଼ିଥାନ୍ତି।

 

-ଅନାବଶ୍ୟକ ଭାବେ ଶରୀରର ଓଜନ ହ୍ରାସ ହେବାକୁ ଲାଗିଥାଏ।

 

-ରାତିରେ ଦେହରୁ ମାତ୍ରାଧିକ ଝାଳ ନିର୍ଗତ ହୋଇଥାଏ।

 

-ଅଧିକ ମାତ୍ରାରେ ଥକ୍କାପଣ ଅନୁଭବ ହୋଇଥାଏ।

 

-ଏକ ସପ୍ତାହରୁ ଅଧିକ ସମୟ ଧରି ଡାଇରିଆ ଲାଗି ରହିଥାଏ।

 

-ଚର୍ମରେ କୁଣ୍ଡେଇ ହେବା, ଘା ହେବା ଆଦି ଦେଖିବାକୁ ମିଳିଥାଏ।