ଭୁବନେଶ୍ୱର(ମଳୟ ମହାନ୍ତି): ରାଜ୍ୟ ବିଜେପିର ସମରସଜ୍ଜା। ୨୦୨୪ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଛି ଦଳ। ବିଜେଡିକୁ କ୍ଷମତାରୁ ହଟାଇ ରାଜ୍ୟର କ୍ଷମତା ଦଖଲ ପାଇଁ ଦଳ ପ୍ରସ୍ତୁତ କରିଛି ରଣନୀତି। ରାଜ୍ୟ ପ୍ରଭାରୀ ଦାୟିତ୍ୱ ନେବା ପରେ ସୁନୀଲ ବଂଶଲ ପଦାଧିକାରୀ ନେତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଛନ୍ତି। ସେପଟେ ଚଳିତ ମାସ ୨୯ ଓ ୩୦ ତାରିଖରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ବିଜେପିର ମିଶନ ୨୦୨୪। ଏହା କିଭଳି ସଫଳ କରି ହେବ ସେ ନେଇ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ପଦାଧିକାରୀ ଓ ନେତାଙ୍କ ଗହଣରେ ଏ ସବୁର ପ୍ରସ୍ତୁତି କରିଛନ୍ତି। ଦ୍ଵିତୀୟ ଦିନରେ ମାରଥନ ବୈଠକ କରି ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ ବସିଥିଲା କୋର କମିଟି ବୈଠକ। ରାଜ୍ୟ ସଭାପତି, ସଂଗଠନ ସଂପାଦକ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ପ୍ରମୂଖ ଉପସ୍ଥିତି ଥିଲେ। 


ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲା ସଭାପତି, ଜିଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ଥଲେ। ରାଜ୍ୟ ସରକାରଙ୍କ ବିଫଳତାକୁ କିଭଳି ଲୋକଙ୍କ ଅବଗତ କରାଯିବ। ମୋଦି ସରକାରଙ୍କ ସଫଳତା ଲୋକଙ୍କ ପାଖରେ କିଭଳି ପହଞ୍ଚିବ। ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ଆଗାମୀ ଦିନରେ ଆନ୍ଦୋଳନ ଓହ୍ଲାଇବ। ସେ ନେଇ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି।


ଚଳିତ ମାସ ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା। ସେପ୍ଟେମ୍ବର ୧୩, ୧୪ ଏବଂ ୧୫ ତାରିଖରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର। ରାଜ୍ୟର ୩୭ ହଜାର ବୁଥରେ ବିଜେପି କରିବ ଆନ୍ଦୋଳନ। ବିଜେପିର କୋର କମିଟି ଏବଂ ରାଜ୍ୟ ବୈଠକରେ ଏସବୁକୁ ସଫଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।


ସେପଟେ ବିଜେପି ପକ୍ଷରୁ ବୁଥ୍ ସଶକ୍ତିକରଣ ଅଭିଯାନ ଆରମ୍ଭ ହେବ। ଯେଉଁ ସବୁ ବୁଥରେ ବିଜେପିକୁ କମ ଭୋଟ ମିଲିଛି ସେଗୁଡିକୁ ଶକ୍ତିଶାଳୀ କରାଯିବ। ଦଳ ଜିତିଥିବା ଲୋକସଭା କ୍ଷେତ୍ରରେ ସର୍ବନିମ୍ନ ୧୦୦ଟି ବୁଥ୍ ଏବଂ ବିଧାନସଭା କ୍ଷେତ୍ରରେ ୨୫ଟି ବୁଥ ଧାର୍ଯ୍ୟ କରାଯାଇଛି । ସେହିପରି ପରାଜୟ ହୋଇଥିବା ଲୋକସଭା କ୍ଷେତ୍ର ଗୁଡ଼ିକରେ ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ମନ୍ତ୍ରୀ ମାନେ ଆସି ଅନୁଧ୍ୟାନ କରୁଛନ୍ତି । ତେଣୁ ଜିତିଥିବା ଏବଂ ହାରିଥିବା ଉଭୟ ନିର୍ବାଚନମଣ୍ଡଳୀ ଗୁଡିକୁ ବୁଥ୍ ସ୍ତରରୁ କେମିତି ସଶକ୍ତ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି।