Chemical Cracker: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏନେଇ ଚାରିଆଡେ ଉତ୍ସବର ମାହୋଲ । ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ହେତୁ ଦୀପାବଳି ଫିକା ପଡ଼ିଥିଲା । ଏଣୁ ଚଳିତ ବର୍ଷ ଦୀପାବଳି ପର୍ବକୁ ପାଳନ ପାଇଁ ଚାହିଁ ବସିଥିଲେ କଟକିଆ। ହେଲେ କମିଶନରେଟ ପୋଲିସର ନୂଆ ନିୟମ ସେମାନଙ୍କ କଟକବାସୀଙ୍କ ଦିପାବଳୀକୁ ଟିକେ ଫିକା କରି ଦେଇଛି । ରାତି ୮ଟାରୁ  ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ଥିବା ବେଳେ  ଏବେ କମିଶନରେଟ ପୋଲିସର ଆଉ ଏକ ନିୟମ ସାମ୍ନାକୁ ଆସିଛି । 


COMMERCIAL BREAK
SCROLL TO CONTINUE READING

ଦୀପାବଳିରେ କୌଣସି ପ୍ରକାର ବିସ୍ପୋରକ କିମ୍ବା ରାସାୟନିକ ବାଣ ଫୁଟା ଯିବ ନାହିଁ ବୋଲି କହିଛନ୍ତି କଟକ ଡିସିପି । ଯେଉଁ ବ୍ୟକ୍ତି ଏଥିରେ ଖିଲାପ କରନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।  ସେ ଏହା ମଧ୍ୟ କହିଛନ୍ତି ଯେ, ଜନଗହଳିପୂର୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପାରିବେ ନାହିଁ। ପୋଲିସ ପକ୍ଷରୁ ପେଟ୍ରୋଲିଂ କଡାକଡା କରାଯିବା ନେଇ ସୂଚନା ଦେଇଛନ୍ତି । ସେପଟେ କାଳୀପୂଜା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି କମିଶନରେଟ ପୋଲିସ । ଆସନ୍ତାକାଲି ମା’ଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା ୨୮ରେ ବିସର୍ଜନ ହେବା ନେଇ ସୂଚନା ମିଳିଛି। କାଳୀପୂଜା ପାଇଁ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୬ ଜଣ ଅତିରିକ୍ତ ଡିସିପି ୩୦୦ ପୋଲିସ ଅଫିସର ମୁତୟନ ରହିବେ । ସହରରେ ମୋଟ ୯୦ଟି ମଣ୍ଡପରେ ପୂଜା ପାଇବେ ମା’ କାଳୀ। ପୂଜାଠୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ  ଯେପରି ଶାନ୍ତି ଶୃଙ୍ଖଳାରେ ହୁଏ, ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ପୂଜାରେ ଯିଏ ବିଶୃଙ୍ଖଳା କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ସବୁ ମଣ୍ଡପ ନିକଟରେ ମୁତୟନ ରହିବେ ପୋଲିସ ଅଧିକାରୀ। ଏଥିପାଇଁ ଆଜି କଟକ ଇଣ୍ଡୋର ଷ୍ଟାଡିୟମରେ ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ବସିଥିଲା ।



ସେପଟେ ଭୁବନେଶ୍ବରରେ ମଧ୍ୟ ଦୀପାବଳୀ ପାଇଁ କଡା ନିୟମ ଲାଗୁ କରିଛି କମିଶନରେଟ ପୋଲିସ । ବାଣ ବିକ୍ରି ପାଇଁ କମିସନରେଟ ପୋଲିସ ପକ୍ଷରୁ ରାଜଧାନୀର ୩୦ଟି ଖୋଲାସ୍ଥାନ ଚିହ୍ନଟ କରାଯାଇଛି । କେବଳ ସ୍ୱୀକୃତିପ୍ରାସ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ । ଚିହ୍ନଟ ସ୍ଥାନ ଛଡା ଅନ୍ୟ କେଉଁଠି ବାଣ ବିକ୍ରି ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାଛଡା ଅନଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବେଆଇନ ବାଣ କାରବାର ଉପରେ ଚଢାଉ କରି ଦୁଇ ଦିନରେ ୫୦ ଲକ୍ଷ ଟଙ୍କାର ବାଣ ଜବତ କରିଛି କମିଶନରେଟ ପୋଲିସ । ଦୀପାବଳି ମଉକାରେ କିଛି ଅସାଧୁ ବେପାରୀ ବେଆଇନ ବାଣ ବିକ୍ରି ପାଇଁ ପସରା ମେଲିଛନ୍ତି । ଗୋଟିଏ ପଟେ ବାଣ ବଜାର ଉପରେ କଟକଣା ଓ ଅନ୍ୟପଟେ ରହିଛି ବର୍ଷାର ଭୟ । ଦୀପାବଳି ସମୟରେ ବର୍ଷା ଆସୁଥିବା ଖବର ଶୁଣି, ଲୋକେ ବାଣ ବଜାରରୁ ମୁହଁ ଫେରାଇ ନେଉଛନ୍ତି । ତେବେ ୧୨୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବିକିଲେ ବନ୍ଧା ହେବେ ବ୍ୟବସାୟୀ। ଏଥିପାଇଁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ କରି ଚଢାଉ ଜାରି ରଖିଛି। ତେବେ ଭୁବନେଶ୍ୱରରେ 2 ଘଣ୍ଟା ବାଣ ଫୁଟାଇବା କଟକଣାକୁ କିଛି ରାଜଧାନୀବାସୀ ମଧ୍ୟ ସ୍ୱାଗତ କରିଛନ୍ତି। ତେବେ ଏହାରି ଭିତରେ ଦେଖିବାକୁ ବାକି ରହିଲା ଚଳିତ ବର୍ଷ ନା ନା ପ୍ରତିବନ୍ଧକ ସତେ ଦୀପାବଳୀ କିପରି ପାଳୁଛନ୍ତି ରାଜଧାନୀବାସୀ।