cyber fraud : ଭୁବନେଶ୍ୱର(ରାଜେଶ ସାମନ୍ତରାୟ): ଯେତେ ସଚେତନ କରିଲେ ବି ଥମୁନି ସାଇବର ଠକେଇ, ଯେତେ ଆଇନ, ନିୟମ ଓ ସିକ୍ୟୁରିଟି ଟାଇଟ୍ କରିଲେ ବି ଖାତିର କରୁ ନାହାଁନ୍ତି ସାଇବର ଅପରାଧି। ଭୁବନେଶ୍ଵରରେ ଏବେ ଏହି ଠକେଇ ମାତ୍ରାଧିକ ପରିମାଣରେ ବଢ଼ି ଯାଇଛି। ଗତ ୫ ମାସର ତଥ୍ୟରୁ ଏହା ଅନୁମେୟ । ଏହି ୫ ମାସ ଭିତରେ ସାଢ଼େ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୫ କୋଟି ଟଙ୍କା ସାଇବର ଠକଙ୍କ ଖାତାକୁ ଚାଲିଯାଇଛି । ସମଗ୍ର ରାଜ୍ୟରେ ସାଢ଼େ ୧୭ ଶହ ମାମଲା ହୋଇଥିବା ବେଳେ କେବଳ ରାଜଧାନୀରେ ୧୫୩୭ ମାମଲା ରୁଜୁ ହୋଇଛି ।


COMMERCIAL BREAK
SCROLL TO CONTINUE READING

ସାଇବର ଠକଙ୍କ ଠକେଇର ରାଜଧାନୀ ପାଲଟିଛି ରାଜଧାନୀ ଭୁବନେଶ୍ଵର। ସତେ ଯେମିତି କେବଳ ଭୁବନେଶ୍ଵର ଲୋକଙ୍କୁ ଠକିବା ଅତି ସହଜ। ଭୁବନେଶ୍ବର କମିସନରେଟ ପୋଲିସର ତଥ୍ୟ ଅନୁସାରେ ରାଜ୍ୟର ମୋଟ ଠକେଇର ୮୭ ପ୍ରତିଶତ କେବଳ ଭୁବନେଶ୍ବରରୁ ହୋଇଛି । ତେଣୁ ଏହା ସ୍ପଷ୍ଟ ଯେ ସାଇବର ଠକଙ୍କ ହଟ ସ୍ପଟ୍ ଭୁବନେଶ୍ବର। ଏଭଳି ମାମଲା ବାରମ୍ବାର ହେଉଥିଲେ ବି ଲୋକେ ସଚେତନ ହେଉନାହାନ୍ତି । ବରଂ ବେଶି ବେଶି ଲୋକ ସାଇବର ଠକଙ୍କ ଫାଶରେ ଫସି ଯାଉଛନ୍ତି । ଆଶ୍ଚର୍ଯ୍ୟର କଥା ସାଇବର ଠକଙ୍କ ଜାଲରେ ବହୁ ଶିକ୍ଷିତ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଧିକ ଫସୁଛନ୍ତି । ପୋଲିସର ତଥ୍ୟ ଅନୁସାରେ ଡାକ୍ତର , ଇଂଜିନିୟର୍ , ଅବସରପ୍ରାପ୍ତ ସେନା ଅଧିକାରୀ , ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏଭଳି ଠକାମିର ଶିକାର ହେଉଛନ୍ତି । ତେଣୁ ଆପଣ ଏଣିକି ଅଧିକ ସାବଧାନ ରୁହନ୍ତୁ।  ଏକ୍ସପର୍ଟ ଙ୍କ କଥା ମାନନ୍ତୁ ।


ସୂଚନା ଅନୁସାରେ ଗତ ଜୁଲାଇ ମାସରେ ସର୍ବାଧିକ ୧.୩୮ କୋଟି ଟଙ୍କା ସାଇବର ଠକେଇ ହୋଇଥିଲା । ଜୁନ୍‌ରେ କୋଟିଏ ୬ଲକ୍ଷ , ମେ’ରେ ୯୫ ଲକ୍ଷ ୭୫ ହଜାର , ଅଗଷ୍ଟରେ ୮୦ଲକ୍ଷ ଟଙ୍କା ଏବଂ ଏପ୍ରିଲ୍‌ରେ ୭୬ଲକ୍ଷ ଟଙ୍କା ଠକେଇ ହୋଇଥିଲା । ଏପ୍ରିଲ୍‌ରେ ସମଗ୍ର ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୨୬୧ ମାମଲା । ସେଥିରେ ସର୍ବାଧିକ ୧୧୪ଟି ୟୁପିଆଇ ଠକେଇ ଏବଂ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଛି । ସେହିପରି ୭୩ଟି ଅନ୍‌ଲାଇନ ଠକେଇ ଅଭିଯୋଗ ଥିଲା । ତେବେ ଅଭିଯୋଗକାରିମାନଙ୍କୁ ପାଖାପାଖି ୯ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏକ ଲକ୍ଷ ୩୧ ହଜାର ଟଙ୍କା ବ୍ଲକ୍ କରାଯାଇପାରିଥିଲା । ମେ ’ ମାସରେ ସାରା ରାଜ୍ୟରୁ ୩୩୬ଟି ଠକେଇ ଅଭିଯୋଗ ଆସିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୩ ଶହ ସେଥିରେ ସର୍ବାଧିକ ୧୩୬ଟି ୟୁପିଆଇ ଠକେଇ ଏବଂ ୫୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଛି ।


ସେହିପରି ୧୧୦ଟି ଅନ୍‌ଲାଇନ ଠକେଇ ଅଭିଯୋଗ ହୋଇଛି । ତେବେ ପାଖାପାଖି ୭ଲକ୍ଷ ୬୯ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୬୭ ହଜାର ଟଙ୍କା ବ୍ଲକ୍ କରାଯାଇଥିଲା । ସେହିଭଳି ଜୁନ୍ ମାସରେ ମୋଟ ୩୯୦ ଅଭିଯୋଗ ମଧ୍ୟରୁ ଭୁବନେଶ୍ୱରରୁ ଥିଲା ୩୫୭ଟି ଅଭିଯୋଗ । ମୋଟ କୋଟିଏ ୬ଲକ୍ଷ ୭ଶହ ୬୯ଟଙ୍କା ଠକେଇ ହୋଇଥିବା ରେକର୍ଡ କରାଯାଇଥିଲା । ଗତ ୫ମାସର ଏହି ତଥ୍ୟକୁ ତର୍ଜମା କଲେ ରାଜଧାନୀରେ ଠକେଇ ପରିମାଣ ବଢୁଥିବା ଦେଖିବାକୁ ମିଳୁଛି । ଉଦ୍‌ବେଗର ବିଷୟ ହେଉଛି , ପୁଳାପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଠକଙ୍କୁ ଧରିବା ତ ଦୂରର କଥା ପୁଲିସ ମାମଲା ରୁଜୁକରୁନାହିଁ । ଗତ ମାସକରେ ୩୪୪ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୬ଟି ମାମଲା ପଞ୍ଜୀକୃତ ହୋଇଛି ।


ବହୁ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସତ୍ତ୍ଵେ ଲୋକେ ଚେତୁନାହାନ୍ତି । ଏମିତିକି ଠକେଇର ଶିକାର ହେବା ପରେ ପରେ ୨୪ ଘଣ୍ଟା ଭିତରେ ବି ସାଇବର ଥାନାକୁ ଆସି ଅଭିଯୋଗ କରୁନାହାନ୍ତି । ତେଣୁ ବିଳମ୍ବରେ ପଞ୍ଜୀକୃତ ହେଉଥିବା ମାମଲାର ସମାଧାନ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରୁଛି । ପୂର୍ବରୁ ଚାକିରି ଲୋଭ , ଷ୍ଟକ୍ ମାର୍କେଟ୍ ପ୍ରଲୋଭନ , ଲୋନ୍ କରାଇବା ଭଳି ଯୋଜନା କରି ଠକୁଥିଲେ । ସେହିଭଳି ସାଇବର ସୁନ୍ଦରୀ ବେଶରେ ଫସାଇ ବ୍ଲାକ୍‌ମେଲ୍ କରି ଠକୁଥିଲେ । ଏବେ କ୍ରେଡିଟ୍‌ କାର୍ଡ ଲିମିଟି ବଢ଼ାଇବା ଓ ବିଦ୍ୟୁତ ବିଲ୍‌ ପୈଠକୁ ଅସ୍ତ୍ର ପୈଠ ବାହାନା ଦେଖାଇ ଠକୁଛନ୍ତି ।