E-Office: ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କଟକ ପୌର ନିଗମ (ସି.ଏମ୍.ସି), ଓଡ଼ିଶା ଜଳ ବିଦ୍ୟୁତ  ନିଗମ (ଓ.ଏଚ୍.ପି.ସି) ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟଓୟାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଓସ୍ୱାସ୍ ଏବଂ  ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ। 


COMMERCIAL BREAK
SCROLL TO CONTINUE READING

ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଅଫିସ ବରଣ୍ଡାରେ ଗଦାଗଦା ଫାଇଲ୍  ବୋହିବା,  ମାସ ମାସ ଧରି  ଫାଇଲ୍ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍ ଲୁଚାଇଦେବା, ଫାଇଲ୍ ହଜିବା ଏବଂ ଫାଇଲରେ ହେରଫେର କରିବା ଏକ ପ୍ରକାର ଇତିହାସ ପାଲଟିବ। 


ଇ-ଅଫିସ୍ ମଧ୍ୟ ଅନଲାଇନରେ ବିଭିନ୍ନ ପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି। ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ୱାନ ପାଇଁ ଦକ୍ଷ କରିଛି । ଯେଉଁ କାର୍ଯ୍ୟାଳୟ ଗୁଡିକ ଓସ୍ୱାସ୍ ଦ୍ୱାରା ସଂଯୋଗ ହୋଇନ ପାରିଛି ସେସବୁରେ  ଇ-ଅଫିସ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସିଏମଜିଆଇ ଏବଂ ଏନ୍ଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। 


ଏହି ଅବସରରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୮୩୬ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସିଏମଜିଆଇର କାର୍ଯ୍ୟ ପ୍ରଶଂସନୀୟ। ଏହି ବ୍ୟବସ୍ଥା ଫାଇଲ ଆରମ୍ଭରୁ  ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ  ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି। 


ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଥିଲେ ଯେ ଓସ୍ୱାସ୍ ମାଧ୍ୟମରେ ଅଫିସ ସ୍ୱୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ। ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟଙ୍କର ନଥିପତ୍ର ଡିଜିଟାଲାଇଜଡ଼ କରିବା ସମୟ ସାପେକ୍ଷ ହୋଇଥିବାରୁ ଏନ୍.ଆଇ.ସି. ଏବଂ ସିଏମଜିଆଇଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍ କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଖୁବ୍ ସରଳ ଓ ସୁଗମ। 


ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ କରିବା ପାଇଁ  ଲକ୍ଷ୍ୟ ରଖା ଯାଇଛି । ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ କହିଥିଲେ ଯେ ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି।  ଖୁବ୍ ଶୀଘ୍ର ଆଉ ୧୦୦ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ।


ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓଏଚପିସିର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ନିଖିଲ ପବନ କଲ୍ୟାଣ, ଏନଆଇସି ଉପମହାନିର୍ଦ୍ଦେଶକ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଳ୍ଲିକ, ସିଏମଜିଆଇ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତିଙ୍କ ସମେତ  ସଂପୃକ୍ତ  ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ।