Inflation Problem: ପାର୍ବଣରେ ଅଣ୍ଟା ଭାଙ୍ଗିବ ଦରଦାମ ବୃଦ୍ଧି
ବଡ଼ ଶସ୍ୟ, ପୋଷାକପତ୍ର ଏବଂ ଜୋତା ଚପଲ ସମାଗ୍ରୀ ଉପରେ ଗତ ଅଗଷ୍ଟ ମାସରେ ୧୦ ପ୍ରତିଶତ ମୂଲ୍ୟବୃଦ୍ଧି ଘଟିଛି । ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୭.୭୯ % ରହିଥିଲା, ଯାହା ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ । ଏପ୍ରିଲ ପରେ ମେ, ଜୁନ୍ ଓ ଜୁଲାଇ ମାସରେ ମୁଦ୍ରାସ୍ଫୀତିରେ ହ୍ରାସ ପରିଲକ୍ଷିତ ହୋଇଥିଲା।
Inflation Problem: ଭୁବନେଶ୍ୱର (ରାଜେଶ ସାମନ୍ତରାୟ): ଆଗକୁ ପାର୍ବଣ ଋତୁ। କିନ୍ତୁ ଦେଶରେ ପୁଣି ଚିନ୍ତା ବଢ଼ାଇଲା ଦରଦାମ୍ ବୃଦ୍ଧି। ଅତ୍ୟାବଶ୍ୟକ ନିର୍ଦ୍ଧିଷ୍ଟ କେତେକ ସାମଗ୍ରୀର ବଜାର ଦର ଉଭୟ ଖାଉଟୀ ଓ ସରକାରଙ୍କ ଚିନ୍ତା ବଢାଇଛି । ପନିପରିବା, ମସଲା, ମୋଟା ଶସ୍ୟ ଓ ତତ୍ଜନିତ ଉତ୍ପାଦ, ଜୋତା ଓ ଗାରମେଣ୍ଟ୍ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀକୁ ପ୍ରତ୍ୟକ୍ଷ ପ୍ରଭାବିତ କରୁଥିବା ଦେଶର ଖୁଚୁରା ମୁଦ୍ରାସ୍ଫୀତି ଏବେ ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ଚିନ୍ତା ବଢାଇଛି । ଗତ ଜୁଲାଇରେ ଖାଉଟି ମୂଲ୍ୟ ସୂଚୀ ବା ସିପିଆଇ ଆଧାରିତ ଖୁଚୁରା ମୁଦ୍ରାସ୍ତୀତି ୬.୭୧ % ରହିଥିବା ବେଳେ ଅଗଷ୍ଟରେ ଏହା ୭%କୁ ବୃଦ୍ଧିପାଇଛି ।
ରୋଷେଇ ଶାଳାରେ ବର୍ଦ୍ଧିତ ଦରଦାମ କେମିତି ଚାଲିବ ପରିବାର ଗୁଜୁରାଣ। କାରଣ ଦେଶରେ ଦରଦାମ୍ ବୋଲ ମାନୁନି। ଗୋଟିଏ ପଟେ କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରେ କର ବଢ଼ାଇ ଚାଲିଥିବା ବେଳେ ଦରଦାମ୍ କମାଇବାକୁ କୌଣସି ପ୍ରୟାସ କରୁ ଥିବା ପରିଲକ୍ଷିତ ହେଉନାହିଁ। କାରଣ ସୋମବାର ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ ଖାଦ୍ୟ ସମାଗ୍ରୀ ମୂଲ୍ୟ ବୃଦ୍ଧି ପାଇଁ ମୁଦ୍ରାସ୍ଫୀତି ପ୍ରଭାବିତ ହୋଇଛି। ବିଶେଷକରି କଞ୍ଚା ପରିବା ଉପରେ ୧୩.୨୩ ପ୍ରତିଶତ ଓ ମସଲା ସମାଗ୍ରୀ ଉପରେ ୧୪.୯ ପ୍ରତିଶତ ମୂଲ୍ୟବୃଦ୍ଧି ହୋଇଛି।
ସେହିଭଳି ବଡ଼ ଶସ୍ୟ, ପୋଷାକପତ୍ର ଏବଂ ଜୋତା ଚପଲ ସମାଗ୍ରୀ ଉପରେ ଗତ ଅଗଷ୍ଟ ମାସରେ ୧୦ ପ୍ରତିଶତ ମୂଲ୍ୟବୃଦ୍ଧି ଘଟିଛି । ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୭.୭୯ % ରହିଥିଲା, ଯାହା ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ । ଏପ୍ରିଲ ପରେ ମେ, ଜୁନ୍ ଓ ଜୁଲାଇ ମାସରେ ମୁଦ୍ରାସ୍ଫୀତିରେ ହ୍ରାସ ପରିଲକ୍ଷିତ ହୋଇଥିଲା।
ମାତ୍ର ୩ ମାସର ପରେ ଅଗଷ୍ଟରେ ପୁନର୍ବାର ମୁଦ୍ରାସ୍ଫୀତି ବୃଦ୍ଧି ଆରମ୍ଭ ହୋଇଛି । ଅଟା , ଚାଉଳ ଓ ଡାଲିର ମୂଲ୍ୟ ବୃଦ୍ଧି ଖାଦ୍ୟ ମୁଦ୍ରାସ୍ଫୀତିକୁ ପୂର୍ବରୁ ପ୍ରଭାବିତ କରିଥିବାରୁ କେନ୍ଦ୍ର ସରକାର ଏସବୁ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି ରଖୁଛନ୍ତି । ବ୍ୟବସାୟୀ ସଂଘ କହିଛି ଯଦି ସରକାର ଏପରି କଷ୍ଟ ପରିସ୍ଥିତିରେ FCI ର ଦ୍ଵାର ଖୋଲା ବଜାର ପାଇଁ ଖୋଲି ଦିଅନ୍ତେ ତାହେଲେ ଶସ୍ୟ ଜାତୀୟ ସମାଗ୍ରୀ ଦର ଅନେକ ମାତ୍ରରେ କମି ପାରନ୍ତା।
ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ମୁଦ୍ରାସ୍ଫୀତି ୬ % ଭିତରେ ରଖାଯାଇଥାଏ । ମୁଦ୍ରାସ୍ଫୀତିକୁ ୨ରୁ ୬ ପ୍ରତିଶତ ମଧ୍ୟରେ ରଖୁବା ଲାଗି ସବୁବେଳେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ପରାମର୍ଶ ଦେଇଥାଏ । ଏଥିପାଇଁ ସମୟ ସମୟରେ ବ୍ୟାଙ୍କ ଗୁଡିକୁ ଆରବିଆଇ ଦେଉଥିବା ଋଣର ସୁଧହାରରେ କମ୍ - ବେଶୀ କରିଥାଏ । ଅର୍ଥାତ୍ ରେପୋ ରେଟ୍ ହ୍ରାସ - ବୃଦ୍ଧି ଘଟାଇଥାଏ । ମାତ୍ର ୮ ମାସ ହେଲା , ମୁଦ୍ରାସ୍ଫୀତି ଆରବିଆଇ ଧାର୍ଯ୍ୟସ୍ତର ଠାରୁ ଅଧିକ ରହି ଆସିଥିବାରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ଲାଗି ଆରବିଆଇ ମେ ମାସ ପରଠାରୁ ରେପୋରେଟ୍କୁ ୧୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିସାରିଲେଣି । କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପାଇଚି। ରୁଷ୍ ଠାରୁ ଇନ୍ଧନ କ୍ରୟ ଯୋଗୁଁ ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଅନୁଭୂତ ହେବା ଆରମ୍ଭ କରିଛି । ଏହି ଆଧାରରେ ଆରବିଆଇର ନିଜସ୍ଵ ଆକଳନ ଅନୁଯାୟୀ , ୨୦୨୩ ଆରମ୍ଭରୁ ମୁଦ୍ରାସ୍ଫୀତି ୫ ପ୍ରତିଶତକୁ ଆସିବା ସମ୍ଭାବନା ଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।
ଏବର୍ଷ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୬୨ ପ୍ରତିଶତ ଥିବାବେଳେ ଗତବର୍ଷ ଅଗଷ୍ଟରେ ୬.୬୯ ପ୍ରତିଶତ ଓ ଜୁଲାଇରେ ୩.୧୧ ପ୍ରତିଶତ ରହିଥିଲା । ସରକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ଓ ସ୍ଥାନୀୟ ସ୍ତରରେ ଦରଦାମ ବୃଦ୍ଧିକୁ ରୋକିବା ଲାଗି ଗହମ , ଚିନି ଓ ଚାଉଳ ଆଦି ସାମଗ୍ରୀ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ମୁଦ୍ରାସ୍ଫୀତି ରୋକିବାକୁ କେନ୍ଦ୍ର ସରକାର ରୁଷରୁ ତୈଳ ଆମଦାନୀ କରୁଥିବା କହିଛନ୍ତି । ତେବେ ସଂପ୍ରତି ଅଶୋଧୂତ ତୈଳ ଦର ଏବେ ହ୍ରାସ ପାଇଥିବାରୁ ଏହାର ଉତ୍ତମ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଅନୁଭୂତ ହେବା ଆଶା କରାଯାଉଛି । ଏହାଫଳରେ ଡଲାର ତୁଳନାରେ ଦୁର୍ବଳ ହୋଇଥିବା ଟଙ୍କା ସଶକ୍ତ ହେବ । ଏପରିକି ଘରୋଇ ତୈଳ ବଜାର ଓ ଖାଦ୍ୟ ଦର ଆଗକୁ ହ୍ରାସ ପାଇବା ସମ୍ଭାବନା ରହିଛି।