Rajarani Music Festival 2022: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା ବେଶ୍ ମନମୁଗ୍ଧକର ଥିଲା। ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସାରଙ୍ଗୀ ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା  ।ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ସାରଙ୍ଗୀ ବାଦନ ଯାହାକୁ ପରିବେଷଣ କରିଥିଲେ ବିଖ୍ୟାତ ସାରଙ୍ଗୀ ବାଦକ ଉସ୍ତାଦ ସବୀର ଖାନ୍‌  । ପ୍ରଥମେ ସେ ରାଗ କୋଷିକଣା, ତିନ୍‌ ତାଲ, ରୂପକ୍‌ ତାଲ ସହିତ ବିଭିନ୍ନ ତାଳ ଓ ରାଗ ସମ୍ମନୟରେ ସାରଙ୍ଗୀ ବାଦନ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ  । ତାଙ୍କୁ ସହଯୋଗ କରିଥିଲେ ତବଲାରେ ଏମ୍‌. ଆର. ନଜର ।


COMMERCIAL BREAK
SCROLL TO CONTINUE READING

ଦ୍ୱିତୀୟ ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା, ବିଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ବିଜୟ କୁମାର ଜେନାଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ  । ପ୍ରଥମେ ଶ୍ଳୋକ ,ନୀଳାଦ୍ରି ଶଙ୍ଖ ମଧ୍ୟେ ପରେ ପରେ ରାଗାଙ୍ଗ ପର୍ଯ୍ୟାୟରେ କବି ରାମକୃଷ୍ଣଙ୍କ ରଚନାରୁ ଉଦ୍ଧୃତ ପ୍ରବନ୍ଧ ଆଜ ମୁଁ ଦେଖିଲି ଘନ ଶ୍ୟାମକୁ ଗୋ  । ତାଙ୍କର ଦ୍ୱିତୀୟ ପ୍ରସ୍ତୁତିରେ ଥିଲା କବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦରୁ ଉଦ୍ଧୃତ ସଖିହେ କେଶୀ ମଥନ ମୁଦାରମ ଯାହା ରାଗ ମିଶ୍ର ପାହାଡ଼ି ଓ ତାଳ ଯତି ଉପରେ ପର୍ଯ୍ୟବେସିତ ଥିଲା  । 


ତୃତୀୟ ପ୍ରସ୍ତୁତିରେ ଥିଲା ଭାବାଙ୍ଗ ପର୍ଯ୍ୟାୟରେ ପ୍ରବନ୍ଧ ବରଜ ବିଧୂରେ ଅନା, ଅନା ଫେରି ସହିରେ ଯାହା ରାଗ ମାରୁୱା ଓ ତାଳ ଏକତାଳୀରେ ନିବଦ୍ଧ  । ତାଙ୍କର ଚତୁର୍ଥ ପ୍ରସ୍ତୁତିଟି ଥିଲା ଛାନ୍ଦ ପ୍ରବନ୍ଧ ଆହା ଧନୁର୍ଦ୍ଧରବୀର ବର ଧନୁଶର ନଥିଲା କି କର  । ତାଙ୍କର ଶେଷ ପ୍ରସ୍ତୁତିରେ ଥିଲା କବି ଗୋପାଳ କୃଷ୍ଣଙ୍କ ରଚନାରେ ନାଟ୍ୟାଙ୍ଗ ଧୀର ସମୀରେ ଡ଼ାକୁଛି ତୋ ନାଁରେ ଯାହା ତାଳ ରୂପକ ଓ ରାଗ ଭୈରବୀ ଉପରେ ନିବଦ୍ଧ ଥିଲା । ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଗୁରୁ ବିଜୟ କୁମାର ଜେନା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ମର୍ଦଳରେ ଗୁରୁ ସଚ୍ଚିଦା ନନ୍ଦ ଦାସ, ବଂଶୀରେ ଗୁରୁ ଶ୍ରୀନିବାସ ଶତପଥୀ, ହାରମୋନିୟମ୍‌ରେ ବାଳକୃଷ୍ଣ ଜେନା ଏବଂ ତାନପୁରାରେ ବୈଷ୍ଣବୀ ଘୋଷ ସହଯୋଗ କରିଥିଲେ  ।


ଦ୍ବିତୀୟ ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଶାର ମୁଖ୍ୟନ୍ତ୍ରୀଙ୍କର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରୀଷ୍ଣନ୍‌,  ସୂଚନା କମିଶନର ଦିଲ୍ଲୀପ କୁମାର ବିଶୋଇ, ଆନ୍ତର୍ଜାତିୟ ଖ୍ୟାତି ସମ୍ପର୍ଣ୍ଣ ବାଲୁକା କଳା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ  । କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ  ଏବଂ ଅନୁଜା ତାରିଣୀ ମିଶ୍ର  । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବୋଧ ଆଚାର୍ଯ୍ୟ ଉପସ୍ଥିତ ଥିଲେ  । ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ  ।