Santistupa Dhauli:  ଭୁବନେଶ୍ୱର(ଦେବବ୍ରତ ରାୟ): ୫୦ ବର୍ଷରେ ପଦାର୍ପଣ କରିଛି ଶାନ୍ତି ସ୍ତୁପ ଧଉଳି। ତେବେ ଏହି ପାଞ୍ଚ ଦଶନ୍ଧି ମଧ୍ୟରେ କେତେ ବିକଶିତ ହୋଇଛି ଧଉଳି। ସତରେ ବିକାଶ ହୋଇଛି ନାଁ ବିକାଶର ରଙ୍ଗୀନ ଚିତ୍ର ରାଜ୍ୟ ବାସୀଙ୍କୁ ସରକାର ଦେଖାଉଛନ୍ତି ତାହା ଆପଣ ଆଖିରେ ନଦେଖିଲେ ବିଶ୍ଵାସ କରିବେ ନାହିଁ।


COMMERCIAL BREAK
SCROLL TO CONTINUE READING

ଦେଶର ନମ୍ବର ୧ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱର। ରାଜ୍ୟ ରାଜଧାନୀର ଦୟା ନଦୀ କୂଳରେ ଅବସ୍ଥିତ ଅନ୍ୟତମ ବୌଦ୍ଧ କୀର୍ତିରାଜି ଶାନ୍ତିସ୍ତୁପ ଧଉଳି। ଏହାର ପ୍ରାକୃତିକ ନୈସର୍ଗିକ ଶୋଭାରାଜି ଓ ଶାନ୍ତ ବାତାବରଣ ବର୍ଷର ସବୁ ସମୟରେ ପର୍ଯ୍ୟଟକଙ୍କୁ ଆକର୍ଷତ କରେ। କିନ୍ତୁ ଏବେ ଚର୍ଚ୍ଚାକୁ ଆସିଛି ଶାନ୍ତି ସ୍ତୁପ ଧଉଳି। ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ ସରକାର ଧଉଳିର ପ୍ରାକୃତିକ ଶୋଭାକୁ ନଷ୍ଟ କରି ଏଠାରେ କୃତିକ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରୟାସ କରୁଥିବା ବେଳେ ମୁଣ୍ଡ ଟେକିଛି ବିବାଦ। 


ଶାନ୍ତି ସ୍ତୁପର ଚାରି ପାଖରୁ କଟା ଯାଇଛି ଶହଶହ ଗଛ। ଯେଉଁ ଗଛ ଶାନ୍ତି ସ୍ତୁପକୁ ସୁରକ୍ଷା ଦେଉଥିଲା ତାହାକୁ କାଟି ଦେଇଛନ୍ତି ସରକାର। ଯେଉଁଥି ପାଇଁ ଶାନ୍ତି ସ୍ତୁପର ପ୍ରାଚୀର ଏବେ ଅସୁରକ୍ଷିତ ହୋଇ ପଡିଛି। ଗଛ କଟାକୁ ରାଜନୈତିକ ବୟାନ ବାଜି ଗଲା ହୋଇଛି ବିରୋଧୀ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ତେବେ ଏହି ୫୦ ବର୍ଷ ଭିତରେ ଅନେକ ରାଜନୈତିକ ଦଳ ରାଜ୍ୟ ଶାସନର ମଙ୍ଗ ଧରିଛନ୍ତି। ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଯାଇଛନ୍ତି। ହେଲେ ଶାନ୍ତି ସ୍ତୁପ ଧଉଳି କେତେ ବିକଶିତ ହୋଇଛି।


ରାଜ୍ୟରେ ବିଜେଡିର ୨୨ ବର୍ଷର ଶାସନ ଓ ୨୫ ବର୍ଷର ସେବା। ହେଲେ ରାଜ୍ୟ ସରକାର ଭୁଲି ଯାଇଛନ୍ତି କି ଧଉଳି ବିକାଶ କଥା । କାରଣ ବାହାଘର ପୂର୍ବରୁ ବାଇଗଣ ରୁଆ ପରି ଠିକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ କାହିଁକି ତରବରିଆ ଭାବେ ହେଉଛି ଧଉଳିର କୃତ୍ରିମ ସୌନ୍ଦର୍ଯ୍ୟକରଣ ତାହାକୁ ଲିଭାଇବା ନେଇ ପ୍ରଶ୍ନ ଉଠାଇଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରାଇ ଯଦି ରାଜ୍ୟ ସରକାର କଂକ୍ରିଟ ଜଂଗଲ ସୃଷ୍ଟି ପାଇଁ ସ୍ୱପ୍ନ ଦେଖୁଥାନ୍ତି ତେବେ ଦିଲ୍ଲୀ ପରି ଦଶା ହେବ ବୋଲି କହିଛନ୍ତି ବିଦେଶୀ ପର୍ଯ୍ୟଟକ। 


ଏତିକିରେ ସରିନାହିଁ ଧଉଳିର ସମସ୍ୟା। ଦୟା ନଦୀ ଆର ପାଖରୁ ଶାନ୍ତିସ୍ତୁପକୁ ସଂଯୋଗ କରୁଥିବା ବ୍ରିଜ ଏବେ ଅଧପନ୍ତରିଆ ହୋଇ ପଡିରହିଛି। ଯେଉଁଥି ପାଇଁ ୧୦ ହଜାର ଲୋକ ଧଉଳି ସହ ଜୋଡି ହୋଇ ପାରୁନାହଁନ୍ତି। ଶାନ୍ତି ସ୍ତୁପକୁ ସୁରକ୍ଷା ଦେଉଥିବା ପ୍ରାଚୀର ମରାମତି ଅଭାବରୁ ଅସୁରକ୍ଷିତ ହୋଇ ପଡିଛି। ପର୍ଯ୍ୟଟନଙ୍କ ପାଇଁ ଆବଶ୍ୟକ ଯାତ୍ରୀ ବିଶ୍ରାମଗାର ସହିତ ପିଇବା ପାଣିର ଅସୁବିଧା ମଧ୍ୟ ରହିଛି। ସେହିପରି ଶାନ୍ତି ସ୍ତୁପକୁ ଯିବା ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଧଉଳି ଛକରେ ଟ୍ରାଫିକ ପୋଷ୍ଟ ଥିବା ବେଳେ ଏହି ପୋଷ୍ଟରେ ଟ୍ରାଫିକ ପୋଲିସ ରାହୁନାହାନ୍ତି। ଯେଉଁଥି ପାଇଁ ସବୁ ସମ୍ୱରରେ ଏଠାରେ ଦୁର୍ଘଟଣା ଘଟୁଛି।


ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ପାଇଁ ୫୦ ବର୍ଷରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଶାନ୍ତିସ୍ତୁପ ଧଉଳିର ବିକାଶ ଧିମେଇ ଯାଇଛି। ସରକାର ଧଉଳିର ମୂଳ ମୌଳିକତାକୁ ଦୂରେଇ ଦେଇ ଏହାର ବିକାଶର ପରିକଳ୍ପନା କଲେ ତାହା କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।