Ab De Villiers: ବିରାଟ କୋହଲି ବାପା ହେବା କଥା ମିଛ ! ଭୁଲ ମାଗିଲେ ଏବି ଡିଭିଲିୟର୍ସ
Sun, 11 Feb 2024-1:26 pm,
Ab De Villiers: ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି । ନିଜ ବ୍ୟକ୍ତିଗତ ଓ ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ବିରାଟ କୋହଲିଙ୍କ ପ୍ରାଇଭେସି ନେଇ କିଛି ଦିନ ତଳେ ମୁହଁ ଖୋଲିଥିଲେ ଦକ୍ଷିଣ ଆଫ୍ରିକା ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ। ହେଲେ ଏବେ ପୁଣି ଥରେ ନିଜ ବୟାନରୁ ପଛକୁ ଫେରିଛନ୍ତି ଏବି ଡିଭିଲିୟର୍ସ । ସେ କହିଛନ୍ତି ଯେ, ଏହି କଥାକୁ ନେଇ ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଛି। ବିରାଟ କୋହଲି ବାପା ହେବା କଥା ମିଛ ବୋଲି ଏବେ ନିଜେ ପୁଣିଥରେ କହିଛନ୍ତି ଏବି ଡିଭିଲିୟର୍ସ । ପ୍ରାୟ ୫ ଦିନ ପୂର୍ବେ ଏବି ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ପ୍ରକାଶ କରିଥିଲେ ଯେ ବିରାଟ କୋହଲି ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ କ୍ରିକେଟରୁ ବିରତି ନେଇଛନ୍ତି। ଆଜିକାଲି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ କୋହଲି ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ତେବେ କୋହଲି କାହିଁକି ବିରତି ନେଇଛନ୍ତି ତାହା କୋହଲି କିମ୍ବା ବିସିସିଆଇ ପ୍ରକାଶ କରି ନାହାଁନ୍ତି। ପ୍ରଶଂସକମାନେ କୋହଲିଙ୍କ ବାପା ହେବା ବିଷୟରେ ନିଜର ଅନୁମାନ କରୁଥିବାବେଳେ ଡିଭିଲିୟର୍ସ କୋହଲିଙ୍କ ବାପା ହେବାର ଅନୁମାନକୁ ସଫା ସଫା ସାବ୍ୟସ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତାଙ୍କ ଭୁଲକୁ ଅନୁଭବ କରିଛନ୍ତି ବୋଲି କହିଛନ୍ତି । ଏକ ଖବର ସଂସ୍ଥାକୁ' ଦେଇଥିବା ସାକ୍ଷାତକାରରେ ଏବି ଡିଭିଲିୟର୍ସ ବିରାଟ କୋହଲିଙ୍କ ପ୍ରାଇଭେସି ବିଷୟରେ କହିଛନ୍ତି, "କ୍ରିକେଟ୍ ପୂର୍ବରୁ ପରିବାର ଆସେ। ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବଡ ଭୁଲ କରିଥିଲି। ସେହି ସୂଚନା ଭୁଲ ଥିଲା।" ବୋଲି କହିଛନ୍ତି ଏବି ଡିଭିଲିୟର୍ସ ।