Dense Fog Condition: ସାରା ଦେଶରେ ଜାରି ରହିଛି ଶୀତ ଲହରି । ପାରା ଦିନକୁ ଦିନ ତଳମୁହାଁ ହେଉଥିବା ବେଳେ ରାଜ୍ୟ ସମେତ ଉତ୍ତର ଭାରତରେ ଜାଡ଼ ଭୟଙ୍କର ହେବାରେ ଲାଗିଛି । ତେବେ ଶୀତ ସାଙ୍ଗକୁ କାଳ ସାଜିଛି ଘନ କୁହୁଡ଼ି । ଓଡ଼ିଶା ସମେତ ଅନେକ ରାଜ୍ୟରେ ଘନ କୁହୁଡି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଘନ କୁହୁଡ଼ି କାରଣରୁ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ଘନ କୁହୁଡି ପରିସ୍ଥିତି ଆହୁରି କିଛିଦିନ ଲାଗି ରହିବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଶୁକ୍ରବାର ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ ଜରିଆରେ କହିଛି ଯେ, ଏପରି ଘନ କୁହୁଡ଼ି ପରିସ୍ଥିତି ୭ ଜାନୁଆରୀ ଯାଏଁ ରହିବ। 


COMMERCIAL BREAK
SCROLL TO CONTINUE READING

ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନରେ ରବିବାର ପର୍ଯ୍ୟନ୍ତ ଏପରି ପରିସ୍ଥିତି ଦେଖାଦେବ । ସେହିପରି ଜାମ୍ମୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ମିଜୋରାମ ଓ ମଧ୍ୟ ପ୍ରଦେଶ ରାଜ୍ୟରେ ବି ଘନ କୁହୁଡ଼ି ଦେଖାଦେବା (Dense Fog Condition) ନେଇ ସୂଚନା ରହିଛି। ତେବେ ଏହି ପ୍ରଭାବ ଜାନୁଆରୀ ୫ ରୁ ଜାନୁଆରୀ ୭ ଯାଏଁ ରହିବ। ହାଡ଼ ଭଙ୍ଗା ଜାଡ଼ କାରଣରୁ ଆସନ୍ତା ଶନିବାର ଅର୍ଥାତ୍ ଜାନୁଆରୀ ୬ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ। ନୋଏଡାର ନର୍ସରୀ କ୍ଲାସରୁ ଅଷ୍ଟମ ଶ୍ରେଣୀ ଯାଏ ବିଦ୍ୟାଳୟଗୁଡ଼ିକ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଗୌତମବୁଦ୍ଧନଗର ପ୍ରଶାସନର ଏକ ବିଜ୍ଞପ୍ତି ଅନୁଯାୟୀ, ନିଜ ବୋର୍ଡ ସହ ଜଡିତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ଏବଂ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି।


ସବୁ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉତ୍ତରପ୍ରଦେଶର ରାଜଧାନୀ (Uttar Pradesh Winter Update) ଲକ୍ଷ୍ନୌର ଜିଲ୍ଲା ପ୍ରଶାସନ ମଧ୍ୟ କାଲୁଆ ଶୀତ କାରଣରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆମ ରାଜ୍ୟର ଶୀତ ଲହରୀ ଅପଡେଟ ବିଷୟରେ ଯଦି କହିବା, ତେବେ ଗୁରୁବାର ସକାଳେ ରାଉରକେଲାରେ ଘନ କୁହୁଡି଼ ଦୃଶ୍ୟମାନ ହୋଇଥିଲା। କୁହୁଡି଼ ଯୋଗୁଁ ଦୃଶ୍ୟମାନ ଦୂରତା ୫୦ ମିଟରକୁ ଖସି ଆସିଥିଲା। ରାଉରକେଲା ବ୍ୟତୀତ ଫୁଲବାଣୀ, କୋରାପୁଟ, ସୁବର୍ଣ୍ଣପୁର, କଟକ, ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘନ କହୁଡି ଦେଖିବାକୁ ମିଳିଥିଲା। 


ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ଅର୍ଥାତ୍ ଶୁକ୍ରବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ତି, କନ୍ଧମାଳ, ରାୟଗଡା,ନବରଙ୍ଗପୁର, କୋରାପୁଟ୍,ମାଲକାନଗିରି, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଜିଲ୍ଲାରେ କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି।  ସେହିପରି ତାପମାତ୍ରା ବିଷୟରେ ଯଦି କହିବା କୋରାପୁଟ, ଦାରିଙ୍ଗବାଡି , ଜି ଉଦୟଗିରି ଓ ଫୁଲବାଣୀ ଏହି ୪ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଆଗାମୀ ୨୪ ଘଣ୍ଟାରେ  ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ଆଜି ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି (Yellow Warning) କରାଯାଇଛି।


ଆଞ୍ଚଳିକ ପାଣିପାଗ ବିଭାଗର (Bhubaneswar Metrological Department) ପୂର୍ବାନୁମାନ ଅନୁଯାୟୀ, ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡା  ଏହି ୪ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ଧାନ ଅମଳ ଚାଲିଥିବା ବେଳେ ପାଣିପାଗ ବିଭାଗର ଏପରି ପୂର୍ବାନୁମାନ ଚଷାପୁଅକୁ ଚିନ୍ତାରେ ପକାଇଛି। 


Also Read: Weather Update: ଘନ କୁହୁଡି଼ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି!