Shah target Nehru: ବୁଧବାର ଦିନ ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ଜମ୍ମୁକାଶ୍ମୀର ସମ୍ବନ୍ଧିତ ଦୁଇଟି ସଂଶୋଧନ ବିଲ ଆଗତ କରିଥିଲେ । ଯାହା ଲୋକସଭାରେ ଗୃହିତ ହୋଇଥିଲା । ଲୋକସଭାରେ ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଧେୟକ,୨୦୨୩ ଓ ଜମ୍ମୁ-କାଶ୍ମୀର ପୁର୍ନଗଠନ (ସଂଶୋଧନ) ବିଧେୟକ ୨୦୨୩ ଗୃହିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ଏହାକୁ ସଂସଦରେ ଉପସ୍ଥାପନ କରିଥିଲେ । ଆଗରୁ ଜମ୍ମୁ ପାଇଁ ୩୭ଟି ଆସନ ଥିବାବେଳେ ନୂଆ ବିଧେୟକ ଅନ୍ତର୍ଗତରେ ଏହି ସଂଖ୍ୟା ୪୩ ହୋଇଛି । ସେହିଭଳି କାଶ୍ମୀର ଆସନ ସଂଖ୍ୟା ୪୩ରୁ ବଢି ୪୭ ହୋଇଛି । ପାକ୍ ଅଧିକୃତ କାଶ୍ମୀର ପାଇଁ ନୂଆ ବିଧେୟକରେ ୨୪ ଆସନ ସଂରକ୍ଷିତ ରଖାଯାଇଛି । ବିଲ୍ ଉପସ୍ଥାପନ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ପିଓକେ ପାଇଁ ୨୪ ଆସନ ସଂରକ୍ଷିତ ରଖାଯାଇଛି କାରଣ ପିଓକେ ଆମର । ଲୋକସଭାରେ ବିଧେୟକ ଉପସ୍ଥାପନ କରି ସେ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଅମଳରେ ଯେଉଁସବୁ ଭୁଲ ହୋଇଥିଲା ତା’ର ଫଳ ଅନେକ ବର୍ଷ ପରେ ବି କାଶ୍ମୀରକୁ ଭୋଗିବାକୁ ପଡ଼ୁଛି । ପ୍ରଥମ ଓ ସବୁଠାରୁ ବଡ଼ ଭୁଲ ଥିଲା –ଯେତେବେଳେ ଆମ ସେନା ଜିତୁଥିଲା ସେତେବେଳେ ଯୁଦ୍ଧବିରାମ ଘୋଷଣା କରାଗଲା ଓ ପିଓକେର ଜନ୍ମ ହୋଇଥିଲା । ଯଦି ଯୁଦ୍ଧବିରାମ ତିନିଦିନ ପରେ ହୋଇଥାନ୍ତା ତେବେ ପିଓକେ ଭାରତର ଅଂଶ ହୋଇଥାନ୍ତା । ଦ୍ୱିତୀୟ ଭୁଲ ଥିଲା କାଶ୍ମୀର ଭଳି ଆଭ୍ୟନ୍ତରୀଣ ମାମଲାକୁ ଜାତିସଂଘକୁ ନେବା । ତେବେ ସତ କ’ଣ ? ୧୯୪୮ରେ କାଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ କରିଥିଲା । ଆକ୍ରମଣ ଅଚାନକ ଥିଲା । ତେଣୁ ପାକିସ୍ତାନକୁ ବିସ୍ତୃତ ଅଂଚଳ ଉପରେ ଅଧିକାର କରିବାରେ କିଛି ଅସୁବିଧା ନଥିଲା । ମହାରାଜ ହରି ସିଂହ ଭାରତରେ କାଶ୍ମୀରର ବିଲୟ ପାଇଁ ରାଜି ହେବା ପରେ ଭାରତୀୟ ସେନା କାଶ୍ମୀରରେ ପହଂଚିଥିଲେ । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନୀ ସେନା ପଛକୁ ହଟିବାକୁ ଲାଗିଥିଲା । ଯେଉଁଭଳି ଭାବେ ପାକିସ୍ତାନୀ ସେନା ପଛଘୁଂଚା ଦେଉଥିଲା ପୁରା କାଶ୍ମୀର ଭାରତ ଅଧିକାରକୁ ଆସିଥାନ୍ତା । କିନ୍ତୁ ହଠାତ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଯୁଦ୍ଧବିରାମ ଘୋଷଣା କରିଥିଲେ । ଫଳରେ ଯେଉଁ ଦେଶର ସେନା ଯେଉଁଠାରେ ଥିଲେ ସେହିଠାରେ ରହିଲେ । ଏହାସହିତ ନେହେରୁଙ୍କ ଆଉ ଏକ ମାରାତ୍ମକ ଭୁଲ ଥିଲା ଯେ, ସେ ସର୍ଦ୍ଦାର ପଟେଲଙ୍କ ପରାମର୍ଶକୁ ନମାନି କାଶ୍ମୀର ସମସ୍ୟାକୁ ଜାତିସଂଘକୁ ନେଇଯାଇଥିଲେ । ଅଲ ଇଣ୍ଡିଆ ରେଡିଓରେ ସେ ଏନେଇ ଏକତରଫା ଘୋଷଣା କରିଥିଲେ ।ଜାତିସଂଘ କାଶ୍ମୀରରେ ଜନମତ ସଂଗ୍ରହ କଥା କହିଥିଲା । କାଶ୍ମୀରରୁ ଦୁଇ ଦେଶର ସେନା ପ୍ରତ୍ୟାହର ହେଲେ ଜନମତ ସଂଗ୍ରହ ହେବ ବୋଲି ସର୍ତ୍ତ ରହିଲା । କିନ୍ତୁ ପାକିସ୍ତାନ ଏହି ସର୍ତ୍ତ ମାନିନଥିଲା । ସେବେଠାରୁ କାଶ୍ମୀରର ଯେଉଁ ଭାଗ ପାକିସ୍ତାନ ଅଧିନରେ ଅଛି ତାହାକୁ ଭାରତ ପିଓକେ ବା ପାକ୍ ଅକ୍ୟୁପାଇଡ୍ କାଶ୍ମୀର କହୁଥିବା ବେଳେ ପାକିସ୍ତାନ ତାକୁ ଆଜାଦ କାଶ୍ମୀର କହୁଛି । ନାଁକୁ ଆଜାଦ କାଶ୍ମୀରର ନିଜସ୍ୱ ସରକାର,ରାଷ୍ଟ୍ରପତି ଓ ସଂସଦ ଅଛି କିନ୍ତୁ ପ୍ରକୃତରେ ସେଠାରେ ପାକିସ୍ତାନୀ ସେନାର ଶାସନ ଚାଲେ । ତେବେ ପ୍ରଶ୍ନ ଉଠୁଛି ଯେ, ନେହେରୁ କ’ଣ ସତରେ ଏଥିପାଇଂ ଦାୟୀ ଥିଲେ ? ଏହାର ଉତ୍ତର ସାମ୍ବାଦିକ କୁଲଦିପ ନାୟରଙ୍କ ‘ଏକ ଜିନ୍ଦଗୀ କାଫି ନହିଁ’ରେ ମିଳେ । କୁଲଦିପ ଯୁଦ୍ଧର ଅନେକ ବର୍ଷ ପରେ ସେନାର ନେତୃତ୍ୱ ନେଇଥିବା ଲେଫଟାଣ୍ଟ୍ ଜେନରାଲ କୁଲବନ୍ତ ସିଂହଙ୍କୁ ଭାରତୀୟ ସେନା ଆଗକୁ ନବଢିବାର କାରଣ କ’ଣ ଥିଲା ବୋଲି ପଚାରିଥିଲେ । ଉତ୍ତରରେ କୁଲବନ୍ତ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କୁ କେବଳ କାଶ୍ମୀର ଭାଷାଭାଷୀ ଅଂଚଳକୁ ଅଧିକାରକୁ ନେବାକୁ କହିଥିଲେ । ନେହେରୁ ପଂଜାବୀ ଭାଷାଭାଷୀ କାଶ୍ମୀର ଅଂଚଳ ଦଖଲ କରିବାକୁ ଇଛୁକ ନଥିଲେ । କୁଲଦିପ ନାୟରଙ୍କ ଆତ୍ମକଥା ଅନୁସାରେ ନେହେରୁ କାଶ୍ମୀର ବିଭାଜନକୁ ଏକରକମ ସ୍ୱୀକାର କରିଥିଲେ । ଏନେଇ ସେ ଯୁଦ୍ଧପରେ ଲଣ୍ଡନରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାନଙ୍କ ସହିତ ନେହେରୁଙ୍କ ସାକ୍ଷାତକାର କାଳୀନ ବାର୍ତ୍ତାଳପର ଉଦାହରଣ ଦିଅନ୍ତି । ନେହେରୁ,ଲିଆକତଙ୍କୁ କହିଥିଲେ ଯେ, ଏକ ପ୍ରକାର କାଶ୍ମୀରର ବିଭାଜନ ହୋଇଯାଇଛି ।