ତମାଲ ବାକଚି, ନୂଆଦିଲ୍ଲୀ: ବିଶାଳ ଜନ ସମର୍ଥନ ପାଇଁ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ ମୋଦି ସରକାର । କିନ୍ତୁ କ୍ଷମତାରେ ଫେରିବା ପରେ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ସଫଳ ହୋଇ ପାରୁନି ସରକାର । ଦେଶର ଅର୍ଥ ବ୍ୟବସ୍ଥା ନେଇ କ୍ରମାଗତ ଦୁର୍ବଳ ହେବାକୁ ଲାଗିଛି । ବିଗତ ଦିନରେ ୫ ପ୍ରତିଶତକୁ ଖସି ଆସିଥିଲା ଦେଶର ଆର୍ଥିକ ବିକାଶ ଦର ବା ଜିଡିପି । ଏହାସହ ଅଟୋ ସେକ୍ଟରରେ ମଧ୍ୟ କ୍ରମାଗତ ମାନ୍ଦାବସ୍ଥା ଜାରି ରହିଛି । ଏହାସହ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହା ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଅକ୍ଟୋବର ମାସ ମୋଦି ସରକାରଙ୍କ ପାଇଁ ଅତ୍ୟନ୍ତ ନିରାଶଜନକ ରହିଛି । ଏହି ମାସରେ ବର୍ତ୍ତମାନ ଯାଏ ଅର୍ଥବ୍ୟବସ୍ଥା ଦିଗରୁ ଆସୁଥିବା ଖବର ବହୁତ ଶୋଚନୀୟ କହିଲେ ଚଳେ । ଏଥିରୁ ଜଣାପଡ଼ି ଯାଉଛି ଦେଶର ଖରାପ ଅର୍ଥବ୍ୟବସ୍ଥାର କାହାଣୀ । ଏହାସହ ବଢ଼ି ବଢ଼ି ଚାଲିଛି ମୋଦି ସରକାରଙ୍କ ଚିନ୍ତା । ଆସନ୍ତୁ ଜାଣିବା ବର୍ତ୍ତମାନ ସମୟର ଅର୍ଥବ୍ୟବସ୍ଥା ସମ୍ବନ୍ଧୀୟ ୬ଟି ତାଜା ତଥ୍ୟ ବିଷୟରେ ।


COMMERCIAL BREAK
SCROLL TO CONTINUE READING


୧. ସାତ ବର୍ଷର ଖରାପ ପରିସ୍ଥିତି ମଧ୍ୟରେ ଗତି କରୁଛି ଔଦ୍ୟୋଗିକ ଉତ୍ପାଦନ: ବର୍ତ୍ତମାନ ସମୟରେ ଔଦ୍ୟୋଗିକ ଉତ୍ପାଦନର ବିକାଶ ହାରକୁ ଦେଖିଲେ ଆମେ ଜାଣିପାରିବା ଯେ ଭାରତୀୟ ଅର୍ଥବ୍ୟବସ୍ଥା ଶୋଚନୀୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।  ଅଗଷ୍ଟ ମାସରେ ଔଦ୍ୟୋଗିକ ଉତ୍ପାଦନ ୧.୧ ପ୍ରତିଶତ ହ୍ରାସ ପାଇଥିଲା । ଏହା ଔଦ୍ୟୋଗିକ ଉତ୍ପାଦନ କ୍ଷେତ୍ରରେ ବିଗତ ୭ ବର୍ଷର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ଏହାର ମୁଖ୍ୟ କାରଣ ବିଜୁଳି ଓ ଖଣିଜ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଏପରି ହୋଇଛି ।


୨. ଅଟୋ ସେକ୍ଟରରେ କ୍ରମାଗତ ମାନ୍ଦାବସ୍ଥା: ମୋଦି ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଅଟୋ ସେକ୍ଟରରୁ ମାନ୍ଦାବସ୍ଥା ଦୂର ହୋଇପାରୁ ନାହିଁ । ବାହନ ନିର୍ମାତା କମ୍ପାନୀର ସଙ୍ଗଠନ ସିୟାମ (ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋ ମୋବାଇଲ ମ୍ୟାନୁଫେକ୍ଚରର୍ସ)ର କହିବାଅନୁଯାୟୀ, ସେପ୍ଟମ୍ବରରେ କାର ବିକ୍ରି ସଂଖ୍ୟା ପୁଣି ହ୍ରାସ ପାଇଛି । ସିୟାମର ତଥ୍ୟ ଅନୁସାରେ, ଯାତ୍ରୀବାହୀ ବାହନଗୁଡ଼ିକର ବିକ୍ରିରେ ୨୩.୬୯ ପ୍ରତିଶତ ହ୍ରାସ ପାଇଛି । ସେହିପରି ବାଣିଜ୍ୟିକ ବାହନଗୁଡ଼ିକର ବିକ୍ରିରେ ୬୨.୧୧ ପ୍ରତିଶତ ହ୍ରାସ ଦେଖା ଦେଇଛି । କ୍ରମାଗତ ୧୦ ମାସ ଧରି ଅଟୋ ସେକ୍ଟରରେ ଏହି ମାନ୍ଦାବସ୍ଥା ଜାରି ରହିଛି ।


୩. ମୁଡିଜ୍ ହ୍ରାସ କଲେ ଜିଡିପ ବୃଦ୍ଧିର ପରିମାଣ: କ୍ରେଡିଟ ରେଟିଂ ଏଜେନ୍ସି ମୁଡିଜ ଭାରତର ଜିଡିପି ବୃଦ୍ଧି ହାରକୁ ପୁଣିଥରେ ହ୍ରାସ କରିଛି । ତାଜା ରିପୋର୍ଟରେ ମୁଡିଜ କହିଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତର ଜିଡିପି ବୃଦ୍ଧି ହାର ୫.୮ ପ୍ରତିଶତ ରହିବ । ଏହାପୂର୍ବରୁ ମୁଡିଜ କହିଥିଲା ଯେ ଭାରତର ଜିଡିପି ବୃଦ୍ଧି ହାର ୬.୨ ରହିବ। ବର୍ତ୍ତମାନର ପରିସ୍ଥିତକୁ ଦେଖିଲେ ଭାରତର ଜିଡିପି ବୃଦ୍ଧି ହାର ୫ ପ୍ରତିଶତକୁ ଖସିଛି । ଏହାସହ ମୁଡିଜ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ କଡ଼ା ଚେତାବନୀ ମଧ୍ୟ ଜାରି କରିଛି । ଏପରି ପରିସ୍ଥିତି କ୍ରମାଗତ ଜାରି ରହିଲେ ସରକାରଙ୍କ ରାଜକୋଷୀୟ ବ୍ୟୟ କମ କରିବାର ପ୍ରୟାସ ଉପରେ କଡ଼ା ଝଟକା ଲାଗିପାରେ ।


୪. ଜିଏସଟି କଲେକଶନରେ ଆସିଛି ହ୍ରାସ: ନିକଟ ଅତୀତରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଆଦାୟର ପରିମାଣ ଜାରି କରାଯାଇଥିଲା । ସେପ୍ଟମ୍ବରରେ ଜିଏସଟି ଆଦାୟ ପରିମାଣ ୯୧,୯୧୬ କୋଟି ଟଙ୍କା ରହିଥିଲା । ଏହାପୂର୍ବରୁ ଅଗଷ୍ଟରେ ଏହାର ପରିମାଣ ୯୮,୨୦୩ କୋଟି ଟଙ୍କା ଥିଲା । ଏହାର ଅର୍ଥ ସେପ୍ଟମ୍ବରରେ ଜିଏସଟି ଆଦାୟ ପରିମାଣରେ ୬୨୮୭ କୋଟି ଟଙ୍କାର ହ୍ରାସ ଦେଖା ଦେଇଛି ।


୫. ୱର୍ଲ୍ଡ ଇକୋନୋମିକ ଫୋରମ ରାଙ୍କିଙ୍ଗରେ ଖସିଛି ଭାରତ: ନିକଟ ଅତୀତରେ ୱର୍ଲ୍ଡ ଇକୋନୋମିକ ଫୋରମ(ଡବ୍ଲୁଇଏଫ)ରେ ମଧ୍ୟ ଭାରତକୁ ଜରଦାର ଲାଗିଛି ଝଟକା । ଏହି ତାଲିକାରେ ଭାରତ ୧୦ଟି ସ୍ଥାନ ଖସି ତଳକୁ ଆସିଯାଇଛି । ଗ୍ଲୋବାଲ କମ୍ପିଟିଟିଭ ଇନଡେକ୍ସରେ ଗତବର୍ଷ ଭାରତ ୫୮ତମ ସ୍ଥାନରେ ରହିଥିଲା, କିନ୍ତୁ ଚଳିତ ବର୍ଷ ଭାରତ ୬୮ତମ ସ୍ଥାନକୁ ଖସି ଆସିଛି । ଏହି ତାଲିକାରେ ଚୀନ ୨୮ତମ ସ୍ଥାନରେ ରହିଛି ।


୬. ଆଇଏମଏଫ ମଧ୍ୟ ଦେଇଛି ଚେତାବନୀ: ଭାରତୀୟ ଅର୍ଥବ୍ୟବସ୍ଥାର ପରିସ୍ଥିତିକୁ ଦେଖି ଅର୍ନ୍ତଜାତୀୟ ମୁଦ୍ରା କୋଷ(ଆଇଏମଏଫ) ମଧ୍ୟ ଚିନ୍ତା ବ୍ୟକ୍ତ କରିଛି । ଆଇଏମଏଫ ପ୍ରମୁଖ କ୍ରିଷ୍ଟାଲିନା ଜୋର୍ଜିଏବା କହିଛନ୍ତି ଯେ, ଆମେରିକା, ଜାପାନ ପରି ବିକଶିତ ଦେଶର ଆର୍ଥିକ ଗତିବିଧିରେ ମାନ୍ଦାବସ୍ଥା ଦେଖା ଦେଇଛି । ଅନ୍ୟପକ୍ଷେ ଭାରତ ଓ ବ୍ରାଜିଲ ପରି ଦେଶର ଆର୍ଥିକ ଗତିରେ ମଧ୍ୟ ମନ୍ଥର ଅବସ୍ଥା ଦେଖା ଦେଇଛି ।