ଭୁବନେଶ୍ଵର: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୁଲିସ। ନିଜ ଭାଇଙ୍କଠାରୁ ଏକ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଅପହରଣର ନାଟକ ରଚିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଅପହରଣକାରୀଙ୍କ ସହିତ ନୟାଗଡ଼ରୁ ଉଦ୍ଧାର କରାଯିବା ସହ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିଥିବା ସାମ୍ୱାଦିକ ସମ୍ମିଳନୀରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛି।


COMMERCIAL BREAK
SCROLL TO CONTINUE READING

ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଅପହରଣ କରିବା ପରେ କୋଟିଏ ଟଙ୍କା ମାଗୁଥିଲେ ଅପହରଣକାରୀ। ଏ ନେଇ ମହିଳାଙ୍କ ବାପା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। 


ଖବର ଅନୁସାରେ, ସମ୍ପୃକ୍ତ ମହିଳା ଦୀର୍ଘଦିନ ହେଲା ବାପାଘରେ ରହିଆସୁଥିଲେ। ଗତକାଲି ବାଣୀବିହାର ନିକଟରେ ଥିବା ସତସଙ୍ଗ ବିହାରକୁ ସଂପୃକ୍ତ ମହିଳା ଆସିଥିଲେ। ତାପରଠୁ ଆଉ ଘରକୁ ଫେରିନଥିଲେ। 


ଅପହରଣରେ ବ୍ୟବହୃତ ଏକ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ମହିଳା ଜଣକ ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ସେ ତାଙ୍କ ମା’ ବାପାଙ୍କ ସହ ରହୁଥିଲେ। ଭାଇଙ୍କଠାରୁ ଏକ କୋଟି ଟଙ୍କା ଝଡ଼ାଇବାକୁ ରାଜସ୍ଥାନର ଇନ୍‌ଷ୍ଟାଗ୍ରାମ ବନ୍ଧୁଙ୍କ ସହ ପ୍ଲାନ୍‌ କରିଥିଲେ। 


ପୁଲିସର କହିବା ଅନୁସାରେ,ଅପହୃତ ମହିଳା ସ୍ମୃତିରେଖା ପାଣି ଟଙ୍କା ପାଇଁ କିଛି ଲୋକଙ୍କ ସହ ଯୋଜନା କରି ନିଜକୁ ଅପହରଣ କରାଇବାର ନାଟକ କରିଥିଲେ। ପ୍ରଥମେ ଚାରିଛକ ଓ ସେଠାରୁ ନୟାଗଡ ଯାଇଥିଲେ। ମହିଳାଙ୍କ ବାପା ଏନେଇ ଚନ୍ଦକା ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଛାନବିନ୍ କରିଥିଲା ଏବଂ ନୟାଗଡରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସତ ପଦାକୁ ଆସିଥିଲା ମହିଳା ନିଜ ଭାଇଙ୍କଠାରୁ ଟଙ୍କା ପାଇବା ପାଇଁ ରାଜସ୍ଥାନର ପ୍ରଦୀପ ଓଲା ଓ ଦେବୀ ଲାଲ ନାମକ ବ୍ୟବକ୍ତିଙ୍କ ସହ ମିଶି ଅପହରଣ ନାଟକ କରିଥିଲେ। ଧରାପଡିବା ପରେ ସତ ଉଗାଳିଛନ୍ତି ଅଭିଯୁକ୍ତ।