World Sparrow Day 2024: ଘରଚଟିଆ ଚଢେଇଙ୍କୁ ଭାରତରେ ଶୁଭ ବୋଲି ବିବେଚନା କରାଯାଏ । ବଗିଚାରେ ଚିଁ ଚିଁ  କରୁଥିବା କିମ୍ବା ଚାଳ ଘରେ ଆଶ୍ରୟ ନେିଥିବା ଘରଚଟିଆ କେବେ କାହାର କ୍ଷତି କରେନାହିଁ।  ଘର ଚଟିଆ ଚଢେଇଙ୍କ ସଂଖ୍ୟା ହ୍ରାସ ଯୋଗୁ ଏବେ ଦୁନିଆରେ ଚିନ୍ତା ବ୍ୟକ୍ତ କରାଯାଉଛି। କିନ୍ତୁ ଗୋଟିଏ ସମୟରେ ଚୀନରେ ଘରଚଟିଆ ନିପାତ ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ଲକ୍ଷଲକ୍ଷ ସଂଖ୍ୟାରେ ଘରଚଟିଆଙ୍କ ହତ୍ୟା ହୋଇଥିଲା। ଆଉ ଏସବୁ ହୋଇଥିଲା ଚୀନ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଟାତା ମାଓ ସେ ତୁଙ୍ଗଙ୍କ ଶାସନ ଅମଳରେ। ମାଓଙ୍କ ଆଦେଶରେ ଚୀନରେ ହଜାର ହଜାର ସଂଖ୍ୟାରେ ପାର୍ଟି କାର୍ଯ୍ୟକର୍ତ୍ତା ସବୁକିଛି ଛାଡି ଘରଚଟିଆ ମାରିବାରେ ଲାଗିଥିଲେ। କିନ୍ତୁ କିଛି ବର୍ଷ ପରେ ଚୀନକୁ ଏହାର ଦାରୁଣ ଫଳାଫଳ ଭୋଗ କରିବାକୁ ପଡିଥିଲା। ଦୁର୍ବିକ୍ଷରେ କୋଟିକୋଟି ଲୋକ ପ୍ରାଣ ହରାଇଥିଲେ। ଆସନ୍ତୁ ଜାଣିବା କଣ ଥିଲା ଘରଚଟିଆ ନିପାତ ଅଭିଯାନ ଓ କେମିତି ଏଥିପାଇଁ ସାଢେ ୪ କୋଟି ଲୋକଙ୍କ ଜୀବନ ଯାଇଥିଲା।


COMMERCIAL BREAK
SCROLL TO CONTINUE READING

'ଗ୍ରେଟ୍ ଲିପ୍ ଫରୱାର୍ଡ'ର ଆରମ୍ଭ


୧୯୫୮ରୁ ୧୯୬୨ ମଧ୍ୟରେ ଚୀନରେ ଆରମ୍ଭ ହୋଇଥିଲା ଗ୍ରେଟ୍ ଫରୱାର୍ଡ ଲିପ୍। ଚୀନରେ ମାଓ ସେ ତୁଙ୍ଗ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରିଥିଲେ। ଚୀନରେ ୧୯୫୮ରୁ ୧୯୬୨ ପର୍ଯ୍ୟନ୍ତ ସମୟକୁ 'ଗ୍ରେଟ୍ ଲିପ୍ ଫରୱାର୍ଡ' ମଧ୍ୟ କୁହାଯାଏ। ପୂର୍ବରୁ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଏହାକୁ ବହୁତ ସଫଳତା ମିଳିଥିବା ବେଳେ ଦ୍ୱିତୀୟ ଯୋଜନାରେ ସେତେଟା ସଫଳତା ମିଳିନଥିଲା। ଏହି ବିଫଳତା ପାଇଁ ଦାୟୀ ଅଧିକାରୀମାନେ ମାଓଙ୍କ ମନରେ ଏହି ବିଶ୍ୱାସ ଜାଗ୍ରତ କରିଥିଲେ ଯେ ମୂଷା, ମାଛି, ମଶା ଏବଂ ଘରଚଟିଆ ପାଇଁ ଦ୍ୱିତୀୟ ପଂଚବାର୍ଷିକ ଯୋଜନା ବିଫଳ ହୋଇଛି। ଏହା ଶୁଣି ମାଓ ତୁରନ୍ତ ଦେଶରୁ ମଶା,ମାଛି ,ମୁଷା ଓ ଘରଚଟିଆଙ୍କ ମୃତ୍ୟୁ ପରୱାନା ବାହାର କରିଥିଲେ। 


ପ୍ରଥମ ଦିନରେ ବ୍ୟାପକ ସଂଖ୍ୟାରେ ଘରଚଟିଆଙ୍କୁ ହତ୍ୟା କରାଯାଇଥିଲା


ମାଓଙ୍କ ନିର୍ଦ୍ଦେଶକ୍ରମେ ଲୋକମାନେ ମଧ୍ୟ ଏହି ଚାରି ଜଣଙ୍କୁ ମାରିବା ପାଇଁ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରିବା ଆରମ୍ଭ କରିଥିଲେ । କେବଳ ଛାତ୍ର ଓ ଅମଲାମାନଙ୍କୁ ନେଇ ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ନେଇ ଏକ ଫୋର୍ସ ଗଠନ କରାଯାଇ ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ପ୍ରଥମ ଦିନ ଭୋର ୫ଟାରେ ସମସ୍ତ ପ୍ରକାର କ୍ଷୁଦ୍ର ପକ୍ଷୀଙ୍କୁ ଜାଲରେ ଫସାଇ ଧରା ଯାଇଥିଲା। ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା। କେବଳ ପ୍ରଥମ ଦିନରେ ଗୋଟିଏ ପାର୍କିଂ ସ୍ଥଳରେ ୩ ଲକ୍ଷ ରୁ ଅଧିକ ଘରଚଟିଆ   ପ୍ରାଣ ହରାଇଥିଲେ। ଦେଶର ଅନ୍ୟାନ୍ୟ ସ୍ଥାନରେ ଏହି ସଂଖ୍ୟା ବହୁତ ଅଧିକ ଥିଲା ।


ଘରଚଟିଆଙ୍କୁ ବସିବାକୁ ଦିଆଯାଉନଥିଲା


ଏହି ଅଭିଯାନ ସମୟରେ ଘରଚଟିଆଙ୍କ ବସା ନଷ୍ଟ କରିବା ସହିତ ସେମାନଙ୍କ ଅଣ୍ଡା ଭାଙ୍ଗି ଦିଆଯାଇଥିଲା। ଲକ୍ଷ ଲକ୍ଷ ସାଧାରଣ ଲୋକ ଲାଉଡ୍ ସ୍ପିକର ଓ ବାଜା ବଜାଇ ଘର ଚଟିଆଙ୍କୁ ଘଉଡାଉଥିଲେ। ଘରଚଟିଆ ପ୍ରତି ୧୫ ମିନଟରେ ଉଡିବା ବନ୍ଦ କରି ବିଶ୍ରାମ ନିଅନ୍ତି। କିନ୍ତୁ ଲୋକମାନେ ସେମାନଙ୍କୁ ବିଶ୍ରାମ ନେବାକୁ ଦେଉନଥିଲେ। ଫଳରେ ଲକ୍ଷଲକ୍ଷ ସଂଖ୍ୟାରେ ଘରଚଟିଆ ତଳକୁ ଖସି ମୃତ୍ୟୁ ବରଣ କରିଥିଲେ। ବେଜିଂରେ କିଛି ଘରଚଟିଆ ଆମେରିକା ଦୂତାବାସ ପରିସରରେ ଥିବା ଗଛରେ ଆଶ୍ରୟ ନେଇଥିଲେ। ଦୂତାବାସ ମଧ୍ୟକୁ ପ୍ରବେଶ ନିଶେଧ ଥିଲା,ତେଣୁ ଘରଚଟିଆ ମରା ଦଳ ଦୂତାବାସ ବାହାରେ ଲାଉଡ୍ ସ୍ପିକରରେ ଜୋରରେ ଗୀତ ବଜାଇଥିଲେ। ଫଳରେ ହଜାର ହଜାର ସଂଖ୍ୟାରେ ଘରଚଟିଆ ସେଠାରେ ମୃତ୍ୟୁବରଣ କରିଥିଲେ। ଏହି ଅଭିଯାନ୨ ବର୍ଷ ପରେ ଶେଷ ହେବା ବେଳକୁ ଚୀନରେ ଅଳ୍ପ ସଂଖ୍ୟାରେ ଘରଚଟିଆ ବଂଚିଥିଲେ।


୪୫ ନିୟୁତ ଲୋକଙ୍କ ଜୀବନ ଗଲା


ଏହାପରେ ପ୍ରକୃତି ଚୀନ ଉପରେ ନେଇଥିଲା ପ୍ରତିଶୋଧ। ଘରଚଟିଆ ଚାଷଜମିରୁ ପୋକଜୋକ ଖାଇଥାଏ। ଏପରିକି ପଙ୍ଗପାଳଙ୍କୁ ମାରିଥାଏ। କିନ୍ତୁ ଘରଚଟିଆ ନଥିବା କାରଣରୁ ଚୀନ ଫସଲ ଉପରେ ପଙ୍ଗପାଳ ଓ ପୋକଜୋକ ଆକ୍ରମଣ ବଢିଯାଇଥିଲା। ଫସଲ ହାନୀ କାରଣରୁ  ଚୀନରେ ଏତେ ବଡ଼ ଦୁର୍ଭିକ୍ଷ ହୋଇଥିଲା ଯେ, ୩ରୁ ୪ ବର୍ଷ ମଧ୍ୟରେ ୪୫ ନିୟୁତ ବା ସାଢେ ୪ କୋଟି  ଲୋକ ମୃତ୍ୟୁବରଣ କରିଥିଲେ ।


ଏହାପରେ ପ୍ରାକୃତିକ ସନ୍ତୁଳନ ସୁଧାରିବା ପାଇଁ ଚୀନ୍ ରୁଷିଆରୁ ଘରଚଟିଆ ଆମଦାନୀ କରି ପୁଣି ପୋଷଣ କରିଥିଲା।